ଲୁଚିଯିବାକୁ ବସିଲାଣି ଢିଙ୍କି



ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତନ ହେଉଛି । ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେସିନ୍‌ର ବ୍ୟବହାର ବହୁଳ ଭାବରେ ବଢି ଚାଲିଛି । ଆଗକାଳରେ ବ୍ୟବହାର୍ଯ୍ୟ କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି । ତା’ ଭିତରୁ ଢିଙ୍କି ଅନ୍ୟତମ ଅଟେ । ଏକଦା ଢିଙ୍କି ଥିଲା ସବୁ ଗ୍ରାମରେ ଏକ ନିତ୍ୟ ବ୍ୟବହୃତ ପଦାର୍ଥ । ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୂନା ପ୍ରସ୍ତୁତ କରାଯାଏ । ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉ ଥିବା ଖାଦ୍ୟ ଆମ ଚତୁଃପାର୍ଶ୍ୱରୁ ଉଭେଇ ଗଲା । ଆଉ ତହିଁରେ ବ୍ୟବହୃତ ସରଞ୍ଜାମ ସଂଗ୍ରହାଳୟରେ ସ୍ଥାନ ନେଇ ଇତିହାସ ପାଲଟିଗଲା । ଆଉ ଆଗାମୀ ପିଢି ପାଇଁ ଏହା କେବଳ ଗୋଟିଏ କାହାଣୀ ହୋଇ ରହିଗଲା ବୋଲି ପୁରୁଖାଲୋକେ କୁହନ୍ତି ।
ପଟ୍ଟାମୁଣ୍ଡାଇ ଜିଗରଣ ଗ୍ରାମର ପୁରୁଖା ବୃଦ୍ଧା ଦମୟନ୍ତି ବଳ କୁହନ୍ତି ପୂର୍ବ କାଳର ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ । ଆଗକାଳରେ ଢିଙ୍କିର ବହୁଳ ବ୍ୟାବହାର ହେଉଥିଲା । ଓଷାବାରରେ ଭୋଗ ପ୍ରସ୍ତୁତି ନିମନ୍ତେ ଘରେ ଢିଙ୍କିକୁ ପୂଜା କରାଯାଇ ପ୍ରଥମେ ଧାନରୁ ଅରୁଆ ଚାଉଳ ପରେ ଅରୁଆଚାଉଳକୁ ଭିଜାଇ ଢିଙ୍କିରେ ଚୁନା କରାଯାଇ ଭୋଗ ପ୍ରସ୍ତୁତ କରାଯାଉଥିଲା । ସେ ଭୋଗର ସ୍ୱାଦ କିଛି ନିଆରା ଥିଲା । ବର୍ତମାନ ସେ ଯୁଗ ଗଲା କଳ ଯୁଗ ଆସିଲା । ସେଥିରୁ ତିଆରି କାରାଯାଉଥିବା ଖାଦ୍ୟ ଘାସ ଚୋବାଇବା ଭଳି ଲାଗୁଛି ବୋଲି ସେ କହିଥିଲେ ।


