ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ଅଦମ୍ୟ ସାହସ, ସେବା ଓ ତ୍ୟାଗ ପାଇଁ ସୁଦର୍ଶନ ଏବଂ ସରୋଜଙ୍କୁ ମିଳିବ ପୁରସ୍କାର



କେନ୍ଦ୍ରାପଡ଼ା, ତା୨୮/୦୮: ଅଦମ୍ୟ ସାହସ ଓ ନିର୍ଭୀକତାର ପରିଚୟ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱର୍ଗତ ସୁଦର୍ଶନ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କୁ ମିଳିବ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ଜାତୀୟ କ୍ରୀଡ଼ା ଦିବସ (ଅଗଷ୍ଟ୨୯) ଅବସରରେ ଲୋକସେବା ଭବନର ନୂତନ କନଭେନ୍‌ସନ୍ ପ୍ରେକ୍ଷାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିବେ । ସ୍ୱର୍ଗତ ସୁଦର୍ଶନ ସ୍ୱାଇଁଙ୍କ ପାଇଁ ଏହି ପୁରସ୍କାର ଗ୍ରହଣ କରିବେ ତାଙ୍କ ପତ୍ନୀ ସୁବାସୀ ସ୍ୱାଇଁ ଏବଂ ସ୍ୱର୍ଗତ ସରୋଜ କୁମାର ଦାସଙ୍କ ପାଇଁ ଗ୍ରହଣ କରିବେ ତାଙ୍କ ପିତା ରଞ୍ଜନ ଦାସ । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମାନପତ୍ର, ସାଲ୍‌, ପୁଷ୍ପଗୁଚ୍ଛ ଓ ଅର୍ଥରାଶି ସହ ଏହି ଦୁଇ ସାହସୀଙ୍କୁ ମରଣୋତର ସମ୍ମାନ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ ସ୍ୱର୍ଗତ ସୁଦର୍ଶନ ସ୍ୱାଇଁଙ୍କ ଘର ରାଜନଗର ବ୍ଲକ୍ ଅନ୍ତର୍ଗତ କେରେଡ଼ାଗଡ଼ର ଏକମାଣିଆ ଗାଁରେ । ଏକମାଣିଆ ଘାଟରେ ନଦୀ ପାର କରିବା ସମୟରେ ଡଙ୍ଗା ଦୁର୍ଘଟଣା ଘଟିଥିଲା । ସେହି ସମୟରେ ୫ଜଣ ଲୋକଙ୍କ ଜୀବନ ସେ ବଂଚାଇଥିଲେ । ମାତ୍ର ଅନ୍ତିମ ଲୋକଙ୍କୁ ବଂଚାଇବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେହିପରି ମହାକାଳପଡ଼ା ବ୍ଲକ୍‌ର ବିଜୟନଗର ଅନ୍ତର୍ଗତ ଶଙ୍ଖପଦା ଗାଁରେ ସ୍ୱର୍ଗତ ସରୋଜ କୁମାର ଦାସଙ୍କ ଘର । ପିକ୍‌ନିକ୍ ପାଇଁ ଏକ ଘରୋଇ ଶିକ୍ଷାନୁଷ୍ଠାନର ପିଲାମାନେ କଂଟିଲୋ ନୀଳମାଧବ ଯାଇଥିଲେ । ମହାନଦୀରେ ବୁଡ଼ିଯାଉଥିବା ସମୟରେ ଏକ ପିଲାର ଜୀବନ ବଂଚାଇଥିଲେ ସତ ମାତ୍ର ପ୍ରାଣ ହରାଇଥିଲେ ଶିକ୍ଷକ ସରୋଜ କୁମାର ଦାସ । କେନ୍ଦ୍ରାପଡ଼ା ଜିଲ୍ଲାର ଏଇ ଦୁଇ ସାହସୀଙ୍କୁ ସେମାନଙ୍କ ଅଦମ୍ୟ ସାହସ, ନିଃସ୍ୱାର୍ଥପର ସେବା ଓ ଆତ୍ମ ବଳିଦାନ ପାଇଁ ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯିବ ।


Next Post

ପଡୋଶୀ ନାଲିବତୀ ଗାଡିରୁ ବଟିକା ଖାଇ ଫେରିଛନ୍ତି ରାଜନଗର ନେତା , ବିଧାୟକ ଟିକେଟ ଆଶାରେ ନେତା ଓ କର୍ମୀ

Mon Aug 28 , 2023
କେନ୍ଦ୍ରାପଡା,୨୮ା୮; ବଦଳିବ କି ରାଜନଗରର ରାଜନୈତିକ ଚିତ୍ର । ଶାସକ ଦଳରେ ଗୋଷ୍ଠୀ କନ୍ଦଳ ସାମାଜିକ ଗଣମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଥିବା କଥାକଟାକଟି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳୀୟ କର୍ମୀ ଓ ନେତାମାନେ ଦୁଇ ଗୋଷ୍ଠୀ ହୋଇ ସୋସିଆଲ […]

KANIKA