
ପଟ୍ଟାମୁଣ୍ଡାଇ ତା ୨/୫- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ୯ଜଣ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରି ଏ୧ ଗ୍ରେଡ଼ ହାସଲ କରିଛନ୍ତି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଦେ ଓ ଡଲି ଦାସଙ୍କ କନ୍ୟା ଦେବୀପ୍ରଜ୍ଞା ଦେ ସର୍ବୋଚ୍ଚ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ଦେବୀ ପ୍ରଜ୍ଞା ତାଙ୍କ ସଫଳତାର ଶ୍ରେୟ କଠିନ ପରିଶ୍ରମ ଇଶ୍ୱରଙ୍କ ଆଶୀର୍ବାଦ, ଗୁରୁ ଗୁରୁ ମା ଓ ପିତା ମାତା ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି । ମଦନପୁର ୟୁ କେ ମହାବୀର ହାଇସ୍କୁଲ ଛାତ୍ର ସୌମ୍ୟକାନ୍ତ ସାହୁ ୫୪୫ନମ୍ବର ରଖି ଏ୧ଗ୍ରେଡ଼ ହାସଲ କରିବା ସହିତ ବ୍ଲକରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଆଶା ପ୍ରିୟଦର୍ଶନୀ ପାତ୍ର,ସୁଭଦ୍ରା ପ୍ରଧାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଛାତ୍ରୀ ଅଭିଲିପ୍ସା ରାଉତ ସାନଜରିଆ ହାଇସ୍କୁଲର ରୁଦ୍ର ପ୍ରଧାନ ୫୪୦ ନମ୍ବର ରଖି ଏ ୧ଗ୍ରେଡ଼ ହାସଲ କରିଛନ୍ତି । ଏହାଛଡା ବ୍ଲକରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସୌମ୍ୟକାନ୍ତଙ୍କ ବ୍ୟତୀତ ମଦନପୁର ୟୁ କେ ମହାବୀର ହାଇସ୍କୁଲର ୩ଜଣ ଏ୧ ଗ୍ରେଡ଼ ପାଇଥିବାରୁ ସମୁଦାୟ ୪ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ପାଇଛନ୍ତି । ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବ୍ଲକ ଟପ୍ପର ସହ ୨ ଛାତ୍ରୀ ଏ୧ଗ୍ରେଡ଼, ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲ ଛାତ୍ରୀ ଏ୧ ଗ୍ରେଡ଼ ଓ ସାନଜରିଆ ହାଇସ୍କୁଲ ଛାତ୍ର ଏ୧ ଗ୍ରେଡ଼ ସହିତ ପଟ୍ଟାମୁଣ୍ଡାଇ ବ୍ଲକରେ ସମୁଦାୟ ୯ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡ଼ ହାସଲ କରିଛନ୍ତି । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଓ ଶିକ୍ଷାବିତ ସୁରେଶ ଜେନା ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।











