ସିଂହଗାଁ,ଶ୍ରୀରାମପୁର, ବାଛରା ଡାମରପୁର, ବଳଭଦ୍ରପୁର, ବାଲିପାଟଣା,ତନୁପୁର ବିଛିନ୍ନ

ପଟ୍ଟାମୁଣ୍ଡାଇ ତା ୬/୯-ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ୪ର୍ଥ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛିI ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ ର ସିଂହଗାଁ, କୃଷ୍ଣଦାସପୁର ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି I ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତରପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି, ମଳିକସାହି,ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ, ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛିI ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି Iନିକଟ ଅତୀତରେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଓ ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି I ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି I କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି I ସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି I ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ନୀଳକଣ୍ଠପୁର ଓ ଶାସନ ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି I ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି I ରାଜନଗର ବିଧାୟକ ଧ୍ରୁବ ସାହୁ ଓ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିବା ସହିତ ବନ୍ୟା ମୁକାବିଲା ରେ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି I ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛିI ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବା ବେଳେ ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ର ସଫଳ ମୁକାବିଲା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ କରାଯାଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହିତ ଆବଶ୍ୟକ ଡ଼ଙ୍ଗା, ଗୋଖାଦ୍ୟ, କିରୋସିନ, ବ୍ଲିଚିଙ୍ଗ ଆଦି ସମ୍ପର୍କ ରେ ପଂଚାୟତ ୱାରୀ ତଥ୍ୟ ସଂଗ୍ରହ କରି ରିପୋର୍ଟ ଦେବା ସହିତ ସଦର ମହକୁମା ନଛାଡିବା ପାଇଁ ବିଡ଼ିଓ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ପଟ୍ଟାମୁଣ୍ଡାଇ ବ୍ଲକର ମାଳିପୁର ରାସ୍ତା ବୁଡି ଯାଇ ଥିବାରୁ ଶ୍ରୀରାମପୁର, ଡାମରପୁର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି Iସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ତନୁପୁର ରାସ୍ତା ବୁଡି ଯାଇଥିବାରୁ ବାଲିପାଟଣା, ଖଡ଼ିପାଳ ତନୁପୁର,ନଦିନୀନଗର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି I ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା -ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛିI ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି I ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି I. ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବାରୁ ଦୁର୍ବଳ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି I ଜଳସମ୍ପଦ ବିଭାଗସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ପ୍ରମୁଖ ଦୁର୍ବଳ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି Iପଟ୍ଟାମୁଣ୍ଡାଇ ବ୍ଲକ ବନ୍ୟା ପରିସ୍ଥିତି ଉପରେ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ସତର୍କ ଦୃଷ୍ଟି ରଖିଛନ୍ତି I ଜିଲ୍ଲାପାଳଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ହୋଇପଡିଛି I ବନ୍ୟାବିପନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ପାଇଁ ନିୟମିତ ଡାକ୍ତରୀ ଟିମ ବନ୍ୟାଞ୍ଚଳ ପରିଦର୍ଶନ ସହ ପର୍ଯ୍ୟାପ୍ତ ଔଷଧ, ସାଲାଇନ, ସାପ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି I ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁ ଓ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ ପୌରାଞ୍ଚଳର ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ପୌର କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି I ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତର ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ପୌରାଞ୍ଚଳର ୧୧ଟି ୱାର୍ଡର ୧୧ହଜାର ଲୋକ ବନ୍ୟା ଜଳ ଘେରରେ ରହିଛନ୍ତି I ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି I ରାସ୍ତାଘାଟ ବୁଡି ଯାଇଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି I ସମ୍ପ୍ରତି ବନ୍ୟା ସ୍ଥିତି ଗମ୍ଭୀର ହୋଇଥିଲେ ମଧ୍ୟ ବ୍ରାହ୍ମଣୀ ରେ ବାରମ୍ବାର ବନ୍ୟା ଆସି ପରିବେଶ ଦୂଷିତ ହୋଇ ଚାରିଆଡେ ଝାଡା ବାନ୍ତି, ଥଣ୍ଡା, ଜ୍ୱର ବ୍ୟାପିବାରେ ଲାଗିଛି I ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଳଭା ଠାରେ ବନ୍ୟା ଜଳ ୧୭. ୫ ଫୁଟ ରହିଛି I ସରକାରୀ ଭାବେ ବିପଦ ସଂକେତ ୧୬ ଫୁଟ ରହିଛି I ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପର୍ଯ୍ୟାପ୍ତ ଡ଼ଙ୍ଗା,ଔଷଧ ସାଲାଇନ, ବ୍ଲିଚିଙ୍ଗ, ଗୋଖାଦ୍ୟ କିରୋସିନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି I










