ଓମସାର ସାମ୍ବାଦିକ ସମ୍ମିଳନୀ ,ଡାକ୍ତର ଓ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଦାବି



କେନ୍ଦ୍ରାପଡ଼ା,୧୦ା୧୨: ଓମସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ସଭାପତି କିଶୋର ମିଶ୍ରଙ୍କ ପୈାରହିତ୍ୟରେ ଖଡିଅଙ୍ଗସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡା. ମିଶ୍ର ଓମସା ଡିଏସିପି(ଡାଇନାମିକ ଆସ୍ୟୁରଡ କ୍ୟାରିୟର ପ୍ରୋଗ୍ରେସନ) ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ। ଆସନ୍ତା ଏକ ମାସ ମଧ୍ୟରେ ଯଦି ଏହି ସମସ୍ୟା ସମାଧାନ ନ ହୁଏ ତେବେ ଡାକ୍ତରମାନେ ଡାକ୍ତରଖାନା ଅଚଳ କରିଦେବେ ବୋଲି ଓମସା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଏହାଦ୍ୱାରା ଚାକିରି ସମୟର ୪ ବର୍ଷରେ ଲେବୁଲ ୧୩, ୯ ବର୍ଷରେ ଲେବୁଲ ୧୪, ୧୩ ବର୍ଷରେ ଲେବୁଲ ୧୬ ଓ ୨୦ ବର୍ଷରେ ଲେବୁଲ ୧୭କୁ ପଦନ୍ନୋତି ମିଳିବ। ହେଲେ ଡିଏସିପି ଲାଗୁ ହେଉ ନଥିବାରୁ ଡାକ୍ତରମାନଙ୍କ ପଦନ୍ନେତିରେ ବାଧା ସୃଷ୍ଟି ହେଉଛି। ଦନ୍ତ ଚିକିତ୍ସକମାନଙ୍କ ପାଇଁ ଏହି ଡିଏସିପି ଲାଗୁ ହେଉନାହିଁ। ଏହାଦ୍ୱାରା ସେମାନେ ପଦନ୍ନୋତି ପାଇବାକୁ ସମସ୍ୟାରେ ପଡୁଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଡିଏସିପିରେ ଅନ୍ତର୍ଭୁକ୍ତ କରାଯାଉ । ଡାକ୍ତରଙ୍କ ବଦଳି ନୀତିରେ ସ୍ୱଚ୍ଛତା ରହୁ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା(କେବିକେ)ରେ ୫ ବର୍ଷ ସେବା ଯୋଗାଇବା ପରେ ଡାକ୍ତରଙ୍କୁ ସେଠାରୁ ବଦଳି କରାଯିବ ବୋଲି ନିୟମ ରହିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଫଳରେ ଡାକ୍ତରମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ବାରମ୍ବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଦାବି କଲେ ମଧ୍ୟ ସେମାନଙ୍କ ଦାବି କେହି ଶୁଣୁ ନାହାଁନ୍ତି। ନିୟମିତ ଭାବେ ଡିପିସି (ବିଭାଗୀୟ ପଦନ୍ନୋତି କମିଟି) ବସୁ ନଥିବାରୁ ଡାକ୍ତରମାନେ ପଦନ୍ନୋତିରୁ ବଞ୍ଚିତ ହେଉଛନ୍ତି। ସେହିପରି ପଦନ୍ନୋତିରେ ସ୍ୱଚ୍ଛତା ରହୁନାହିଁ। ମେଡିକାଲ ଅଫିସର ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ କରାଯାଉଛି ଯାହା ଡାକ୍ତରମାନଙ୍କ ମାନସିକତାକୁ ଆଘାତ ଦେଉଛି। ସରକାର ଡାକ୍ତରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି। ଓଡ଼ିଶା ମେଡିକାଲ ଆକ୍ଟକୁ କାର୍ଯ୍ୟକାରୀ କରାଯାଉ। ଏହାର ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଶସ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଉ। ଆଡହକ ଡାକ୍ତରଙ୍କ ଚାକିରୀକୁ ନିୟମିତ କରାଯାଉ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଆର୍ଥିକ କ୍ଷମତା ୧୦ରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଉ। ଡାକ୍ତରୀ ସେବା ନୀତି ନିର୍ଦ୍ଧାରଣ ସମୟରେ ସରକାର ଓମସା ସଭାପତି ଓ ସଂପାଦକ ମତାମତ ଗ୍ରହଣ କରାଯିବାକୁ ଦାବି। ଜାତୀୟ ସ୍ୱାସ୍ଥ୍ୟ ମିଶନରେ ନିଯୁକ୍ତି ଓ ବଦଳି ସମୟରେ ସ୍ୱଚ୍ଛତା ରକ୍ଷା କରାଯିବାକୁ ଦାବି କରିଛି ଓମସା। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ମନୋରଞ୍ଜନ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା.ପ୍ରମୋଦ କୁମାର ପ୍ରହରାଜ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ସଚିଦାନନ୍ଦ ମିଶ୍ର, ଓମସାର ରାଜ୍ୟ ଯୁଗ୍ମ ସଂପାଦକ ଡା.ସଞ୍ଜୀବ କୁମାର ସେଠୀ, କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ସଭାପତି ଡା.ଅଶୋକ କୁମାର କର, ଜିଲ୍ଲା ସଂପାଦକ ଡା.ନିରଞ୍ଜନ କର, ଉପସଭାପତି ଡା.ନିରାକାର ପରିଡ଼ା, ଯୁଗ୍ମ ସଂପାଦକ ଡା.ଅଜୟ କୁମାର ସାହୁଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନେ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading