ଉଜୁଡ଼ା ଫସଲ ଦେଖି ହୃଦ୍‌ଘାତରେ ଚାଷୀ ମୃତ



କେନ୍ଦ୍ରାପଡା,୨୬ା୧୨: ଫସଲ କ୍ଷୟକ୍ଷତି ଦେଖି ଜଣେ ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଚାଷୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ(୫୨)। ଭାବଗ୍ରାହୀ ଦେଢ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ଲଘୁଚାପ ଜନିତ ବର୍ଷା ତାଙ୍କ ସୁନାର ଫସଲକୁ ଉଜାଡି ଦେଇଥିଲା। ଗୁରୁବାର ବର୍ଷା ଛାଡିଯିବା ପରେ ଶ୍ରୀ ମଲ୍ଲିକ ନିଜ ବିଲକୁ ଫସଲ ଦେଖିବାକୁ ଯାଇଥିଲେ। କିନ୍ତୁ ଉଜୁଡି ଯାଇଥିବା ଫସଲ ଦେଖି ତାଙ୍କର ହୃଦ୍‌ଘାତ ହୋଇଥିଲା। ଫଳରେ ତାଙ୍କୁ ଛତା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ କହିଛନ୍ତି ଉଜୁଡ଼ା ଫସଲ ଦେଖି ଭାବଗ୍ରାହୀଙ୍କ ମୃତ୍ୟୁ ଘଟିଛି। ତେଣୁ ସରକାର ଧାନ ଫସଲର ଉପଯୁକ୍ତ ଆକଳନ କରି କ୍ଷତିପୂରଣ ପ୍ରଦାନ କରନ୍ତୁ। ମୃତ ଭାବଗ୍ରାହୀଙ୍କ ପରିବାର ସଦସ୍ୟଙ୍କୁ ସରକାର ଅନ୍ୟାନ୍ୟ ସହାୟତା ପ୍ରଦାନ କରନ୍ତୁ ବୋଲି କୃଷକ ନେତା ରମଣୀରଞ୍ଜନ ରାଉତରାୟ ଦାବି କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading