
କେନ୍ଦ୍ରାପଡ଼ା,୨୫ା୧ : କେନ୍ଦ୍ରାପଡା ଜିଲ୍ଲା ସରକାରୀ ଭତ୍ତାଧାରୀ କଳାକାର ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଏକ ୧୭ଦଫା ସମ୍ବଳିତ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରୀ ଭତ୍ତାଧାରୀ କଳାକାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବା ସ୍ୱାମୀଙ୍କୁ ତିନିମାସ ଭିତରେ କଳାକାର ଭତ୍ତା ପ୍ରଦାନ, ମୃତ କଳାକାରଙ୍କ ସ୍ମୃତିସଭା ପାଇଁ ଜିଲ୍ଲା କଳା ସଂସ୍କୃତି ସଙ୍ଘ କିମ୍ବା ଜିଲ୍ଲା ସଂସ୍କୃତି ପରିଷଦକୁ ୨୦ହଜାର ଟଙ୍କା ଦଶ ଦିନ ମଧ୍ୟରେ ପ୍ରଦାନ କରାଯିବା, ପ୍ରତିମାସ ଶେଷ ସପ୍ତାହର ଏକ ନିର୍ଦ୍ଦିଷ୍ଟ ଦିବସରେ କଳାକାରମାନଙ୍କୁ ଭତ୍ତା ପ୍ରଦାନ, ସରକାରୀ ଭତ୍ତାଧାରୀ କଳାକାରଙ୍କ ପାଇଁ ଜିଲ୍ଲା ସ୍ତରରେ ‘ତୁଳସୀକ୍ଷେତ୍ର ମହୋତ୍ସବ’ ନାମରେ ଏକ ଦୁଇ ଦିନିଆ ମହୋତ୍ସବ ପାଳନ କରାଯିବା ସହ ଏଥିନିମନ୍ତେ ୬ଲକ୍ଷ ଟଙ୍କା ଅନୁଦାନ ଯୋଗାଇଦେବା, ୫୦ରୁ ୭୯ବର୍ଷ ବୟସର ପ୍ରତ୍ୟେକ କଳାକାରଙ୍କୁ ମାସିକ ୮ହଜାର ଟଙ୍କା ଓ ୮୦ବର୍ଷରୁ ଅଧିକ ବୟସର କଳାକାରଙ୍କୁ ୧୦ହଜାର ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯିବା, ପ୍ରତି ବ୍ଲକରେ କଳାକାରମାନଙ୍କ ବୈଠକ କରିବା ପାଇଁ ଏକ ବ୍ଲକ ସଂସ୍କୃତି ଭବନ ନିର୍ମାଣ କରାଯିବା, ୨୦୧୮ମସିହାରୁ ରାଜ୍ୟରେ ମାତ୍ର ୫୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ବେଳେ ଅଧିକ ୫୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବା, ଜିଲ୍ଲା ସ୍ତରରେ ସଂଗୀତ, ନୃତ୍ୟ ଓ ବାଦ୍ୟଯନ୍ତ୍ର ପାଇଁ ହେଉଥିବା କଳାକାର ଅଡିସନ୍ରେ ବିଚାରପତି ଭାବେ ଆକାଶବାଣୀ ଓ ଦୂରଦର୍ଶନ ସ୍ୱୀକୃତିପ୍ରାପ୍ତ କଳାକାର ତଥା ସଂଗୀତ ମହାବିଦ୍ୟାଳୟରୁ ବିଶାରଦ ପାସ୍ କରି ପ୍ରମାଣପତ୍ର ହାସଲ କରିଥିବା କଳାକାରଙ୍କୁ ଗ୍ରହଣ କରାଯିବା, ବିଭିନ୍ନ ଜିଲ୍ଲା ସ୍ତରୀୟ ମେଳା ମହୋତ୍ସବରେ ଜିଲ୍ଲାର ଯୋଗ୍ୟ ତଥା ଦକ୍ଷ କଳାକାର ଓ ସେମାନଙ୍କ ଦଳଙ୍କୁ ସୁଯୋଗ ଦେବା, ବିଭିନ୍ନ ସରକାରୀ ପ୍ରଚାରଧର୍ମୀ କାର୍ଯ୍ୟକ୍ରମରେ ଜିଲ୍ଲାର ଦକ୍ଷ କଳାକାରମାନଙ୍କୁ ସୁଯୋଗ ପ୍ରଦାନ, ବି.ପି.ଏଲ.ଭୁକ୍ତ କଳାକାରମାନଙ୍କୁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯିବା, ପ୍ରତି ବ୍ଲକରେ ଥିବା ଦକ୍ଷ ବରିଷ୍ଠ କଳାକାରଙ୍କୁ ବାଛି ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ସମ୍ମାନିତ କରାଯିବା, କେନ୍ଦ୍ର ସରକାରଙ୍କ ଭତ୍ତା ପାଇବା ପାଇଁ ପତ୍ର ପ୍ରାପ୍ତ କରିଥିବା କଳାକାରମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି ଗଗନବିହାରୀ ସିଂହ, ଉପସଭାପତି ବିଧୁଭୂଷଣ ତ୍ରିପାଠୀ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, କୋଷାଧ୍ୟକ୍ଷ ଖଗେଶ୍ୱର ପରିଡା, ଉପଦେଷ୍ଟା କେଦାରନାଥ ସାମନ୍ତରାୟ, ଚିତ୍ତରଞ୍ଜନ ଦାସ, ଗୟାଧର ଧଳ, ସୁଧାଂଶୁ ଶେଖର ରାୟ, ବାବାଜୀ ପଟ୍ଟନାୟକ, ନିରଞ୍ଜନ ପାତ୍ର, ବିଶିକେଶନ ମହାନ୍ତି, ତପନ କୁମାର ମନ୍ତ୍ରୀ ଓ ପରିକ୍ଷୀତ ବିଶ୍ୱାଳ ପ୍ରମୁଖ ଶତାଧିକ କଳାକାର ଉପସ୍ଥିତ ଥିଲେ।










