ଅଇନିପଡା – ପଛପଡା ଗାଁ ଉତ୍ସବ ଦ୍ୱିତୀୟ ସନ୍ଧ୍ୟା
ସାମ୍ପ୍ରତିଜ ସମୟରେ ନାରୀମାନେ ବିଭିନ୍ନ କ୍ଷେତ୍ରରେ ନିଜର ସଫଳତା ଓ ପରାକାଷ୍ଠା ପ୍ରଦର୍ଶନ କରି ସାମାଜିକ ବିକାଶର ସୂତ୍ରଧର ପାଲଟି ଯାଇଛନ୍ତି , ନାରୀମାନଙ୍କ ବିକାଶ ବିନା ସମାଜର ସାମଗ୍ରିକ ବିକାଶର ସ୍ବପ୍ନ ଅଧୁରା ରହିବ ବୋଲି ଅଇନିପଡ଼ା ପଛପଡ଼ା ଗାଁ ଉତ୍ସବ ‘ବସୁଧା’ର ପଞ୍ଚଦଶ ସଂସ୍କରଣର ଦ୍ଵିତୀୟ ସନ୍ଧ୍ୟାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି ।
ପଟ୍ଟାମୁଣ୍ଡାଇ, ୨୩/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଇନିପଡ଼ା ପଛପଡ଼ା ଗାଁ ଉତ୍ସବ ‘ବସୁଧା’ର ପଞ୍ଚଦଶ ସଂସ୍କରଣର ଦ୍ଵିତୀୟ ସନ୍ଧ୍ୟା ଅବସରରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜିତ କୁଇଜ ପ୍ରତିଯୋଗିତା ‘ଶକ୍ତି ରୂପେଣ ସଂସ୍ଥିତା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ଦେଶର ବିକାଶରେ ମହିଳାମାନଙ୍କ ଉଲ୍ଲେଖ ନୀୟ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ମନୋଜ୍ଞ କାର୍ଯ୍ୟକ୍ରମରେ ସାହିତ୍ୟିକା ଧରିତ୍ରୀ ପାଣିଗ୍ରାହୀ, ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡ଼ା ଓ ୱାର୍ଡସଭ୍ୟା ପୁଷ୍ପାଞ୍ଜଳି ମହାରଣା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଜୟୀମାନଙ୍କୁ ପୁରସ୍କୃତ କରିଥିଲେ। ଶକ୍ତି ରୁପେଣ ସଂସ୍ଥିତା କାର୍ଯ୍ୟକ୍ରମରେ ଅଇନିପଡା ର ବିନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଚମ୍ପିୟାନ ଟ୍ରଫି ହାସଲ କରିଥିବାବେଳେ ଓମ ନମଃ ଶିବାୟ ଏସ ଏସ ଜି ଗୋଷ୍ଠୀ ସିଦ୍ଧ ମହାପୁରୁଷ ଏସ ଏସ ଜି ଗୋଷ୍ଠୀ ଓ ଅଇନିପଡା – ପଛପଡା ପ୍ରକଳ୍ପ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ୧୦ଜଣ ବ୍ୟକ୍ତିଗତ ଭାବେ ସୁପର କୁଇଜ ବିଜେତା ହୋଇଥିଲେ । ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ କୁଇଜ ପରିଚାଳନା କରିଥିବା ବେଳେ ସହ-ସମ୍ପାଦକ ତପରଂଜନ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ଉପ-ସଭାପତି ଅଭିମନ୍ୟୁ ପଢିହାରୀ ସ୍କୋରର୍ ଦାୟିତ୍ୱ ନିର୍ବାହ କରିଥିଲେ । କୁଇଜ ପରେ ଆଞ୍ଚଳିକ କଳାକାରଙ୍କ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ସାମ୍ବାଦିକ ପବିତ୍ର କୁମାର ପଣ୍ଡା ପ୍ରତିଯୋଗିତା ପରିଚାଳନା କରିଥିବାବେଳେ ଅଭିମନ୍ୟୁ ପଢିହାରୀ ଓ ଅମୃତ ରଞ୍ଜନ ଦାଶ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବସୁଧା ସଭାପତି ରଜନୀକାନ୍ତ ନାଥ, ବସୁଧା ସାହିତ୍ୟ ସଂସଦ ସଭାପତି ରଜନୀକାନ୍ତ ନାୟକ, ସମ୍ପାଦକ ସଞ୍ଜିତ କୁମାର ବେହେରା, ରବୀନ୍ଦ୍ର କୁମାର ପାତ୍ର, ରାଜେନ୍ଦ୍ର କୁମାର ପାଢୀ, ମହେଶ୍ୱର ପାଢ଼ୀ, ପ୍ରଭାକର ତରାଇ, ପ୍ରଭାକର ମହାକୁଳ, ଆର.କେ ଶୁଭକାନ୍ତ, ରୋନିତ୍ କୁମାର ବେହେରା,ମିତ୍ର ପ୍ରକାଶ ସାହୁ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।









