
କେନ୍ଦ୍ରାପଡ଼ା,୨ା୧୦: ଆଜି ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ପବିତ୍ର ମହାଳୟା ଉପଲକ୍ଷେ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଜନ୍ମୋତ୍ସବ ଏବଂ ସନ୍ଥ ସ୍ୱରୂପ ଦିବ୍ୟାତ୍ମା ତଥା ବିଲମୁଗବାଡି ଗ୍ରାମସ୍ଥିତ ଶ୍ରୀ ଭାଗବତ ଗାଦି ସଂସ୍ଥାପକ ବ୍ରହ୍ମଲୀନ ମାୟାଧର ଜେନାଙ୍କ ଶ୍ରାଦ୍ଧୋତ୍ସବ ଯଥାବିଧି ପାଳିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓରେ ଅହିଂସା ଦୂତ ମହାତ୍ମା ଗାନ୍ଧୀ ଏବଂ ଶାନ୍ତି ଦୂତ ଲାଲ୍ ବାହାଦୁର ଜୀବନାଦର୍ଶ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ବାଣୀ ବିନୋଦର ସଭାପତି ନିରଞ୍ଜନ ପରିଡା, ଆରଡିସି ୱାଇଓର ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ, ମହ୍ଲାରର ସମ୍ପାଦକ ରଞ୍ଜନ ବରାଳ, କଣ୍ଠଶିଳ୍ପୀ ନିରୁପମା ଜେନା, ନୃତ୍ୟଶିଳ୍ପୀ ରୂପାଲି ସୂତାର, ଅର୍ଚ୍ଚନା ପରିଡା, ଅଙ୍କିତା ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ଅକ୍ଷୟ ମହାନ୍ତି ଏବଂ ମାୟାଧର ଜେନାଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଇଥିଲା । ନିରୁପମା ଜେନା, ରୂପାଲି ଏବଂ ଅର୍ଚ୍ଚନା ଗାନ୍ଧୀ ଭଜନ ଗାଇଥିଲେ । ବିମଳ ପରିଡା ଅକ୍ଷୟ ସଙ୍ଗୀତ ଗାଇଥିଲେ । ରେଡିଓ ଭାବଗ୍ରାହୀର ମୁଖ୍ୟ ଧିରାମଣୀ ପରିଡା ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାବଗ୍ରାହୀ କଳା ନିକେତନ ତରଫରୁ ଗାନ୍ଧୀ ଭଜନ ପରିବେଷଣ କରାଯାଇଥିଲା ।











