କମୁଛି ଚାଷ ଜମି, ବଢୁଛି ଘରବାରି : ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତନ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ । ଏଠାକାର ଲୋକେ ବିଭିନ୍ନ ଚାଷବାସକରି ନିଜର ଗୁଜରାଣ ମେଂଟାଇ ଥାନ୍ତି । ଏଠାକାର ଚାଷବାସ ଜିଲା ଅର୍ଥନୀତିର ପ୍ରମୁଖ ଭାଗ ହୋଇଥିବା ବେଳେ ଜମି ଦଲଲାଲଙ୍କ ଲୋଲୁପ ଦୃଷ୍ଟିରେ ଚାଷଜମି ପରିମାଣ ଦିନକୁ ଦିନ ହ୍ରାସ ପାଇଚାଲିଛି । ଅଧିକାଂଶ ସ୍ଥାନରେ ଚାଷଜମିର କିସମ ପରିବର୍ତନ କରାଯାଉଥିବାରୁ କୃଷି ବ୍ୟାପକ ଭାବେ ପ୍ରଭାବିତ ହେବା ସହ କିସମ ପରିବର୍ତନ ଚାଷୀକୁଳ ପାଇଁ ସମସ୍ୟା ପାଲଟିଛି । ଯଦି ଏଭଳି ଧାରାରେ ଚାଷଜମି ସଂଖ୍ୟା ହ୍ରାସ ପାଏ ତେବେ ଆସନ୍ତା ୨ ଦଶନ୍ଧି ମଧ୍ୟରେ ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଚାଷଜମି ଶେଷ ହୋଇ ଚାଷୀ ଜୀବିକା ହରାଇବା ସମ୍ଭାବନା ସୃଷ୍ଟି ହେବ ବୋଲି ବୁଦ୍ଧିଜିବୀମାନେ ମତ ରଖିଛନ୍ତି ।
ବୁଦ୍ଧିଜିବୀ ପ୍ରବିର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ କେତେକ ଜମି ଦଲାଲମାନେ ସକ୍ରିୟ ହୋଇ ସହରାଂଚଳ ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ଚାଷଜମିର କିସମ ଘରବାରିକୁ ପରିବର୍ତନ କରି ବିକ୍ରୀପଟ୍ଟା କରିଚାଲିଛନ୍ତି । ସେମାନେ ଜମି କିଣି ନେଇ ଘରବାରି କିସମ ଲାଗି ତହସିଲ କାର୍ଯ୍ୟାଳୟରେ ଆବେଦନ କରୁଛନ୍ତି । ଜମି ଘରବାରି କିସମରେ ପରିଣତ ହେବା ପରେ ସଂପୃକ୍ତ ଜମିକୁ ମାଟି ପକାଇ ପୋତାଯାଉଛି । ସେହି ସ୍ଥାନଟି ଉଚ୍ଚା ହୋଇଯିବା ପରେ ତାହାକୁ ଲାଗିରହିିଥିବା ଚାଷଜମି ଆପେ ଆପେ ଖାଲୁଆ ହୋଇଯାଉଛି । ବର୍ଷା ଦିନରେ ଉଦବୃତ ଜଳନିସ୍କାସନ ହୋଇନପାରି ସେହି ସ୍ଥାନରେ ପାଣି ଜମି ରହୁଥିବା ବେଳେ ଖରାଟିଆଚାଷପାଇଁ କେନାଲପାଣି ପ୍ରବେସ କରିପାରୁନାହିଁ । ଫଳରେ ଚାଷୀ ସଂପୃକ୍ତ ଜମିରେ ଚାଷ କରିପାରୁନାହିଁ ।ଠିକ ସମୟରେ ଦଲାଲମାନେ ସୁଯୋଗ ଉଣ୍ଡି ଜମିଗୁଡିକୁ ଶସ୍ତା ଦରରେ କ୍ରୟ କରି ଘରବାରି ତଥା ପ୍ଲଟ ଆକାରରେ ଚଢାଦରରେ ବିକ୍ରି କରୁଥିବାର ଜଣାପଡିଛି ।
ସାମାଜିକକର୍ମୀ ଅନନ୍ତ ଦାଶ ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ପଟ୍ଟାମୁଣ୍ଡାଇ ପରିଚିତ । ସହରକୁ ଲାଗିଥିବା ଚାଷ ଜମିଗୁଡିକ ବର୍ତମାନ ବେସରକାରୀ ଭାବେ ଚଢା ମୂଲ୍ୟ ରହିଛି । ଏହି ଅଂଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଉର୍ବର ଚାଷ ଜମିଗୁଡିକୁ କ୍ରୟ କରି ପ୍ଲଟ ଆକାରରେ ବହୁମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଏହି ଜମିଗୁଡିକୁ ରାତାରାତି ବାଲିମାଟି ପକାଇ ଉଚ୍ଚା କରିଦେବା ସହ ପ୍ଲଟିଂ କରି ବିକ୍ରି କରୁଛନ୍ତି । ଏଠାରେ ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ ବେଶ ଖ୍ୟାତି ରହିଥିଲା । ହେଲେ କେତେ ବର୍ଷ ହେଲା ଧାନ, ପନିପରିବା ଚାଷ ତଥା ଉତ୍ପାଦନ କ୍ଷେତ୍ର କମିବାରେ ଲାଗିଛି । ବିଭିନ୍ନ ସମସ୍ୟା ତଥା ପ୍ରୋତ୍ସାହନ ଅଭାବରୁ ଚାଷ ଜମି ଥିବା ଲୋକେ ଚାଷବାସ ପ୍ରତି ମୁହଁ ଫେରାଇ ନେଉଛନ୍ତି ।
