ସରକାରୀ ଅଙ୍କୁଶ ନାହିଁ ଗଢ଼ିଉଠୁଛି କୋଚିଂ ସେଂଟର


  • ଘରୋଇ ସ୍କୁଲ ମୁହାଁ ଅଭିଭାବକ
  • ଅଗ୍ନିନିରାପନ ବ୍ୟାବସ୍ଥା ରହୁନି
  • ବିପଦମୁକ୍ତ ନୁହେଁ ଆବାସିକ ବିଦ୍ୟାଳୟ


ପଟ୍ଟାମୁଣ୍ଡାଇ ୧୮/୧୨ -କେନ୍ଦ୍ରାପଡା ଜିଲାର ୨ୟ ବୃହତମ ସହର ଭାବେ ପରିଗଣିତ ପଟ୍ଟାମୁଣ୍ଡାଇ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ମାଳ ମାଳ ବେଆଇନ କୋଚିଂ ସେଂଟର ଖୋଲାଯାଇ ଶିକ୍ଷାର ବେପାର ଚଲିଛିି । କୋଚିଂ ସେଂଟରର ମାଲିକମାନଙ୍କ ପାଖରୁ ଏକାଧିକ ବିଦ୍ୟାଳୟର ଶିକ୍ଷକ ଓ କଲେଜର ଅଧ୍ୟାପକ ମାନେ ମୋଟାଅଙ୍କର ଟଙ୍କା ନେଇ କୋଚିଂ ସେଂଟରରେ ଶିକ୍ଷାଦାନ କରାଉଛନ୍ତି । ଯାହା ସରକାରୀ ନିୟମର ଖୋଲା ଉଲ୍ଲଂଘନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ଦେଶର ଉତ୍କଟ ବେକାରି ସମସ୍ୟା ଥିଲେ ବି ଉଚ୍ଚଶିକ୍ଷା ଲାଗି ଭଲ କ୍ୟାରିୟର ଗଠନ ପାଇଁ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଢ଼ିଚାଲିଛି। ଜିଲା ଠାରୁ ବ୍ଲକ ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନରେ ଆଗପରି ପାଠପଢ଼ା ହେଉନାହିଁ। ବହୁ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟରେ ଶିକ୍ଷକ, ଅଧ୍ୟାପକ, ପ୍ରଫେର୍ସମାନଙ୍କ ଖାଲିସ୍ଥାନ ବର୍ଷ ବର୍ଷ ଧରି ଅପୂରଣୀୟ ରହୁଛି, ଯଦ୍ଦ୍ୱାରା ବାର୍ଷିକ ପାଠ୍ୟଖସଡା ଅନୁଯାୟୀ ପୁସ୍ତକ ବିଷୟଗୁଡ଼ିକ ସମ୍ପୂର୍ଣ୍ଣ ପଢ଼ାଯାଇପାରୁନାହିଁ। ଏହାର ଫାଇଦା ଉଠାଇ ବର୍ତମାନ ଛତୁଫୁଟିଲା ପରି ଗାଁଠୁଁ ସହରରେ କୋଚିଂ ସେଂଟର, ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ମାନ ଗଢ଼ିଉଠିବା ସହିତ ଗୁରୁତ୍ୱ ବଢ଼ିବାରେ ଲାଗିଛି । ବିଭିନ୍ନ କ୍ୟାମ୍ପସ ଓ ପ୍ୟାକେଜର ଲୋଭ ଦେଖାଇ ଛାତ୍ରୀଛାତ୍ର ମାନଙ୍କ ପାଖରୁ ମୋଟା ଅଙ୍କର ଫିସ୍ ଆଦାୟ କରାଯାଉଛି । ହେଲେ କୋଚିଂ ସେଂଟରରେ ପାଠ ପଢ଼ାଇବା ପାଇଁ ସବୁ ଅଭିଭାବକ ଆର୍ôଥକ ସକ୍ଷମ ନୁହନ୍ତି। ବହୁ ମେଧାବୀ ପିଲା ସରକାରୀ କଲେଜଗୁଡ଼ିକରେ ପାଠ ପଢ଼ି ମଧ୍ୟ ଭଲ ଫଳ ପାଇବାରୁ ବଂଚିତ ହୁଅନ୍ତି। ଏହାଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ସାଧାରଣ ଗରିବ ମଧ୍ୟବିତ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି।
ଶିକ୍ଷାବୀତ ପ୍ରେମାନନ୍ଦ ପଣ୍ଡା କୁହନ୍ତି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସରକାରୀ ଶିକ୍ଷକ ବା ଅଧ୍ୟାପକ ବେସରକାରୀ ଭାବେ ଶିକ୍ଷାଦାନ କରିପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଦେଶନାମା ରହିଛି। ହେଲେ ପଟ୍ଟାମୁଣ୍ଡାଇ ଅଂଚଳରେ ସରକାରୀ ଶିକ୍ଷକ, ଅଧ୍ୟାପକମାନେ ସରକାରୀ ନିୟମର ଖୋଲା ଉଲ୍ଲଂଘନ କରି ବିଭିନ୍ନ କୋଚିଂ ସେଂଟର ଗୁଡ଼ିକରେ ଘଂଟାଏ କିମ୍ବା ୨ଘଂଟା ଲେଖାଏଁ ଶିକ୍ଷାଦାନ କରାଉଛନ୍ତି । ଏଥି ପାଇଁ କୋଚିଂ ସେଂଟରର ମାଲିକ ମାନଙ୍କ ପାଖରୁ ମୋଟାଟଙ୍କା ନେଉଥିବା ଜଣାପଡ଼ିଛି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ନିୟମକାନୁନକୁ ଖୋଲା ଉଲ୍ଲଙ୍ଘନ କରାଯାଇ କୌଣସି ନିରାପତା ବ୍ୟାବସ୍ଥା କରାନଯାଇ ଶତାଧିକ କୋଚିଂ ସେଂଟର ଓ ଟ୍ୟୁଟୋରିଆଲ ଆଦି ଅବାଧରେ ଚାଲିଛି।
