
କେନ୍ଦ୍ରାପଡ଼ା,୧୩ା୯: ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ସିପିଆଇ(ଏମ୍) କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ୭୨ବର୍ଷ ବୟସରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ସେପ୍େଟମ୍ବର ୧୨ତାରିଖରେ ତାଙ୍କର ଦେହାନ୍ତ ଘଟିଛି। ସୀତାରମ ୟେଚୁରୀ ସିପିଆଇ(ଏମ୍)ର ସର୍ବୋଚ୍ଚ ନେତା ତଥା ବାମପନ୍ଥୀ ଆନ୍ଦୋଳନର ବିଶିଷ୍ଟ ନେତା ଓ ମାର୍କ୍ସବାଦୀ ଦାର୍ଶନିକ ଥିଲେ। ସେ ଅତ୍ୟନ୍ତ ମେଧାବୀ ଓ ଅର୍ଥନୀତିର ଛାତ୍ର ଥିଲେ। ଜେଏନୟୁ ଛାତ୍ର ସଂସଦର ୩ଥର ସଭାପତି ଥିଲେ। ଏସ. ଏଫ. ଆଇ.ର ୧୯୮୪ରୁ୧୯୮୭ମସିହା ପର୍ଯ୍ୟନ୍ତ ସର୍ବଭାରତୀୟ ସଭାପତି ରହି ଏହି ସଂଗଠନକୁ ଦେଶବ୍ୟାପୀ ଗଢି ତୋଳିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୧୯୭୫ମସିହାରେ ଜାରି ଜରୁରୀକାଳୀନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ବିରୋଧ କରି ଜେଲ ଯାଇଥିଲେ। ସେହି ସମୟରେ ସେ ସିପିଆଇ(ଏମ୍)ରେ ଯୋଗଦେଇଥିଲେ ଓ ୧୯୮୫ମସିହାରେ ପାର୍ଟିର କେନ୍ଦ୍ର କମିଟି ସଭ୍ୟ ଏବଂ ୧୯୯୨ମସିହାରେ ପାର୍ଟିର ପାଲିଟିବ୍ୟୁରକୁ ନିର୍ବାଚିତ ହୋଇଥିଲେ। ୨୦୧୫ମସିହାରୁ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ବିଶ୍ୱ ପରିସ୍ଥିତି ଉପରେ ତାଙ୍କର ପ୍ରଚଣ୍ଡ ଜ୍ଞାନ ଥିଲା। ସେ ବହୁ ପୁସ୍ତକର ରଚୟିତା। ସେ ୨୦୦୫ରୁ୨୦୧୭ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ ଏବଂ ୨୦୧୭ମସିହାରେ ସର୍ବଶ୍ରେଷ୍ଠ ପାର୍ଲ୍ୟାମେଣ୍ଟବିତ ଭାବେ ପୁରସ୍କୃତ ହୋଇଛନ୍ତି। ତାଙ୍କ ବିୟୋଗରେ ସିପିଆଇ(ଏମ୍) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଖଡ଼ିଅଙ୍ଗସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର ପାର୍ଟିର ବର୍ଷିଆନ ନେତା ଉମେଶ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ ନେତା ଜଗତଜୀବନ ଦାଶ, ନରୋତ୍ତମ ପାର୍ଥସାରଥୀ, ରତ୍ନଞ୍ଜୟ ମଲ୍ଲିକ, ସାମ୍ବାଦିକ ଆଶିଷ ସେନାପତି, ଶ୍ରମିକ ନେତା ମାଧବ ଦାସ, ପ୍ରକାଶ ମହାନ୍ତି, କୃଷକ ନେତା ଦାଶରଥି ସାହୁ, ବିଜୟ ଦାସ, ସୋମନାଥ ବିଶ୍ୱାଳ, ଧନୁର୍ଜୟ ପରିଡା, ଉପେନ୍ଦ୍ର ମଲ୍ଲିକ, ଅର୍ଜୁନ ମଣ୍ଡଳ ପ୍ରମୁଖ ବହୁ ନେତୃତ୍ୱ ଯୋଗଦେଇ ଶୋକ ପ୍ରକାଶ କରିଥିଲେ। ସାଥି ୟେଚୁରୀଙ୍କ ବିୟୋଗରେ ଦେଶର ଏକ ଶୂନ୍ୟସ୍ଥାନ ସୃଷ୍ଟିହେଲା ବୋଲି ସେମାନେ କହିଥିଲେ। ତାଙ୍କ ଅବର୍ତମାନରେ ବାମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିମାନେ ଅଶେଷ କ୍ଷତିର ସମ୍ମୁଖୀନ ହେଲେ। ଏହି ପରିସ୍ଥିତିରେ ସୀତାରମ ୟେଚୁରୀଙ୍କ ଅପୁରଣୀୟ କାର୍ଯ୍ୟକୁ ଆଗେଇ ନେବାପାଇଁ ତାଙ୍କୁ ଭଲ ପାଉଥିବା ବ୍ୟକ୍ତିମାନେ ଆଗେଇ ଆସିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ସମଗ୍ର ସଭା କିଛି ସମୟ ନୀରବତା ସହିତ ଦଣ୍ଡାୟମାନ ହୋଇଥିଲା।