ନରେଶ ଜେନା କୁହନ୍ତି କୃଷି ବିଭାଗ ରିପୋର୍ଟ ଅନୁଶାରେ ୨୦୧୪-୧୫ରେ ପଟ୍ଟାମୁଣ୍ଡାଇ ଅଂଚଳରେ ପାଖାପାଖି ୧୮ହାଜର ହେକ୍ଟର ଜମିରେ ଖରିଫ ଧାନଚାଷ ହେଉଥିଲା । ୨୦୨୪-୨୫ରେ ତାହା ୧୦, ୩୦୦ହେକ୍ଟର ଜମିରେ ଧାନଚାଷ ହେବା ଲକ୍ଷରଖାଯାଇଛି । ଅର୍ଥାତ୍ ୮ ବର୍ଷ ମଧ୍ୟରେ ପାଖାପାଖି ୮,୦୦୦ ହେକ୍ଟର ଚାଷ ଜମି ହ୍ରାସ ପାଇଛି । ଏବେ ଗ୍ରାମାଂଚଳ ଜମିର କିସମ ପରିବର୍ତନର ମାତ୍ରା ବଢ଼ିଛି । ଜମି କିସମ ପରିବର୍ତନ ପାଇଁ ଶହଶହ ଆବେଦନ ତହସିଲରେ ହୋଇଛି । କିସମ ପରିବର୍ତନ ଅନୁମୋଦିତ ହେଲେ ସମ୍ପୃକ୍ତ ସ୍ଥାନରେ ମାଟି ପୋତି ପ୍ଲଟିଂ କରାଯିବ । ଫଳରେ ଚଷଜମିକୁ କେନାଲଜଳ ପ୍ରବେଶ କରିବ ନାହିଁ କି ବର୍ଷାଜଳ ନିଷ୍କାସନ ହୋଇପାରିବ ନାହିଁ । ଚାଷକାର୍ଯ୍ୟ ପ୍ରଭାବିତ ହେବ । ଏଣୁ କେନାଲପାଖ ଜମିର କିସମ ପରିବର୍ତନ ଲାଗି ଅନୁମତି ନ ଦେବାକୁ ଚାଷୀ ମାନେ ସ୍ଥାନୀୟ ସର୍କଲ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ନିବେଦନ କରିଛନ୍ତି ବୋଲି ସେ କହିଛନ୍ତି ।
ପୁରୁଖା ଚାଷୀ ବିଜୟ ଦାସ କୁହନ୍ତି ଜନବସତି ଲାଗି କିସମ ପରିବର୍ତନ ଏକ ଆବଶ୍ୟକତା । ଟାଉନ୍ ପ୍ଲାନିଂ ଆଧାରରେ କିସମ ପରିବର୍ତନ ଅନୁମତି ଦିଆଯାଇପାରିବ । ତେବେ ଏହା କେବଳ ମୁଖ୍ୟରାସ୍ତା ସଂଲଗ୍ନ ଜମିଜମା ପାଇଁ ଉଦ୍ଦିଷ୍ଟ ହେବା ଦରକାର । ଏହାକୁ ଲାଗିରହିଥିବା ଗ୍ରାମାଂଚଳ ଓ ଟାଉନ ପ୍ଲାନିଂରେ ନ ଥିବା ଅଂଚଳରେ କେହି ଜମି କିଣିଲେ ତାଙ୍କୁ କିସମ ପରିବର୍ତନ ସକାଶେ ଅନୁମତି ମିଳିବା ଉଚିତ୍ ନୁହେଁ ବୋଲି ସେ ମତପୋଷଣ କରିଛନ୍ତି । ତହସିଲ କାର୍ଯ୍ୟାଳୟ ପକ୍ଷରୁ ଠିକ ଭାବେ ଯାଂଚ କରି କିସମ ପରିବର୍ତନ କରାଯାଉ ବୋଲି ଅନେକ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି ।
ଅତିରିକ୍ତ ତହସିଲଦାର ଦଲ୍ଲିିପ ନାଏକଙ୍କୁ ପଚାରିବାରେ କିସମ ପରିବର୍ତନ ପାଇଁ କେତେକ ନିର୍ଦ୍ଦେଶନାମା ବା ଗାଇଡ୍‌ଲାଇନ ଅନୁଯାୟୀ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥାଏ । ତେବେ ପ୍ଲଟିଂ କରୁଥିବା ଲୋକେ ଜଳ ନିଷ୍କାସନ ଲାଗି ରାସ୍ତା କିମ୍ବା ଡ୍ରେନେଜ୍ ବ୍ୟବସ୍ଥା କରିବା ଉଚିତ ।


Discover more from

Subscribe now to keep reading and get access to the full archive.

Continue reading