କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ଉତ୍ସବ

କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ଉତ୍ସବ

କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ଜିଲ୍ଲା ନାଟ୍ୟ-କଳା-ସାହିତ୍ୟ ପରିଷଦ ତରଫରୁ ଆୟୋଜିତ କବିତା ପାଠୋତ୍ସବ, ସମ୍ବର୍ଦ୍ଧନା ପର୍ବ ଓ ନାଟ୍ୟ ଉତ୍ସବ ପରିଷଦର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବି ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କୁ ନେଇ ରତ୍ନାକର ସାହୁଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ନାଟକ “ଆମରି କଥା ଆମରି ନାଟକ” ସମସ୍ତଙ୍କର ମନମୋହିତ କରିଥିଲା । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଯୋଗଦାନ କରି କହିଲେ ଏହି ଅନୁଷ୍ଠାନ ନିଶ୍ଚୟ କେନ୍ଦ୍ରାପଡାର ଅକୁହା କଥାକୁ ଲୋକଲୋଚନକୁ ଆଣିବ । ଅନୁଷ୍ଠିତ ଏହି ଉତ୍ସବରେ ପରିଷଦର ସାଧାରଣ ସମ୍ପାଦକ ବଳରାମ ସାହୁ ବିବରଣୀ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଗବେଷକ ଡଃ ସର୍ବେଶ୍ୱର ସେଣ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ପ୍ରଫେସର ଡ. ବୈଷ୍ଣବ ସାମଲ ନିକଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଥିବାରୁ ମୁଖ୍ୟ ଅତିଥି ଡ. ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ଉତ୍ତରରେ ଡ. ସାମଲ କହିଲେ ଅହଙ୍କାର ଥିବା ବ୍ୟକ୍ତି କେବେ ପ୍ରକୃତ ସାହିତ୍ୟିକ ହୋଇପାରେନା । ଜଣେ କବି କି ନାଟ୍ୟକାର ମା’ର ସ୍ତରକୁ ନଗଲେ କେବେ ସେ ସଫଳତା ଲାଭ କରିପାରିବ ନାହିଁ । ଏହି ଅବସରରେ ନିକଟ ଅତୀତରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବରେ ବିମ୍ବାଧର ମୁଦୁଲି ନିର୍ବାଚିତ ହୋଇଥିବାରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିସହ ରୁଦ୍ରାଣୀ ପବ୍ଲିକ ସ୍କୁଲ ଓ କଳା ବିକାଶ କେନ୍ଦ୍ରର କଳାକାରମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କବି ଅଶୋକ କୁମାର ସାହୁ ଓ କବିତା ମୁଦୁଲିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ରୁଦ୍ରାଣୀ ପବ୍ଲିକ ସ୍କୁଲ ଓ କଳା ବିକାଶ କେନ୍ଦ୍ର ତରଫରୁ ଆବାହନୀ ସଙ୍ଗୀତ ଗାନ କରାଯାଇଥିଲା । ଦୀପକ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ସିଂହ, ବିଧୂଭୂଷଣ ତ୍ରିପାଠୀ, ସୌଭାଗିନୀ ମହାପାତ୍ର, ଅଭୟ କୁମାର ଶତପଥୀ, ସୁଶିଲ ସୂତାର, ବିଷ୍ଣୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, ଇନ୍ଦ୍ରମଣି ପଣ୍ଡା, ବିଶିଷ୍ଟ ସାମ୍ବାଦିକ ଜଗନ୍ନାଥ ଧଳ, ସହଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।