ବିଶ୍ୱାସ ନ ହେଲେ ବି ସତ,ଲଣ୍ଡନ-କଲିକତା ବସ୍ ସେବା , ୧୯୫୭ ରେ ଆରମ୍ଭ ହୋଇଥିଲା ୧୯୭୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା


ବିଶ୍ୱାସ ନ ହେଲେ ବି ସତ ଦିନେ ଲଣ୍ଡନରୁ କଲିକତାକୁ ବସ୍ ଚାଲୁଥିଲା ଏବଂ ଯାତ୍ରୀ ମଧ୍ୟ ଯିବା ଆସିବା କରୁଥିଲା । ୧୯୫୭ ମସିହାରେ ଲଣ୍ଡନରୁ କଲିକତାକୁ ଆଲବର୍ଟନାମକ ଏକ ବସ୍ ଚଳାଚଳ ଆରମ୍ଭ କରିଥିଲା । ଇଂଲଣ୍ଡରୁ ବାହାରି ବେଲ୍‌ଜିୟମ୍‌, ଜର୍ମାନୀ, ଅଷ୍ଟ୍ରିଆ, ଯୁଗୋସ୍ଲୋଭିଆ, ତୁର୍କୀ, ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ ଦେଇ ତାହା ଭାରତକୁ ଆସୁଥିଲା । ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେଇଠୁ ପୁଣି ଆଗ୍ରା, ଆହ୍ଲାବାଦ, ବାରାଣାସୀ ଦେଇ କଲିକତାରେ ପହଞ୍ଚୁଥିଲା । ବସ୍‌ଟି ମୋଟ ୨୦ ହଜାର ୩ଶହ ମାଇଲ୍ ବାଟ ଅତିକ୍ରମ କରୁଥିଲା । ଏହାକୁ ବିଶ୍ୱର ଦୀର୍ଘତମ ବସ୍ ଯାତ୍ରା ବୋଲି କୁହାଯାଉଛି ।

ଗତ କିଛିଦିନ ପୂର୍ବେ ସୋସିଆଲ୍ ମିଡିଆରେ ଏହାର ପ୍ରମାଣ ସ୍ୱରୂପ ସେ ସମୟର ବସ୍ ଯାତ୍ରାର କିଛି କଳା ଧଳା ଫଟୋ ପୋଷ୍ଟ୍ କରାଯାଇଥିଲା । ସୋସିଆଲ୍ ମିଡିଆରେ ଲଣ୍ଡନର ଭିକ୍ଟୋରିଆ କୋଚ୍ ଷ୍ଟେସନ୍ ପାଖରେ ଛିଡ଼ା ହୋଇଥିବା ଆଲବର୍ଟ ବସ୍‌ର ଫଟୋ ସମସ୍ତଙ୍କୁ ଚକିତ କରିଛି । ଯେଉଁଥିରେ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ଲେଖା ହୋଇଛି, ‘ଲଣ୍ଡନ-କଲିକତା-ଲଣ୍ଡନ । ପାଖରେ ପାସେଞ୍ଜର ମଧ୍ୟ ଛିଡ଼ା ହୋଇଛନ୍ତି ।

ସେତେବେଳେ ଲଣ୍ଡନରୁ ଭାରତ ଆସିବାକୁ ଆଲବର୍ଟ ବସ୍‌ର ଭଡ଼ା ଥିଲା ଜଣ ପିଛା ୮୫ ପାଉଣ୍ଡ ଷ୍ଟର୍ଲିଙ୍ଗ୍ (ପ୍ରାୟ ୮ ହଜାର ଟଙ୍କା) । ଆଲବର୍ଟ ବସ୍ ପ୍ରଥମ ଥର ପାଇଁ ଲଣ୍ଡନରୁ ୧୫ ଏପ୍ରିଲ ୧୯୫୭ ରେ ବାହାରିଥିଲା ଏବଂ ଦୀର୍ଘ ୪୯ ଦିନର ଯାତ୍ରା ପରେ ଜୁନ୍ ୫ ତାରିଖରେ କଲିକତାରେ ପହଞ୍ଚିଥିଲା । ସତୁରି ଦଶକ ପର୍ଯ୍ୟନ୍ତ ଏହି ବସ୍ ସେବା ଚାଲିଥିବାର କୁହାଯାଉଛି । ୧୯୭୨ ମସିହାରେ ଦୁଇ ଥର ଏବଂ ୧୯୭୩ରେ ଥରେ ଲଣ୍ଡନରୁ କଲିକତାକୁ ଏହି ବସ୍ ଆସିଥିବାର ତଥ୍ୟ ଜଣାପଡ଼ିଛି ।