ଯୁବନେତା ସତ୍ୟପ୍ରୀୟ ସାମଲ କୁହନ୍ତି ନିକଟ ଅତିତରେ ଗୁଜରାଟର ଏକ ଘରୋଇ କୋଚିଂ ସେଂଟରରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୧୯ ଜଣ ଛାତ୍ରଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ କେତେକ ପ୍ରାଣ ବିକଳରେ ତିନି ଚାରି ମହଲା ଉପରୁ ଡେଇଁପଡିବା ଏବଂ ଆଉ କିଛି ନିଆଁରେ ଜୀବନ୍ତ ଦଗ୍ଧ ହୋଇଯିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆମ ଶାସନ ବ୍ୟବସ୍ଥା ଏହିପରି ଯେ କିଛି ଗୋଟେ ଅଘଟଣ ଘଟିବା ପରେ ବିଭାଗୀୟ ଅଧିକାରୀ ଯାଂଚ ପ୍ରକ୍ରିୟା ଆରମ୍ଭ କରିଦିଅନ୍ତି। ପୁଣି ଦିନ କେତେଟା ଗଡିଗଲେ ସବୁକିଛି ସ୍ଥାଣୁ ହୋଇଯାଏ। ଆଜିକାଲି ଯେଉଁ ଭଡ଼ାଘରଗୁଡିକରେ କୋଚିଂ ସେଂଟର, ଆବାସିକ କଲେଜ୍‌, ହଷ୍ଟେଲ ଆଦି ଚାଲୁଛି ସେଗୁଡ଼ିକ ପ୍ରାୟ ଅସୁରକ୍ଷିତ ଏବଂ ଅଗ୍ନି ନିର୍ବାପନ ବ୍ୟବସ୍ଥା ନାହିଁ। ଗ୍ରୀଷ୍ମଋତୁରେ ସବୁବେଳେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରରେ ଶୀତତାପ ନିୟନ୍ତ୍ରିତ ମେଶିନ୍ ଚାଲୁଛି। ଏହାଦ୍ୱାରା ଶର୍ଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଅଧିକ। ଆଧୁନିକ ବିଲ୍‌ଡିଂ ଡିଜାଇନ୍ ଯେତେ ଆକର୍ଷଣୀୟ ହେଲେ ମଧ୍ୟ ବିପଦମୁକ୍ତ ନୁହେଁ।
ବୃଦ୍ଧିଜିବୀ ରବିନ୍ଦ୍ର ଭଟ୍ଟ କୁହନ୍ତି କୋଚିଂ ସେଂଟରଗୁଡ଼ିକ ଉପରେ ସରକାରଙ୍କ କୌଣସି ଲଗାମ ରହୁନାହିଁ। ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ତଥା ଜିଲା ପ୍ରଶାସନଙ୍କ ପାଖରେ ସେମାନଙ୍କ ଅଂଚଳରେ ଚାଲୁଥିବା ଏହିସବୁ ବେସରକାରୀ କୋଚିଂ ସେଂଟର ତଥ୍ୟ ରହୁନାହିଁ। ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ, କୋଚିଂ ସେଣ୍ଟରଗୁଡ଼ିକ ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ପାରିବେ ନାହିଁ। ସରକାରୀ ନିର୍ଦ୍ଦେଶରେ ସମୀକ୍ଷା କରାନଯାଇ ମନଇଚ୍ଛା ଅଭିଭାବକଙ୍କଠାରୁ ଅର୍ଥ ଆଦାୟ କରି ନାମ ଲେଖାକରୁଛନ୍ତି । ଆଜିକାଲି ଅଭିଭାବକମାନେ ଏପରି କୋଚିଂ ସେଂଟରମୁହାଁ ହୋଇଗଲେଣି ଯେ, କେବଳ ପାଠପଢ଼ାଟିକୁ ଗୁରୁତ୍ୱଦେଇ ତାଙ୍କ ପିଲାମାନଙ୍କର ଅନ୍ୟାନ୍ୟ ମୌଳିକ ସମସ୍ୟା ଉପରେ ଧ୍ୟାନ ଦେଉନାହାନ୍ତି। ଏନେଇ ଡିଇଓ ପ୍ରଦିପ ନାଗ କୁହନ୍ତି ଏହାଉପରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ।


Discover more from

Subscribe now to keep reading and get access to the full archive.

Continue reading