
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ । ଅତିତରେ ଏହି ଗୋବରୀ କେନାଲ ଦେଇ ଜଳସେଚନ ଓ ବାଣିଜ୍ୟ କାରବାରର ହେଉଥବା ବେଳେ ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ ଲାଗିଛି । ଫଳରେ ପରିବହନ କଥା ଛାଡନ୍ତୁ ଜଳସେଚନ ଠିକ ଭାବେ ହେଉନଥିବାରୁ ୧୫ ପଂଚାୟତର ଚାଷୀ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ।
ବୁଦ୍ଧିଜିବୀ ବିଜୟ ଦାସ କୁହନ୍ତି , କଟକ ମାଲ ଗୋଦାମକୁ ଜଳ ପଥରେ ମାଲ ପରିବହନର ଏକମାତ୍ର ମାଧ୍ୟମ ଥିଲା ଗୋବରୀ କେନାଲ । ଏହି ଜଳପଥ ଦେଇ ଡଙ୍ଗାରେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ମହାକାଲପଡା ଓ ରାଜନଗର ଅଂଚଳରୁ ଧାନ, ଚାଉଳ, ମୁଗ, ବିରି, ବାଦାମ ପ୍ରଭୃତି ଜଳପଥରେ କଟକ ମାଲ ଗୋଦାମକୁ ଯାଉଥିଲା । ଡଙ୍ଗା ଫେରିବା ବେଳେ ମାଲ ଗୋଦାମରୁ ମଧ୍ୟ ଗୁଡ ବଣା, ଲୁଣ ଭଳି ବିଭିନ୍ନ ଜିନିଷ ଧରି ବ୍ୟବସାୟୀମାନେ ଫେରୁଥିଲେ । ଫଳରେ ଏହି କେନାଲ ମାଧ୍ୟମରେ ଏହି ଅଂଚଳର ଖାଦ୍ୟ ଆବଶ୍ୟକତା ପୂରଣ ହେଉଥିଲା । ଏକଦା ପେଟରୁ ପକେଟ ପ୍ରଯ୍ୟନ୍ତ ପରିବ୍ୟାପ୍ତ ଥିବା ଏହି କେନାଲ ଏବେ ପରିତ୍ୟକ୍ତ । କିଛି ନହେଲେବି ଏହାର ପୁନରୁଦ୍ଧାର ହେଲେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରନ୍ତା ।
ପୁର୍ବତନ ବିଧାୟକ ତାପସ ଦାସ କୁହନ୍ତି , ୧୮୬୬ ମସିହା ନଅଙ୍କ ଦୃର୍ଭିକ୍ଷ ସମୟରେ ଓଡ଼ିଶାର ବିକଳ ଚିତ୍ର ବ୍ରିଟିଶର ମାନଙ୍କୁ ବାଧ୍ୟ କରିଥିଲା ଲୋକ ମାନଙ୍କ ଜୀବନ ଜିବିକା କଥା ଚିନ୍ତା କରିବାକୁ । ଆଉ ସେଇ ବ୍ରିଟିଶର ମାନଙ୍କ ଉଦ୍ୟମରେ ଦୃର୍ଭିକ୍ଷରେ ଅଧିକ ପ୍ରଭାବିତ ହୋଇଥିବା କଟକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଜଳସେଚନ ବ୍ୟବସ୍ଥାକୁ କିଭଳି ସୁଦୁଢ କରାଯାଇ ପାରିବ ସେତେବେଳେ ମାଷ୍ଟର ପ୍ଲାନ କରାଯାଇ ପଟ୍ଟାମୁଣ୍ଡାଇ କେନାଲର ପରିକଳ୍ପନା କରାଯାଇଥିଲା । ୧୮୭୧ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇ ୧ ଲକ୍ଷରୁ ଅଧିକ ହେକ୍ଟର ଚାଷ ଜମିକୁ ଜଳସେଚିତ କରିପାରିଥିଲା । ୧୮୭୮ ମସିହାରେ ଅଳଭା ଠାରୁ ଗଣ୍ଡାକିଆ କେନାଲକୁ ସମ୍ପ୍ରସାରଣ କରାଯାଇଥିଲା ତାର ନାମ ଗୋବରୀ ସଂପ୍ରସାରିତ କେନାଲ ହୋଇଥିଲା । ଏହି