ସେହି ତଥ୍ୟ ଅନୁସାରେ ଜୁଲାଇ ୨୫ ତାରିଖରେ ଲଣ୍ଡନରୁ ବାହାରିଥିବା ବସ୍ ଅଗଷ୍ଟ ୬ରେ ଇସ୍ତାନ୍‌ବୁଲ, ଅଗଷ୍ଟ ୧୮ରେ ତେହରାନ୍‌, ଅଗଷ୍ଟ ୨୭ରେ କାବୁଲ, ସେପ୍ଟେମ୍ବର ୫ରେ ନୂଆଦିଲ୍ଲୀ ଏବଂ ସେପ୍ଟେମ୍ବର ୧୧ରେ କଲିକତାରେ ପହଞ୍ଚିଥିଲା । ସେହିବର୍ଷ ନଭେମ୍ବର ୧୪ରେ ଲଣ୍ଡନ ଛାଡ଼ିଥିବା ବସ୍‌ଟି ଡିସେମ୍ବର ୩୧ରେ କଲିକତାରେ ପହଞ୍ଚିଥିଲା । ୧୯୭୩ରେ ସେହି ବସ୍ ଏପ୍ରିଲ୍ ୧୭ରେ ଲଣ୍ଡନରୁ ବାହାରି ଜୁନ୍ ୪ ରେ କଲିକତା ପହଞ୍ଚିଥିଲା । ଏଭଳି ଭାବରେ ୧୫ ଥର ଲଣ୍ଡନରୁ କଲିକତାକୁ ଆଲବର୍ଟ ବସ୍ ଯାତାୟତ କରିଥିଲା । ଭାରତ ଦେଇ ଆଲବର୍ଟ ବସ୍ ଚାରି ଥର ଅଷ୍ଟ୍ରେଲିଆର ସିଡ୍‌ନୀ ଯାଇଥିବାର ବିଦେଶୀ ଖବରକାଗଜରୁ ଜଣାପଛି ।

ଏହି ବସ୍‌ରେ ଆସୁଥିବା ପାସେଞ୍ଜରମାନଙ୍କ ପାଇଁ ବାଟରେ କିଣାକିଣି କରିବାର ସୁବିଧା ଦିଆଯାଉଥିଲା । ମୁଖ୍ୟତଃ ନୂଆଦିଲ୍ଲୀ, ତେହରାନ୍‌, ସାଲବର୍ଗ, କାବୁଲ, ଇସ୍ତାନବୁଲ୍ ଏବଂ ଭିଏନାରେ ଲୋକେ ଅଟକି କିଣାକିଣି କରୁଥିଲେ । ଗୋଟେ ପୁରୁଣା ଫଟୋରେ ଯାତ୍ରା ସମୟରେ ବସ୍ ଭିତରେ କେଉଁ କେଉଁ ସୁବିଧା ସୁଯୋଗ ଉପଲବ୍ଧ ଥିଲା ତାହାର ଏକ ତାଲିକା ମଧ୍ୟ ଦିଆଯାଇଛି । ସେ ମଧ୍ୟରେ ରହିଛି ରିଡିଂ ଏବଂ ଡାଇନିଂ ରୁମ୍ (ଲୋୟର ଡେକ୍‌), ଫରୱାର୍ଡ ଅବ୍‌ଜର୍‌ଭେସନ୍ ଲାଉଂଜ୍ (ଅପର୍ ଡେକ୍‌), ପ୍ରତ୍ୟେକଙ୍କ ପାଇଁ ଶୋଇବାର ସ୍ୱତନ୍ତ୍ର ବ୍ୟବସ୍ଥା, ରେଡିଓ ଏବଂ ଟେପ୍ ରେକର୍ଡର ସଙ୍ଗୀତ, ଫ୍ୟାନ୍ ହିଟର୍ (ଗରମ ପାଇଁ) ଇତ୍ୟାଦି । ଯାତ୍ରୀମାନଙ୍କୁ ବସ୍ ଭିତରେ ଯେମିତି ଘର ଭଳି ସୁବିଧା ମିଳିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା ରହିଥିଲା ।

ବାଟରେ ବାରାଣସୀରେ ଗଙ୍ଗା ଦର୍ଶନ ତଥା ଆଗ୍ରାରେ ତାଜମହଲ ଦେଖିବା ପାଇଁ ଯାତ୍ରୀମାନଙ୍କୁ ସୁଯୋଗ ଦିଆଯାଉଥିଲା । ୧୯୭୨ ଏବଂ ୧୯୭୩ ମସିହାର ଟ୍ରିପ୍‌ରେ ଯାତ୍ରୀଙ୍କୁ ବାରାଣସୀରେ ଗଙ୍ଗା, ଶାହାଜାହାନଙ୍କ ପିକକ୍ ଥ୍ରୋନ୍‌, ତାଜ୍‌ମହଲ୍‌, କାସ୍‌ପିଆନ୍ ସାଗର, ଗୋଲ୍‌ଡେନ୍ ହର୍ଣ୍ଣ (ତୁର୍କୀ), ଡ୍ରାକୋମାନ୍ ପାସ୍ (ବୁଲ୍‌ଗେରିଆ), ରାଇନ୍ ଉପତ୍ୟକା (ଜର୍ମାନୀ) ଏବଂ ପାକିସ୍ତାନର ଖାଇବର ପାସ୍ ପର୍ବତମାଳା ବୁଲାଇବାର ଅଫର୍ ଦିଆଯାଇଥିବାର ଜଣାପଡ଼ିଛି । ଏଗାରଟି ଦେଶ ଦେଇ ଯାତାୟତ କରିଥିବା ଏହି ଐତିହାସିକ ବସ୍ ଅଲବର୍ଟ ସେହି ସବୁ ଦେଶମାନଙ୍କ ମଧ୍ୟରେ ସଂହତି ଏବଂ ସଂଯୋଗର ସୂତ୍ର ଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।


Discover more from

Subscribe now to keep reading and get access to the full archive.

Continue reading