
କେନ୍ଦ୍ରାପଡ଼ା, ୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ୍ଟି ଟେକ୍ନୋଲୋଜି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଡ. ବାସନ୍ତୀ ଶୁକ୍ଳା ବୃତ୍ତି ଓ ନିଯୁକ୍ତି ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ବ୍ରେନ୍ଟି ଟେକ୍ନୋଲୋଜିର ନିର୍ଦ୍ଦେଶକ ଇଂ ସମ୍ବିତ କୁମାର ରାଉତ ତାଙ୍କ ଟିମ୍ ମେମ୍ବରଙ୍କ ଦ୍ୱାରା +୩ ଓ ପି.ଜି. ଶେଷବର୍ଷ (କଳା, ବିଜ୍ଞାନ, ବାଣିଜ୍ୟ) ଛାତ୍ରଛାତ୍ରୀମାନଙ୍କର ଏକ ଲିଖିତ ପରୀକ୍ଷା ଓ ବ୍ୟକ୍ତିତ୍ୱ ଆକଳନ ପରୀକ୍ଷା କରାଇଥିଲେ । ସମୁଦାୟ ୭୬ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାବେଳେ ୨୭ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବ୍ରେନ୍ଟି ଟେକ୍ନୋଲୋଜିରେ ୨ମାସ ପ୍ରଶିକ୍ଷଣ ଦେବାପରେ ଛାତ୍ରଛାତ୍ରୀମାନଙ୍କୁ ଭାରତର ବିଭିନ୍ନ ଆଇଟି କମ୍ପାନୀରେ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଇଂ ରାଉତ ପ୍ରଦାନ କରିଥିଲେ । ଏହି ସଭାରେ ପ୍ରାଧ୍ୟାପିକା ଡ. ରତ୍ନମଞ୍ଜରୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ପୂର୍ବାସା ପ୍ରିୟଦର୍ଶିନୀ, ଅମର ସାହୁ ଓ ପ୍ରାଧ୍ୟାପକ ରଞ୍ଜିତ ଦାସ ସଭାରେ ଉପସ୍ଥିତ ଥିବାବେଳେ ଡ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଗତବର୍ଷ ବ୍ରେନ୍ଟି ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ୪୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶେଷବର୍ଷ ଗଣିତ ସମ୍ମାନରେ ଛାତ୍ର ଅମରେନ୍ଦ୍ର ରାଉତ ବର୍ତ୍ତମାନ ପୁନେରେ ଅବସ୍ଥିତ ପ୍ରମୁଖ କମ୍ପାନୀ ୱିପ୍ରୋରେ କାର୍ଯ୍ୟରତ ଅଛନ୍ତି ।
















