କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଅବ୍ୟାହତ ଧାରଣାରେ ସାମିଲ ହେଲେ କେନ୍ଦ୍ରାପଡା ବିଧାୟକ



କେନ୍ଦ୍ରାପଡ଼ା,୧୫ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣା ଆଜି ଏଗାର ଦିନରେ ପହଞ୍ଚିଛି । ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇ ରଖିବାକୁ ଜିଦରେ ଅଟଳ ଥିବା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ଆନ୍ଦୋଳନ ସହ ଅଧିକରୁ ଅଧିକ ଲୋକଙ୍କୁ ଜୋଡିବା ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଧାରଣା ସ୍ଥଳରେ ଆଜି କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ଉପସ୍ଥିତ ହୋଇ କ୍ରିୟାନୁଷ୍ଠାନ କମିଟିର ମେଡିକାଲ କଲେଜ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ । ଏଥିସହିତ ଏସମ୍ପର୍କରେ ଆଗାମୀ ବିଧାନସଭା ବୈଠକରେ ଆଲୋଚନା କରିବା ପାଇଁ ସେ ପ୍ରତିଶୃତି ପ୍ରଦାନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଗଣଧାରଣାରେ ଯୋଗଦେଇ ମେଡିକାଲ କଲେଜ ପ୍ରତିଷ୍ଠା ଦାବିପ୍ରତି ତାଙ୍କ ଦଳର ସମର୍ଥନ ଜଣାଇବା ସହ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ସହ ରହିବାକୁ ଘୋଷଣା କରିଥିଲେ । ସେହିପରି ବିଜେପି ନେତା ତେଜେଶ୍ୱର ପରିଡା ଆନ୍ଦୋଳନରେ ଯୋଗଦେଇ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜ୍ଞାପନ କରି ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ସହ ରହିବାକୁ ଘୋଷଣା କରିଥିଲେ । ସବୁଦିନ ପରି ଧାରଣାସ୍ଥଳରେ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ଆବାହକ ଭାଗୀରଥି ଜେନାଙ୍କ ପରିଚାଳନାରେ ଅନୁଷ୍ଟିତ ପ୍ରତିବାଦ ସଭାରେ କ୍ରିୟାନନୁଷ୍ଠାନ କମିଟି ନେତୃବର୍ଗଙ୍କ ସହ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ଯୁବନେତା ସୁଶାନ୍ତ ମଲିକ, ନାରୀନେତ୍ରୀ ସୁହାନା ବେଗମ, ରବୀନ୍ଦ୍ରନାଥ ରଥ, ଭରତ ଚରଣ ସାହୁ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ନରୋତ୍ତମ ଜେନା, ଶ୍ରୀଧର ମହାନ୍ତି, ଅମର ପ୍ରସାଦ ରାଉତ, ଅମରେନ୍ଦ୍ର ଦାସ, ସୁହାନା ବିବି, ବିଜୟ କେତନ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଅଣଦେଖା କରି ସରକାର ଅଧିକ ଦିନ ରହିପାରିବନି ବୋଲି ଚେତାଇ ଦେଇଥିଲେ । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଅପରାହ୍ନରେ କେନ୍ଦ୍ରାପଡା ବ୍ଲକର ବଗଡା ଠାରେ ଅବସରପ୍ରାପ୍ତ ଶିକ୍ଷକ ସୁବୁଦ୍ଧି ଚରଣ ସାହୁଙ୍କ ସଭାପତିତ୍ୱରେ ଏକ ଜନଚେତନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ରିୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ଆଦିକନ୍ଦ ରାଉଳ, ଗୟାଧର ଧଳ ପ୍ରମୁଖ ଯୋଗଦେଇ ଉପସ୍ଥିତ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ସେମାନଙ୍କର ପୂର୍ଣ୍ଣ ସହଯୋଗ କାମନା କରି ନିବେଦନ କରିଥିଲେ । ଶିକ୍ଷାବିତ ଶ୍ରୀଚରଣ ସାମଲ, ଦିଲ୍ଲିପ ସାହୁ, ମାନସ ପ୍ରଧାନ, ଜ୍ଞାନରଞ୍ଜନ ସାହୁ, ଚିତ୍ତରଞ୍ଜନ ସ୍ୱାଇଁ, ସୈାମେନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସେମାନେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସାହାଯ୍ୟ ଓ ସହଯୋଗ କରିଚାଲିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ଆସନ୍ତା ୧୭ତାରିଖ ଦିନ ଗଣଧାରଣାର ଦାୟୀତ୍ୱ କେନ୍ଦ୍ରାପଡା ବ୍ଲକ ବହନ କରିବ ବୋଲି ଘୋଷଣା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading