ଜମଧର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଳମ୍ବିତ ଉପସ୍ଥିତି ନେଇ ଗ୍ରାମବାସୀଙ୍କ ଅଭିଯୋଗ



କେନ୍ଦ୍ରାପଡ଼ା,୨୨/୭ – କେନ୍ଦ୍ରାପଡ଼ା ଜିଲ୍ଲା ଜମଧର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଦିନ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ଦାଖଲ କରିଛନ୍ତି। ନରେଶ ଜେନାଙ୍କ ନେତୃତ୍ୱରେ ଜମଧର ଗ୍ରାମ ପଞ୍ଚାୟତର ବହୁ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ବିଦ୍ୟାଳୟରେ ଚାଲିଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିୟମିତ ବିଳମ୍ବିତ ଉପସ୍ଥିତି ଯୋଗୁଁ ବିଦ୍ୟାଳୟର ପାଠପଢ଼ା ବ୍ୟାହତ ହେଉଥିବା ବେଳେ କୁନି କୁନି ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ତତ୍ତ୍ୱାବଧାନ ବିନା କିଛି ସମୟ ରହୁଛନ୍ତି। ବିଦ୍ୟାଳୟ ନିକଟରେ ଏକ ପୁଷ୍କରିଣୀ ଥିବାରୁ ପିଲାମାନଙ୍କ ସୁରକ୍ଷାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଉଦ୍ୱେଗ ପ୍ରକାଶ ପାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସ୍ଥାୟୀ ସମାଧାନ ସହ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କୁ ମଧ୍ୟ ଅବଗତ କରାଯାଇଥିବା ବେଳେ ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।


Be the first to comment

Leave a Reply

Your email address will not be published.