
କେନ୍ଦ୍ରାପଡ଼ା,୧୧ା୧୦: କେନ୍ଦ୍ରାପଡା ସଦର ଥାନା ଆଇଆଇସି ସରୋଜ କୁମାର ସାହୁଙ୍କର ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହେବା ଅବସରରେ ଶ୍ୟାମସୁନ୍ଦରପୁରର ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତା, ଭକ୍ତବୃନ୍ଦ ତଥା ଜନସାଧାରଣଙ୍କ ତରଫରୁ ଏକ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ପଣ୍ଡିତ ହୃଷିକେଶ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡା. ବିଶ୍ୱପ୍ରକାଶ କାନୁନଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁଙ୍କର କାର୍ଯ୍ୟଦକ୍ଷତା, ସଚ୍ଚୋଟତା ଓ ନୀରପେକ୍ଷତା ଉପରେ ଆଲୋକପାତ କରିଥିଲେ । ସେହିପରି ଶିକ୍ଷାବିତ୍ ଅବନୀ କୁମାର ମହାନ୍ତି ମୁଖ୍ୟ ବକ୍ତା, ପ୍ରମୋଦ କୁମାର ସାହୁ ଓ ବ୍ରଜବନ୍ଧୁ ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆଇଆଇସି ଶ୍ରୀ ସାହୁଙ୍କର ଲୋକପ୍ରିୟତା ଓ ବିଭିନ୍ନ ଗଠନମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିବା ବେଳେ ତାଙ୍କର ରହଣି କାଳରେ କାର୍ଯ୍ୟ ପଦ୍ଧତିର ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଦର ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀମାନେ ଯୋଗ ଦେଇ ଆଇଆଇସିଙ୍କର ବରିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମେ ଅତିଥିମାନେ ଶ୍ରୀ ସାହୁଙ୍କୁ ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲ । ଶେଷରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସାରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।











