ଶିଳ୍ପ ପାଇଁ ଜମି ହରାଉଥିବା ଚାଷୀଙ୍କ ପ୍ରତିନିଧି, ଜିଲ୍ଲାପାଳଙ୍କ ଆଲୋଚନା



କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ ଅଂଚଳରେ ଶିଳ୍ପ ପାଇଁ ଜମି ହରାଇବାକୁଥିବା ଚାଷୀ ପ୍ରତିନିଧିମାନଙ୍କ ସହ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଛନ୍ତି। ମହାକାଳପଡ଼ା ତହସିଲର ଅଞ୍ଚଳରେ ମିତ୍ତଲ କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଇସ୍ପାତ କାରଖାନା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଇଡ୍‌କୋ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିଲାଗି ଜମି ହରାଇବାକୁ ଥିବା ଚାଷୀମାନଙ୍କ ମଧ୍ୟରେ ଆଶଂକା ପ୍ରକାଶ ପାଇଛି। ଦୀର୍ଘ ଶହେ ବର୍ଷ ଧରି ସେମାନେ ଭୋଗଦଖଲରେ ଥିବା ଜମି ହରାଇବାକୁ ଯାଉଥିବାରୁ ସେମାନଙ୍କର ଅନିଶ୍ଚିତ ଭବିଷ୍ୟତ ଜୀବନ ଜୀବିକା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିଲାଗି ଚାଷୀମାନେ କ୍ଷତିପୂରଣ ଆଶାରେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଛନ୍ତି। ଏହି ମର୍ମରେ ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଡାକରା ପାଇ ଆଜି ଅଖିଳ ଭାରତ କୃଷକ ସଭା ଓ ରାମଚଣ୍ଡୀ କୃଷକ ସଭାର ମିଳିତ ନେତୃତ୍ୱରେ ଚାଷୀ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନାରେ ସମ୍ମିଳିତ ହୋଇଥିଲେ। ଜିଲ୍ଲାପାଳ ଶ୍ରୀ ପ୍ରଧାନ ଚାଷୀ ପ୍ରତିନିଧିମାନଙ୍କ ସମସ୍ତ ଯୁକ୍ତିଯୁକ୍ତ ଦାବି ଶୁଣିବାପରେ ଜମି ହରାଉଥିବା ଚାଷୀମାନଙ୍କୁ ନ୍ୟାୟପୂର୍ଣ୍ଣ ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଆଲୋଚନାରେ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ରାମଚଣ୍ଡୀ କୃଷକସଭା ନେତା କୈଳାସ ଚନ୍ଦ୍ର ସାହୁ, ପ୍ରଶାନ୍ତ ଚୌଧୁରୀ, ସୁବାସ ମହାପାତ୍ର, ହରେକୃଷ୍ଣ ମାଝୀ, ଧୀରେନ୍ଦ୍ର ସାମଲ, ବସନ୍ତ କୁମାର ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading