ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ, ମୌଳିକ ସୁବିଧାରୁ ବଂଚିତ ପୌରାଂଚଳ ବାସୀ


କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଂଚଳରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମାତ୍ର ଦୀର୍ଘ ବର୍ଷ ଧରି ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ତାହା ଫଳକରେ ସିମିତ ରହିଥିବା ବେଳ ଏବେ ପୌରପରିଷଦ ଗୋଷ୍ଠିଶୌଚାଳୟ ଲୋକାର୍ପଣ କରୁଛି ବୋଲି ବୁଦ୍ଧିଜୀବୀମାନେ ନାପସନ୍ଦ କରିଛନ୍ତି । ଗତ ଚାରିବର୍ଷ ତଳ ସ୍ୱାୟତ ଶାସନ ଦିବସ ଅବଶରରେ ବିଭିନ୍ନ ପ୍ରକଳ୍ପ ଭିତିିପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ଅଧିକାଂଶ କାର୍ଯ୍ୟ ହୋଇନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରର ବିକାଶ ସହିତ ୩୫ ବର୍ଷର ଏହି ପୌରାଂଚଳ ସବୁବେଳେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହେଉଛି ।

                          ବାଇପାସରେ ବାସଷ୍ଟାଣ୍ଡ

ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସହରାଂଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି । ହେଲେ ସହରରେ ଦୀର୍ଘବର୍ଷ ହେଲା ବସ୍‌ଷ୍ଟାଣ୍ଡର ଆବଶ୍ୟକତା ନେଇ ଅଂଚଳବାସୀ ଦାବି କରି ଆସୁଛନ୍ତି । ଏଥିପାଇଁ ରାଜନେତାମାନେ ବାରମ୍ବାର ଭିତିିପ୍ରସ୍ତର ସ୍ଥାପନ କରି ଜନସାଧାରଣଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି । କେବଳ ବସ୍‌ଷ୍ଟାଣ୍ଡ ପାଇଁ ଫଳକ ଲଗା ଚାଲିଛି । ମାତ୍ର ବାଇପାସ୍ ବସ୍‌ଷ୍ଟାଣ୍ଡ ପାଲଟିଛି । ବସ୍‌ଷ୍ଟାଣ୍ଡ ନ ଥିବାରୁ ଲୋକମାନେ ଖରା, ବର୍ଷାରେ ରାସ୍ତା କଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଠିଆ ହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି । ପଟ୍ଟାମୁଣ୍ଡାଇ ଦେଇ ଭଦ୍ରକ, ରାଜକନିକା,ରାଜନଗର, ଆଳି, ତାଳଚୁଆ, ବାବର ପ୍ରଭୃତି ଅଂଚଳରୁ ପ୍ରାୟ ୬୦ ଟି ବସ୍ କଟକ ଓ ଭୁବନେଶ୍ୱର ଚଳାଚଳ କରୁଛି । ହେଲେ ସକାଳ ପ୍ରାୟ ୧୦ଟା ମଧ୍ୟରେ ପଟ୍ଟାମୁଣ୍ଡାଇରୁ ସିଧାସଳଖ କଟକ ଓ ଭୁବନେଶ୍ୱର ଯିବା ପାଇଁ ବସ୍ ମିଳୁନାହିଁ । ୨୦୧୯ ସେପ୍ଟମ୍ବର ୨୯ରେ ତତତ୍କାଳିନ ପଂଚାୟତିରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ବସ୍‌ଷ୍ଟାଣ୍ଡର ଭିତିିପ୍ରସ୍ତର ସ୍ଥାପନ କରିଥିଲେ । ଏହା ଭିତରେ ପ୍ରାୟ ୪ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇନଥିବା ବେଳେ ଗତ ୨୩ ତାରିଖରେ ପୁନଃ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କୁହାଯାଇଛି ।

