କେନ୍ଦ୍ରାପଡ଼ା,୨୬ା୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଡ଼ଭାଇକୁ କେତେଜଣ ଦୁର୍ବୁତ୍ତ ମାରୁଥିବା ଦେଖି ସାନଭାଇ ପ୍ରତିରୋଧକରିଥିଲେ । ଯାହାର ପରିଣାମସ୍ୱରୂପ ଦୁର୍ବୁତ୍ତମାନେ ତାଙ୍କୁ ଲୁହାରଡ୍ରେ ପିଟିପିଟି ମାରିଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ଯେ କଂସାର ଗ୍ରାମରେ ମୃତ ଉତ୍ତମ ସେଠୀଙ୍କ ବଡ଼ଭାଇ ରମେଶ ସେଠୀଙ୍କ ସହ ତାଙ୍କର ଶଳାଙ୍କ ମଧ୍ୟରେ ପୂବର୍ରୁ ବିବାଦ ଥିଲା । ତାଙ୍କ ଶଳା ନିଜ ଭିଣୋଇ ଘର ଗାଁରେ ଜଣେ ଯୁବତୀଙ୍କୁ ପ୍ରେମବିବାହ କରିବା ଓ ପରେ ବିବାଦ ଉପୁଜିବାରୁ ସେ ଶଳା ଉପରେ ଖପ୍ପା ଥିଲେ । ଉଭୟଙ୍କ ମଧ୍ୟରେ ତିକ୍ତତା ଚାଲିଥିଲା । ଶଳା ତାଙ୍କ ପରିବାର ଲୋକ ରମେଶଙ୍କ ଉପରେ ପ୍ରତିହିଂସା ପରାୟଣ ହୋଇ ରହିଥିଲେ । ସେମାନେ ପ୍ରତିଶୋଧ ନେବାକୁ ମଉକା ଖୋଜୁଥେଲେ । ଯୋଜନା ମୁତାବକ ରମେଶଙ୍କ ଶଳା ଓ କେତେ ଜଣ ଲୋକେ ଏକ ଇଣ୍ଡିକା କାର୍ ଯୋଗ ରମେଶଙ୍କ ଘର ପାଖରେ ଅଗଷ୍ଟ ୨୩ ତାରିଖେର ପହଞ୍ଚି ତାଙ୍କ ସହ ପାଟିଗୋଳ କରିବା ସହିତ ଏକ ଲୁହାରଡ୍ରେ ଅଚାନକ ରେମଶଙ୍କୁ ଆକ୍ରମଣ କରିଥିଲେ । ଏଥିରେ ରମେଶ ଗୁରୁତର ହୋଇପଡ଼ିବା ତଥା ଚିତ୍କାର କରିବାରୁ ସାନଭାଇ ଉତ୍ତମ ସେଠାରେ ପହଞ୍ଚି ବୁଝାବୁଝି କରିବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ଉତ୍ତମଙ୍କ କଥା ନ ଶୁଣି ପାଲଟା ତାଙ୍କ ଉପରେ ଲୁହାରଡ୍ ରେ ପିଟିପିଟି ଧରାଶୟୀ କରିଦେଇଥିଲେ । ପରେ ଉତମ ଅଚେତ ହୋଇପଡ଼ିଥିବା ଦେଖି ଘୋଷାଡ଼ି ଘୋଷାଡ଼ି ତାଙ୍କୁ ବାହାରେ ପକାଇ ଦେଇଥିଲେ । ଉତ୍ତମଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେତେବଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଚିକିତ୍ସାକାରୀ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ତମଙ୍କ ବିଧବା ପତ୍ନୀ ଝିଲିଙ୍କ ଅଭିଯୋଗ ଆଧାରରେ ସଦର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।