ଗୋବରୀ କେନାଲ ବ୍ରାହ୍ମଣୀରୁ ଅଳଭା ଲକ୍ ଦେଇ ଗଣ୍ଡାକିଆ ଗୋବରୀ ମଧ୍ୟ ଦେଇ ପାରାଦୀପକୁ ନୌବାଣିଜ୍ୟ ହେଇଥିଲା । । ବଡ଼ ବଡ଼ ଡ଼ଙ୍ଗା ସାହାଯ୍ୟରେ ଅନ୍ୟ ରାଜ୍ୟକୁ ଝୋଟ ସହ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଓ ବିଭିନ୍ନ ଦ୍ରବ୍ୟ ରପ୍ତାନି ଓ ଆମଦାନୀ ହେଉଥିଲା । ପରବର୍ତୀ ସମୟରେ ଏହି ବାଣିଜ୍ୟ ବ୍ୟବସାୟ ଓଡ଼ିଶାର ଆର୍ôଥନୀତିକୁ ସୃଦୁଢ କରିଥିଲା । ତେବେ ସମୟ ବଦଳିବ ସାଙ୍ଗକୁ ପରିବହନ ଓ ଯାତାୟତ ସରଳ ହେଲା ସ୍ଥଳପଥରେ ଏସବୁ କାରବାର ଓ ଯାତାୟତ ଆରମ୍ଭ ହେବା ପରେ ଏହି କେନାଲ ସେବେଠାରୁ ଆଜି ପର୍ଯ୍ୟନ୍ତ ଜଳସେଚନର ବୃହତ ମାଧ୍ୟମ ପାଲଟରହିିଛି ।
ଶିକ୍ଷାବିତ୍ ପ୍ରଫୁଲ୍ଲ ଦାଶ କୁହନ୍ତି ଏହି ଗୋବରି କେନାଲ ଏବେ ତାହାର ଅସ୍ଥିତ୍ୱ ହରାଇବାକୁ ବସିଛି । ୨୦୧୮ରେ ଉକ୍ତ କେନାଲର ଦୁଇ ପାର୍ଶ୍ୱ ପୋତି ଚଉଡା କମ୍ କରି ଦିଆଗଲା । ପରେ ପରେ ଅଳଭା-ଗଣ୍ଡାକିଆ ଲକ୍କୁ ମଧ୍ୟ ବନ୍ଦ କରି ଦିଆଗଲା । କେନାଲ ବନ୍ଧ ଚଉଡା ଶକ୍ତ କରାଯାଇ ଜଳସେଚନ ଏକମାତ୍ର ବିକଳ୍ପ ଭାବେ ଏହି କେନାଲ ବ୍ୟବହାର ହେଉଛି । ଏବେ ମୁଖ୍ୟ କେନାଲକୁ ପ୍ରତିବର୍ଷ ସଫା ଓ ଖୋଳା ପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି । ମାତ୍ର ଗୋବରୀ ସମ୍ପ୍ରସାରିତ କେନାଲ ସହ ୧୭ଟି ଛୋଟ ଶାଖା କେନାଲ ଓ ୫ଟି ମାଇନର କେନାଲକୁ ସଠୀକ ଜଳ ପ୍ରବେଶ କରି ପାରୁନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାର ଅଧିକାଂଶ ଚାଷଜମି ପଡିଆ ପଡୁଛି ।
ଏହି କେନାଲରେ ୧୩୩ କ୍ୟୁସେକ ଜଳଧାରଣ କରିବା କଥା । ମାତ୍ର ଏବେ ଏହା କମିକମି ଛାଲିଛି । ଏହି ଉତିକଣ ଭେଡା ସମେତ ପଟ୍ଟାମୁଣ୍ଡାଇର ଅନ୍ୟାନ୍ୟ ଭେଡାକୁ ଦୈନିକ ପ୍ରାୟ ୮୦ରୁ ୯୦ କ୍ୟୁସେକ ଜଳ ପ୍ରବାହିତ ହେବା ଆବଶ୍ୟକ ବୋଲି ସହକରୀ ଯନ୍ତ୍ରୀ ପ୍ରଭାତ ସାହୁ କହିଛନ୍ତି । ମାତ୍ର ବର୍ତମାନ ସବୁଦିନ ୪୦ କ୍ୟୁସେକ ପାଣି ଯୋଗାଇବା ଜଳସମ୍ପଦ ବିଭାଗ ପକ୍ଷରେ ସମ୍ଭବ ହେଉନାହିଁ । ତେଣୁ କେଉଁଦିନ ୨୦ କ୍ୟୁସେକ ତ କେଉଁଦିନ ୧୫ କ୍ୟୁସେକ ପାଣି ଛଡ଼ାଯାଉଛି । କେନାଲ ସଙ୍କୁଚିତ ହେବା ଓ କେତେକ ସ୍ଥାନରେ ଅବରୋଧ ଯୋଗୁ ତଳମୁଣ୍ଡରେ ସେତିକି ପରିମାଣର ପାଣି ମଧ୍ୟ ପହିଁଚୁ ନାହିଁ ବୋଲି ଚାଷୀମାନେ ଅଭୀଯୋଗ କରୁଛନ୍ତି ।











