ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ


 

କେନ୍ଦ୍ରାପଡା, ୧୫ା୧୦: ସୂଚନା ଅଧିକାର ଆଇନ୍‌ରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତଥ୍ୟ ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ତଥା ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ଛତୁଆ ଓ ଲଡୁ ପ୍ରଭୃତି ପୁଷ୍ଟିକର ଖାଦ୍ୟ ସରକାରୀ ସହାୟତାରେ ଯୋଗାଇ ଦେଇଥାନ୍ତି। କିନ୍ତୁ ସେହି ସବୁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ଏହାବ୍ୟତିତ ଗତ ୨୦୨୩ମସିହା ମଇମାସରେ କୈାଣସି ଗୋଟିଏବି ଅଙ୍ଗନୱାଡିକେନ୍ଦ୍ରକୁ ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠି ଉପରୋକ୍ତ ପୁଷ୍ଟିକର ଖାଦ୍ୟ ନ ଯୋଗାଇ ମଧ୍ୟ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରୁ ସେ ବାବଦକୁ ସମସ୍ତ ଦେୟ ବିଲ କରିନେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଆଚାର୍ଯ୍ୟ ଉପରୋକ୍ତ ଘଟଣା ସମ୍ପର୍କରେ ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ ପାଇଁ ଆବେଦନ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟାଳୟ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କଲେ ନାହିଁ। ତେଣୁ ଆଇନ ଅନୁଯାୟି ଶ୍ରୀ ଆଚାର୍ଯ୍ୟ ପ୍ରଥମ ଆପିଲେଟ କତ୍ତୃପକ୍ଷଙ୍କୁ ଆବେଦନ କଲେ। କିନ୍ତୁ ଅଦ୍ୟାବଧି ଶ୍ରୀ ଆଚାର୍ଯ୍ୟଙ୍କୁ ତଥ୍ୟ ପ୍ରଦାନ କରାଯାଇନଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜକନିକା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମସ୍ତ ଆଇନକୁ ଫାଙ୍କି ତଥ୍ୟ ପ୍ରଦାନ ନକରିବା ସହ ଦୁର୍ନୀତିରେ ଲିପ୍ତ ଥିବା ସଂପୃକ୍ତ ସ୍ୱୟଂ ସହାୟିକା ଗୋଷ୍ଠିକୁ ସମର୍ଥନ କରିବା ଘଟଣା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।