                                ଗାଈ ଗୋରୁ ଜଗିଛନ୍ତି ଟ୍ରାଫିକ

ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କୁହନ୍ତି ସହରର ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ କର୍ମଚାରୀ ପଦବୀ ପୂରଣ ଅଭାବ ସହ ଭିତିଭୂମିରେ ବହୁ ପଛୁଆ ଅଛି । ଚିକିତ୍ସାଳୟରେ ଡାକ୍ତର ସହ କର୍ମଚାରୀ ପଦବୀ ପୂରଣ ହେଉନାହିଁ । ୩୫ ବର୍ଷର ପରିଷଦ ଯୋଜନା ଦୃଷ୍ଟିରୁ ଏଠାରେ ନିର୍ମାଣ ହୋଇଥିବା ଇକୋ ଶୌଚାଳୟ, ଭେଣ୍ଡିଂ ଜୋନ ଆଦି ଅପ୍ରାସଙ୍ଗିକ ହୋଇପଡିଛି । ସେହିପରି ବାଇପାସ୍ ରୋଡ ନିର୍ମାଣ ବହୁ ବିଳମ୍ବରେ ଆରମ୍ଭ ହେଉଛି । ବିଭିନ୍ନ ପୋଖରୀ, ଗୋବରୀ ନଦୀ ଜବଦଖଳ କାରିଙ୍କ ଅଧିନକୁ ଚାଲିଗଲାଣି । ସହର ଆଲୋକୀକରଣ ସହର ପାଇଁ ଆବଶ୍ୟକ । ସହରରେ ଥିବା ପାର୍କକୁ ଉପଯୋଗୀ କରିବା ସହ ସହରର ସୌନ୍ଦର୍ଯ୍ୟକରଣରେ ଅପ୍ରଶସ୍ଥ ରାସ୍ତା, ବିଦ୍ୟୁତ୍ ଖୁଂଟ ଆଦି ବାଧା ସୃଷ୍ଟି କରୁଛି । ପୌରାଂଚଳରେ ବୁଲା ଗାଇଗୋରୁମାନେ ଇତସ୍ତତ ଭାବେ ଚାରିଆଡେ ବିଚରଣ କରିବା ଦ୍ୱାରା ସହରବାସୀ ଗୁରୁତର ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବା ସହିତ ଯାତାୟାତରେ ଅସୁବିଧା ଭୋଗ କରୁଛନ୍ତି । ପ୍ରଶାସନିକ ସ୍ତରରେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଇ ନାହିଁ । ତୁରନ୍ତ ଏହାର ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ବୋଲି ସେ କହିଛନ୍ତି ।

                          ଲୋପ ପାଇଲାଣି ଜଳସରକ୍ଷଣ ପ୍ରକଳ୍ପ

ଆଇନଜିବୀ ଭବାନୀ ପଣ୍ଡା କୁହନ୍ତି କେନ୍ଦ୍ରାପଡ଼ା ଜିଲା ପାନୀୟ ଜଳ ସଙ୍କଟ ଓ ଜଳ ସଂରକ୍ଷଣ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ବେଳେ ପଟ୍ଟାମୁଣ୍ଡାଇରେ ଏହା ଉତ୍କଟ ହୋଇଛି । ଏନେଇ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ୨୦୨୦ ମାର୍ଚ୍ଚଠାରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ୨୮୫ ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ୩ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ସେହି ଜଳ ଅମଳ ପ୍ରକଳ୍ପଗୁଡ଼ିକର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ । କେବଳ ଫଳକ ଦେବାଲ ଅଛି, ଲେଖା ଲିଭିଗଲାଣି । କେତେକ ଜଳ ଅମଳ ପ୍ରକଳ୍ପଗୁଡ଼ିକ ଏପରେ ରାସ୍ତା ତିଆରି ହୋଇଗଲାଣି । ତେବେ ଜଳ ଅମଳ ପ୍ରକଳ୍ପ ମିଶନ ବାଟବଣା ହୋଇଛି । ଏହି ମିଶନ ଆରମ୍ଭକୁ ଇତିମଧ୍ୟରେ ୩ ବର୍ଷ ପୂରିଛି । ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ କରିବା ବଦଳରେ ଏହା କାଗଜପତ୍ରରେ ସୀମିତ ରହିଥିବା ଦେଖାଯାଉଛି ବୋଲି ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

                        ଜଳସରକ୍ଷଣ ପ୍ରକଳ୍ପ ଉପରେ ରାସ୍ତା

୨୦୧୯ ସ୍ୱାୟତ ଶାସନ ଦିବସରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ । ପଟ୍ଟାମୁଣ୍ଡାଇ ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନର ଶୁଭ ପଡିଥିଲା । ସେହିପରି ୧ କୋଟି ଟଙ୍କା ବ୍ୟୟରେ ବାଲିପଡାଠାରେ ସ୍ମାର୍ଟ ଶ୍ମଶାନ ଗୃହ. ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପେ୍ଲକ୍ସ ଓ ଯଜ୍ଞ ପଡିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା । ଭିତିପ୍ରସ୍ତର ଫଳକରେ ବିଧାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ଥିଲା । କିନ୍ତୁ ୪ ବର୍ଷ ପରେ ଉକ୍ତ ଫଳକ ଭାଙ୍ଗିରୁଜି ଗଲାଣି ପଛେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ । ଯଜ୍ଞ ପଡିଆ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡିରହିଛି । ପ୍ରତିବର୍ଷ ସ୍ୱାୟତ ଶାସନ ଦିବସ ଆସୁଛି ଓ ବ୍ୟବସାୟୀମାନେ ଏହି ପ୍ରକଳ୍ପ କଥା ମନେ ପକାଉଛନ୍ତି ବୋଲି ସେ କହିଛନ୍ତି ।

                           2019 ରେ ହୋଇଥିବା ଶିଳାନ୍ୟାସ

ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ଅଜିତ ପ୍ରାଶାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରାଯାଇଥିଲା ସେଗୁଡିକ ଖୁବ୍‌ଶୀଘ୍ର କାମ ଶେଷ କରାଯିବ ବୋଲି ସେ କହିଛନ୍ତି


Discover more from

Subscribe now to keep reading and get access to the full archive.

Continue reading