
ଗତ ୭ ବର୍ଷ ତଳୁ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟବହାର ବନ୍ଦ କରାଯାଇଛି। ପ୍ରତ୍ୟକ ସହରକୁ ସ୍ବଚ୍ଛ ଓ ସୁନ୍ଦର ପରିଣତ କରିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ଘୋଷଣା କଡ଼ାଯାଇଛି। ହେଲେ କେନ୍ଦ୍ରାପଡ ଜିଲ୍ଲାରେ ଥିବା ଦୁଇଟି ପୌରପରିଷଦ ଆରମ୍ଭରୁ ଚଢ଼ାଉ ଓ ପଦକ୍ଷେପ ନେଇ ଯେଉଁ ତତ୍ପରତା ଦେଖାଇଥିଲା ତାହା ଆଉ ନାହିଁ। ଏବେ ହାଟ, ବଜାରରେ ଗଦା ଗଦା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ପଡିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା ଆଇନକୁ ଗୁରୁତ୍ୱ ଦେବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିର୍ଦ୍ଦେଶ ଦେବାସହିତ ଏଥିରେ ବ୍ୟତିକ୍ରମ ହେବାରୁ କେନ୍ଦ୍ରାପଡ଼ା ପୌର ପ୍ରଶାସନକୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ଗତ ଦେଢ଼ ବର୍ଷ ପୂର୍ବେ ନୋଟିସ ହୋଇଛି। ଏହାସତ୍ତ୍ୱେ କେନ୍ଦ୍ରାପଡ଼ା ପୌର ପ୍ରଶାସନ ଓ ଜିଲ୍ଲା ଦ୍ଵିତୀୟ ପୌରପରିଷଦ ପଟ୍ଟାମୁଣ୍ଡାଇ ଏହାର ପରିଚାଳନାରେ ପଛରେ ପଡିଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି କେନ୍ଦ୍ରାପଡା ସହର ପାଖ ଗୋବରୀ ନଦୀ ଓ ଗୋବରୀ କେନାଲ ଏବେ ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇ ଜଳପଥ ପୋତି ହେଉଛି। ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି । ୧୫୪ ବର୍ଷର ପୁରୁଣା କେନ୍ଦ୍ରାପଡ଼ା ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଢ଼ଙ୍ଗରେ ହୋଇପାରୁନାହିଁ। ପୂର୍ବରୁ ଗୋବରୀ ନଦୀ ଓ କେନାଲ ଜଳକୁ ସ୍ନାନ ଶୌଚ ଆଦିରେ ବ୍ୟବହାର କରାଯାଉଥିଲା। ଏବେ ଏହି ୨ ଜଳପଥ ଅଳିଆ ଆବର୍ଜନାରେ ଭରିଯାଇଛି। ଘରୋଇ ଅଶୌଚ କାର୍ଯ୍ୟରେ ନଦୀ ଜଳ ବ୍ୟବହାର କରାଯାଉଛି। ମାତ୍ର ଏହି ଜଳ ପ୍ରଦୂଷିତ ହୋଇଥିବାରୁ ସ୍ନାନ କଲେ ଦେହହାତ କୁଣ୍ଡାଇ ହେଉଛି। ବହୁଦିନ ଧରି ଏହି ଜଳ ଉତ୍ସରେ ଚିଙ୍ଗୁଡିଆ ଦଳ ଭରି ରହିଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ ଏହାକୁ ସଫା କରିବାକୁ ବ୍ୟଗ୍ର ନୁହନ୍ତି। ଫଳରେ ବର୍ଷାଦିନେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରାପଡା ସହର ପାଇଁ ସମସ୍ୟା ସୃଷ୍ଟି କରିଛି।
ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ସହର କିଭଳି ସ୍ବଚ୍ଛ ରହିବ ସେ ନେଇ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି। ଏ ନେଇ ସମସ୍ତ ସରକାରୀ ଅଫିସ ପାଚେରିରେ ଚିତ୍ର ଅଙ୍କାଯିବା ସହ ସ୍ଲୋଗାନ ଲେଖି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ୱାର୍ଡରେ ଗଦା ଗଦା ଅଳିଆ ପଡ଼ି ରହିଛି। ପଟ୍ଟାମୁଣ୍ଡାଇ ପୌରଅଞ୍ଚଳ ୱାର୍ଡ ମାନଙ୍କରୁ ବାହାରୁଥିବା ଆବର୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବିଦ୍ୟୁତ୍ ଅଫିସ ନିକଟ ପୋଲ ପାଖ କେନାଲ କଡ଼ରେ ପକାଯାଉଛି। ପରେ ବର୍ଜ୍ୟବସ୍ତୁ କେନାଲ କୁ ଅପରିଷ୍କାର କରିବା ସହ ଭାସି ବିଭିନ୍ନ ସ୍ଥାନରେ ଲାଗିପୂତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି ।