
ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ବୁଧବାର ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଏହି ଅବିସ୍ମରଣୀୟ ସଫଳତା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଦେଶର କୋଣ ଅନୁକୋଣରୁ ଧନ୍ୟବାଦର ସୁଅ ଛୁଟୁ ଥିବାବେଳେ ଇସ୍ରୋରେ ବୈଜ୍ଞାନିକ ଫ୍ଲାଇଙ୍ଗ ଜୋନ୍ରେ କାର୍ଯ୍ୟ ଭାର ନେଇ ଗତକାଲି ସଫଳ ହୋଇଥିବା ପଟ୍ଟାମୁଣ୍ଡାଇ ଅଂଚଳର ପୁଅ ସୁଶୀଲ କୁମାର ନାୟକଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଯାହା କେନ୍ଦ୍ରାପଡ଼ା ଜିଲ୍ଲା ତଥା ସାରା ଓଡିଶା ପାଇଁ ଗୌରବର ବିଷୟ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବାଲିଆ ଗ୍ରାମର ମୁରଲୀଧର ନାୟକଙ୍କ ବଡ଼ପୁଅ ସୁଶୀଲ । ବାପା ପାରାଦୀପରେ ପୋର୍ଟରେ କାର୍ଯ୍ୟ କରୁଥିବା ବେଳେ ସୁଶୀଲ ସେଠାରେ ସଫଳତା ସହ ମାଟ୍ରିକ୍ ପାସ୍ କଲାପରେ ସୁଶୀଲ ବେସିକ୍ ସାଇନ୍ସ କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତୀର୍ଣ୍ଣ ହୋଇଥିଲେ । ପରେ ସାରଙ୍ଗ ସ୍ଥିତ ଇନ୍ଦିରାଗାନ୍ଧୀ ବୈଷୟିକ ଅନୁଷ୍ଠାନରୁ ମେକାନିକାଲ ଡିଗ୍ରୀ ଇଞ୍ଜିନିୟର ଭାବେ ହାସଲ କରି କର୍ମମୟ ଜୀବନ ଆରମ୍ଭ କରିଥିଲେ । ସୁଯୋଗ ପାଇ ସର୍ବଭାରତୀୟ ସ୍ତରରେ ଇସ୍ରୋ ପକ୍ଷରୁ ଆୟୋଜିତ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲେ । ୨୦୦୯ ମସିହାରୁ ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋ, ଶ୍ରୀହରିକୋଟା ଆନ୍ଧ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ତାଙ୍କର ପ୍ରମୋସନ ହେବା ପରେ ସେ ଚନ୍ଦ୍ରଯାନ ନିର୍ମାଣ କରୁଥିବା ବୈଜ୍ଞାନିକଙ୍କ ଟିମ୍ରେ ସାମିଲ ହୋଇଥିଲେ । ଚନ୍ଦ୍ରଯାନ ୩ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ସୁଶୀଲ ଏହାର ଏକ ସ୍ୱତନ୍ତ୍ର ବିଭାଗର ନେତୃତ୍ୱ ନେଇଥିଲେ । ଏଥିପାଇଁ ଦୀର୍ଘ ୧୧ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ସୁଶିଲ୍ଙ୍କ ସଫଳତା ଖବର ନିଜ ଜନ୍ମମାଟି ପଟ୍ଟାମୁଣ୍ଡାଇ ଚନ୍ଦନଗର ବାଲିଆ ଗାଁ ରେ ପହଁଂଚିବା ପରେ ସମଗ୍ର ଅଂଚଳ ଓ ଗାଁ ପରିବେଶ ଉତ୍ସବମୁଖର ହୋଇପଡିଥିଲା । ଯୁବବୈଜ୍ଞାନିକ ସୁଶୀଲଙ୍କ ଧର୍ମପତ୍ନୀ ଇସ୍ରୋରେ ଡାକ୍ତର ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ସାନ ଭାଇ ଇଞ୍ଜିନିଅ ଅଛନ୍ତି । ସୁଶୀଲ ନିଜର ଦକ୍ଷତା ପ୍ରଦର୍ଶନ କରି ଅଂଚଳ ପାଇଁ ଗୌରବ ଆଣିଛନ୍ତି ।
ପଟ୍ଟାମୁଣ୍ଡାଇ ମାଟିର ସୁଯୋଗ୍ୟ ସନ୍ତାନ ତଥା ଚନ୍ଦ୍ରାୟନ -୩ ଅଭିଯାନର ସଫଳ ନାୟକ ଯୁବବୈଜ୍ଞାନିକ ସୁଶୀଲଙ୍କ ଅନନ୍ୟ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ଭାଜପା ନେତା ଅଜୟ ବେହେରା,ମାଖନ ଦାସ, ସେନ ମହାନ୍ତି,ପ୍ରିୟଙ୍କା ସତପଥି ପହଁଚି ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ସେହିପରି ଇସ୍ରୋ ମୁନ ମିଶନର-୩ରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁର ଶୁଭାଶିଷ ନାୟକଙ୍କ ନିକଟକୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।ସେପଟେ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା ଶୁଭାଶିଷଙ୍କ ବାସଭବନରେରେ ପହଞ୍ଚି ତାଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଖୁସିର ଉତ୍ସବ ପାଳନ କରିଛନ୍ତି ।











