
କେନ୍ଦ୍ରାପଡ଼ା,୧୨ା୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମେଳଣ ଏବଂ ଭସାଣି ନିମନ୍ତେ ଆଜି ମୁନିସିପାଲିଟି ଟାଉନହଲ ଠାରେ ଭସାଣି ଏବଂ ମେଳଣର ଶୃଙ୍ଖଳିତ ଆୟୋଜିତ ନେଇ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ରବିବାର ଦିନ ବିସର୍ଜନ ହୋଇଛି। ୭ଦିନ ଧରି ଚାଲିଥିବା ଏହି ଗଣ ପର୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା। ଦର୍ଶକମାନେ କେବଳ କେନ୍ଦ୍ରାପଡ଼ା ଜିଲାର ନ ଥିଲେ ବରଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସି ସାମିଲ ହୋଇଥିଲେ। ପୂଜା ମଣ୍ଡପ ନିକଟରେ ଦର୍ଶକମାନେ ବେଶ ଭିଡ଼ ଜମାଇ ସେଲଫି ନେବା ସହିତ ବୁଲିବୁଲି ଖାଇବାରେ ବ୍ୟସ୍ତ ଥିଲେ । ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ଅନ୍ୟନ୍ୟ ପୂଜା କମିଟି ପକ୍ଷରୁ ଆୟୋଜିତ ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଭିଡ଼ ପରିଲକ୍ଷିତ ହୋଇଥିଲା। ଏପଟେ ଶାନ୍ତି ଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିବାରୁ ଜିଲାପାଳ ରଘୁରାମ ଆର. ଆୟାର ଜିଲାବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲାପାଳ ଜିଲାବାସୀଙ୍କୁ ଅନୁରୋଧ କରିଥିଲେ ମେଲଣ ଓ ଭଷାଣୀକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ।
କେନ୍ଦ୍ରାପଡ଼ା ପୌରସଦନରେ ରବିବାର ଚାଲିଥିବା ଶାନ୍ତି କମିଟି ବୈଠକର ବାତାବରଣ ଅଶାନ୍ତିରେ ପରିଣତ ହୋଇଛି। ଗଜଲକ୍ଷ୍ମୀ ପୂଜାରେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ପାରିବ ସେ ନେଇ ଜଣେ ସାମ୍ବାଦିକ ପ୍ରଶ୍ନ କରିବା ବେଳେ ଉପଜିଲ୍ଲାପାଳ ଅରୁଣ ନାୟକ ତାଙ୍କୁ ଦୁର୍ବ୍ୟବାର କରିଥିଲେ। ତୁ କିଏ, ତୁ କୋଉ ସାମ୍ବାଦିକ ବୋଲି ପଚାରିଥିଲେ। ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା ଅନ୍ୟ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଓ ରାଜନେତାମାନେ ଉପଜିଲ୍ଲାପାଳଙ୍କୁ ପ୍ରବଳ ବିରୋଧ କରିଥିଲେ। ଏହାକୁ ନେଇ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜିଲ୍ଲାପାଳ ରଘୁରାମ ଆର.ଆୟାର ଓ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ ହସ୍ତକ୍ଷେପ କରିଥିଲେ। କିନ୍ତୁ ସାମ୍ବାଦିକମାନେ ଉପଜିଲ୍ଲାପାଳ ଶ୍ରୀ ନାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଡି ବସିଥିଲେ। ଶେଷରେ ଜିଲ୍ଲାପାଳ ଶ୍ରୀ ଆୟାର କହିଥିଲେ ଉପଜିଲ୍ଲାପାଳଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଏହି ବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଏ ଘଟଣାକୁ ନେଇ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଏହାସହ ଉପଜିଲ୍ଲାପାଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ନିବେଦନ କରିବେ ବୋଲି କହିଥିଲେ। ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ଶାନ୍ତ ହୋଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ,କେନ୍ଦ୍ରାପଡ଼ା ପୌରପାଳିକା ଉପାଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ବିଡ଼ିଓ ଅଭିଷେକ ସ୍ୱାଇଁ, ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ନାରାୟଣ ପ୍ରସାଦ ଗିରି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼ ସମେତ ସମସ୍ତ ପୂଜା କମିଟି ସଭାପତି, ସମ୍ପାଦକ, କର୍ମକର୍ତ୍ତା ଉପସ୍ଥିତ ଥିଲେ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।