ସେହିପରି ଗୋବରୀ ନଦୀ ବର୍ଜ୍ୟବସ୍ତୁରେ ପୋତି ହୋଇ ବର୍ଷ ଦିନେ ଜଳ ନିଷ୍କାସନରେ ବାଧା ଉପୁଯିବା ସହ ବର୍ଷାଦିନେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ପଟ୍ଟାମୁଣ୍ଡାଇ ବଜାର ଡେଲି ମାର୍କେଟ, କଲେଜ ରୋଡ ଓ ରାଧାରମଣ ମଠସାମନା ଭଙ୍ଗା ବାସଷ୍ଟାଣ୍ଡ ନିକଟରେ ବ୍ୟବହାର କରାଯାଇଥିବା କୁଢ଼କୁଢ଼ ପଲିଥିନ ଗ୍ଲାସ ଓ ଥର୍ମୋକୁଲ ଥାଳି, ଗିନା ପଡିଛି। ବଜାରରେ ଏହା ଖୁଲମଖୁଲା ବିକ୍ରି ଓ ବ୍ୟବହାର ମଧ୍ୟ ହେଉଛି। ପୌର ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁଦିନ ପଲିଥିନ୍ ବେପାର ଜମୁଛି। ପରିବେଶ ସୁରକ୍ଷା ଆଇନ ଧାରା ୧୫ ଓ ୧୬/୧୯୮୬ ଅନୁଯାୟୀ ୨୦ ମାଲକ୍ରୋନରୁ କମ୍ ପଲିଥିନ୍ ଆମଦାନୀ, ଗଚ୍ଛିତ ଓ ବିକ୍ରୟ ଅପରାଧ ହୋଇଥିବା ବେଳେ ପ୍ରଦୂଷଣମୁକ୍ତ କରିବାକୁ ପଲିଥିନ ବ୍ୟବହାର ନିଷେଧ ହୋଇଛି ।ଜନସଚେତନତା ପାଇଁ ପୋଷ୍ଟର, ବ୍ୟାନର, କାନ୍ଥଲେଖା ସହ ସ୍କୁଲ, କଲେଜରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ମାତ୍ର ବର୍ଜ୍ୟବସ୍ତୁ ପରିଚାଳନାରେ ପଟ୍ଟାମୁଣ୍ଡାଇ ପୌରପାଳିକା ଫେଲ ମାରିଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ଗିରିଙ୍କୁ ପଚାରିବାରେ ସହରର ସ୍ବଚ୍ଛତା ଦିଗରେ ସର୍ବଦା ପଦକ୍ଷେପ ନିଆଯାଉଛି। ଯଦି ସହରରେ ସ୍ବଚ୍ଛତା ଦିଗରେ ଅବହେଳା ହେଉଛି ସେ ଦିଗରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ସେହିପରି ପ୍ରତ୍ୟକ ଲୋକ ଦିନକୁ ହାରାହାରି ୫୦୦ ଗ୍ରାମର ଜୈବିକ ଓ ଅଜୈବିକ (ପ୍ଲାଷ୍ଟିକ ଆଦି) ବର୍ଜ୍ୟବସ୍ତୁ ୱେଷ୍ଟେଜ କରୁଥିବା ବେଳେ ମାସକୁ ସହରରେ ୭୫ ଏମଟି ବର୍ଜ୍ୟବସ୍ତୁ ନିର୍ଗତ ହେଉଛି। ବର୍ଜ୍ୟବସ୍ତୁ ପରିଚାଳନା ଆଇନ କାର୍ଯ୍ୟକାରୀ ହେଉ ନ ଥିବାରୁ ବହୁ ପାଇଖାନାର ପାଇପ ମୁହଁ ଗୋବରୀ ନଦୀ ଓ କେନାଲକୁ ରହିଛି। ୨୦୧୬ରେ ପ୍ଲାଷ୍ଟିକ ବର୍ଜନ ପାଇଁ ପୌର ପ୍ରଶାସନ ଦ୍ୱୟଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ତେବେ ପ୍ରଶାସନିକ ଅବହେଳା କାରଣରୁ କିଛିଦିନ ପରେ ଏନେଇ ଗୁରୁତ୍ୱ ରହିଲା ନାହିଁ। ଫଳରେ କିଛି ବୁଲା ଗାଈଗୋରୁ ଓ କୁକୁର ଖାଦ୍ୟ ସାମଗ୍ରୀ ସହିତ ପ୍ଲାଷ୍ଟିକକୁ ଗିଳି ଦେଉଛନ୍ତି। ଏହି ପ୍ଲାଷ୍ଟିକ ଜୀବଜନ୍ତୁଙ୍କ ପାକସ୍ଥଳୀକୁ ଯାଇ ବିପଦ ସୃଷ୍ଟି କରୁଛି। ସେହିପରି ପ୍ଲାଷ୍ଟିକ ମାଟିରେ ମିଶି ପାରୁ ନ ଥିବାରୁ ବର୍ଷା ଜଳ ଭୂଗର୍ଭକୁ ଯାଇପାରୁନାହିଁ। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆଗାମୀ ଦିନରେ ଏହା ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଏସମ୍ପର୍କରେ କେନ୍ଦ୍ରାପଡା ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ବିଶ୍ୱାଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରାଯାଇଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ପ୍ରତ୍ୟେକ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯାଇଛି। ଏଥିସହ ବ୍ୟବସାୟୀ ଓ ସହରବାସୀଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଇଁ ସଚେତନତା ସୃଷ୍ଟି କରାଯାଉଛି।