ସେହିପରି ଦକ୍ଷୀଣଦିଆ ଗ୍ରାମର ଗୀତାଞଳି ଦାଶ କୁହନ୍ତି ବିଶେଷ କରି ପୂର୍ବକାଳରେ ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ସବୁଠାରୁ ଅଧିକ ଆବଶ୍ୟକତା ଥିଲା । ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ୱାଦ କିଛି ପରିମାଣରେ ରହୁଥିବା ବେଳେ ଏବେ ମିଲରୁ ଆସୁଥିବା ପଲିସ୍ ଚାଉଳରୁ ପ୍ରସ୍ତୁତ ଖଦ୍ୟରେ ଆଉ ସ୍ୱାଦ ରହୁନାହିଁ । ଗତ ଚାରି ଦଶଦି ପୁର୍ବରୁ ଢିଙ୍କି ବ୍ୟବହାର କମି ଧାନକଳ ଆସିଲା । ଧିରେଧିରେ ଧାନକଳ ଗାଁ ଗହଳିରେ କୁଟିଳ ଶିଳ୍ପଭାବେ ହୋଇଚାଲିଲା । ଲୋକମାନଙ୍କୁ ଧାନରୁ ଚାଉଳ କରିବା ପାଇଁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡିଲା ନାହିଁ । ଧାନକଳରେ ଧାନ କୁଟିବା ସିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପପାଇବାକୁ ବସିଲାଣି ।
ସୁଷମା ମହାନ୍ତି କୁହନ୍ତି ଗାଁ ଗହଳିରେ ବସବାସ କରୁଥିବା ମହିଳା ମାନେ ପ୍ରଥମେ ଚୁଲିରେ ଧାନ ଉସାଂଇଁ ତାକୁ ଖରାରେ ଶୁଖାଇବା ପରେ ଢିଙ୍କିରେ କୁଟନ୍ତି । ଢିଙ୍କି କୁଟା ସମୟରେ ମହିଳାମାନେ ଏକାଠି ବସି ଢିଙ୍କି କୁଟା କାର୍ଯ୍ୟ କରିବା ସହିତ ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ଆଳାପ ଆଲୋଚନା ହେବା ଦ୍ୱାରା ମହିଳାମାନଙ୍କ ମଧ୍ୟରେ ନିବିଡତା ବାନ୍ଧିହୋଇ ଯାଉଥିଲା । ଏଥି ସହ ଶାରୀରିକ ବ୍ୟାୟମ ଭାବେ ମଧ୍ୟ ଢିଙ୍କିଟି ମହିଳାମାନଙ୍କୁ ସାହାର୍ଯ୍ୟ କରୁଥିଲା । ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୂନା ପ୍ରସ୍ତୁତ କରାଯାଏ । ଚାଉଳ ଚୁନାରେ ନାନାଦି ପ୍ରକାର ପିଠା ପଣା ଭଳିି ଅନେକ ବ୍ୟଞ୍ଜନ ତିଆରି କରାଯାଉଥିଲା, ଯାହାକି ଖାଇଲା ପରେ ମନ ଭରି ଉଠୁଥିଲା । କିନ୍ତୁ ଏବେ ଆଉ ସେଭଲି ଖାଦ୍ୟ ମିଳିିପାରୁ ନାହିଁ ।
ମହିଳାମାନେ ଢିଙ୍କି ଶାଳରେ ଏକାଠି ହୋଇ ଭାବ ବିନିମୟର ଆଦାନ ପ୍ରଦାନ କରୁଥିବାବେଳେ ଗାଁର ଢିଙ୍କି ଶାଳ ଏକ ମହିଳାମାନଙ୍କ ପାଇଁ ଭାବ ବନିମୟର ଏକ ମାଧ୍ୟମ ପାଲଟିଥିଲା । ଢିଙ୍କି ଦେ ଧମସାଇଲୋ ସମା କୁଟଇ ଧାନ, ଭଳି ବିଭିନ୍ନ ଗୀତ ଏବଂ ଢିଙ୍କି କୁଟା ଢକଢକ ଶଦ୍ଦ ଆଉ ଶୁଣିବାକୁ ମିଲୁନାହିଁ । ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟାଯାଉଥିଲା । ହାତରେ କୁଟା ଯାଉଥିବା ସରଞ୍ଜାମ କଡୁ ବା ପାହୁରାଣି ନାମରେ ଜଣାଶୁଣା । ପରିବର୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରିପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁଁ ସଂସାରରୁ ଅନେକ ଜିନିଷ ହଜି ଯିବାକୁ ବସିଲାଣି । ଗାଁ ଗହଳିର କିଛି ସର୍ବ ପୂରାତନ ପରିବାର ପାଖରେ ଏହି ଢିଙ୍କି ରହିଯାଇଥିବା ବେଳେ ଆଗମୀ ଦିନରେ କେବଳ କାଗଜ ଚିତ୍ରରେ ହିଁ ଦେଖିବାକୁ ମିଳିବ । ଆଗାମୀ ଦିନରେ ପୁରୁଣା ଘରକରଣା ଜିନିଷ ଗୁଡ଼ିକ ଇତିହାସ ହୋଇ ରହିଯିବ ବୋଲି ବହୁ ପୁରୁଖଲୋକ କହିଛନ୍ତି ।


Next Post

ପଟ୍ଟାମୁଣ୍ଡାଇ ସରକାରୀ ଦପ୍ତରରେ କର୍ମଚାରୀ ଅଭାବ

Sat Oct 14 , 2023
ଲୋକାଭିମୁଖୀ ଯୋଜନା ହେଉନି କାର୍ଯ୍ୟକାରୀ ନିରାଶରେ ଫେରିଛନ୍ତି ଜନସାଧାରଣ ସରକାର ପ୍ରଶାସନକୁ ଲୋକାଭିମୁଖୀ କରି ଲୋକମାନଙ୍କ ହିତରେ ବହୁ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ମାତ୍ର ସରକାର ପ୍ରଣୟନ କରୁଥିବା ଯୋଜନାଗୁଡିକ ବାସ୍ତବରେ ତଳ ସ୍ତରରେ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଜନସାଧାରଣ କେତେଦୂର ତାର ଫାଇଦା ପାଇପାରୁଛନ୍ତି ତାର ଅନୁଧ୍ୟାନ କରିବାକୁ କେହି ନାହାଁନ୍ତି । ସରକାରୀ ସ୍ତରରେ ପ୍ରତେକ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁଁ ସରକାରୀ […]

KANIKA