
କେନ୍ଦ୍ରାପଡା ୧୧/୫: ପ୍ରତିବର୍ଷ ମେ ୧୦ ତାରିଖକୁ ମାତୃ ଦିବସ ରୂପେ ପାଳନ କରାଯାଇ ଆସୁଥିବାବେଳେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରିଛି ପୁନର୍ବାସ। ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ଚିକିତ୍ସା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ଏହି ଅନୁଷ୍ଠାନ ପକ୍ଷରୁ ଏହାକୁ ‘ମାତୃ ସ୍ୱୀକୃତି ଉତ୍ସବ’ ରୂପେ ପାଳନ କରାଯାଇଛି। ସାଧାରଣ ପିଲାଙ୍କ ଅପେକ୍ଷା ସ୍ୱତନ୍ତ୍ର ଶିଶୁମାନଙ୍କ ଲାଳନପାଳନ ଅଧିକ ସ୍ନେହ ଓ ଧୈର୍ଯ୍ୟ ଆବଶ୍ୟକତା ରଖେ। ଏଠାରେ ଥେରାପି ସେବା ଗ୍ରହଣ କରୁଥିବା ଏହିପରି ଦିବ୍ୟାଙ୍ଗ ଶିଶୁ ମା’ମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ଉତ୍ସବକୁ ସମର୍ପିତ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସ୍ୱାଗତିକା ପାତ୍ର ଏବଂ ବିଶିଷ୍ଟ ଲେଖିକା ନବଜ୍ୟୋତି ରାୟ, ଆନ୍ତର୍ଜାତୀୟ ବାକ୍ ଓ ଶ୍ରବଣ ବାଧିତ କ୍ରୀଡ଼ାବିତ୍ ଦିବଂଗତ ସୁକାନ୍ତ ଚୌଧୁରୀଙ୍କ ପତ୍ନୀ ସମାଜସେବୀ ଜୟନ୍ତୀ ଚୌଧୁରୀ ଓ ୧୦ନମ୍ବର ୱାର୍ଡର ପୌରସଭ୍ୟା ରଶ୍ମିତା ସିଂ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏହି ମା’ମାନଙ୍କର ଅସୀମ ତ୍ୟାଗକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗଶିଶୁଙ୍କ ମା’ ନିଜର ଶିଶୁଙ୍କୁ ନେଇ ରହିଥିବା ଦୈନିକ ସଂଘର୍ଷ ଓ ସ୍ୱପ୍ନର ଅପ୍ରକାଶ୍ୟ ଭାବନାକୁ ପ୍ରକାଶ କରିଥିଲେ। ଥେରାପିଷ୍ଟ କୀର୍ତ୍ତି ଦାଶ ଓ ଶୁଭଶ୍ରୀ ଦାସ ପ୍ରତ୍ୟେକ ମା’ମାନଙ୍କର ଭୂମିକା ଉଦାହରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୩୦ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗଶିଶୁଙ୍କ ମା’ମାନଙ୍କୁ ସମ୍ବର୍ଦ୍ଧନା ପୂର୍ବକ ଅନୁଷ୍ଠାନ ପକ୍ଷରୁ ଏକ ସ୍ମାରକୀ ଉପହାର ପ୍ରଦାନ କରାଯାଇଥିଲା। ପୁନର୍ବାସର ସହ ସମ୍ପାଦକ ବଂଶୀଧର ମହାନ୍ତିଙ୍କ ପ୍ରାରମ୍ଭିକ ସମ୍ଭାଷଣ ପରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ। ପରିଚାଳନାରେ ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, ମହମ୍ମଦ ଜାହିଦ୍ ଖାନ୍ ଓ କର୍ମଚାରୀ ରାଜେନ୍ଦ୍ର ମହାପାତ୍ର, ଧରଣୀଧର ସେଠୀ, ସଂଜୀବ କୁମାର ଜେନା, କେଦାରନାଥ ବାରିକ ଓ ପ୍ରଭାତ କୁମାର ସାମଲ ପ୍ରମୁଖ ସହାୟତା କରିଥିବାବେଳେ ସଭ୍ୟ ସ୍ୱପ୍ନାଂଶୁ କୁମାର ଦାସ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।














