
କେନ୍ଦ୍ରାପଡ଼ା,୩ା୨ : ନିର୍ବାଚନ ଆସିଲେ ଆମ ପ୍ରଶାସନକୁ ଖୋଜାପଡେ ନିର୍ବାଚନ କାମ କରିବାକୁ ବଡବଡ ସୁରକ୍ଷିତ କୋଠା । ଯେଉଁ ଘର ଚାହିଁଁବେ ତାକୁ ନେଇ ପାରିବେ । କୁହାଯାଏ ଏହା ଜାତୀୟ ଆବଶ୍ୟକତା । କେହି ମନା କରିପାରିବେ ନାହିଁ କିମ୍ବା ପ୍ରଶାସନକୁ ବାଧା ଦେଇ ପାରିବେ ନାହିଁଁ । ସେଇ ନ୍ୟାୟରେ ପ୍ରତି ୫ ବର୍ଷରେ ଥରେ ବା ଅଧାରୁ ସଂସଦ କି ବିଧାନସଭା ଭାଙ୍ଗି ଗଲେ, ଯେତେଥର ଆବଶ୍ୟକ ହୁଏ ସେତେଥର ବି ନିଆଯାଇପାରେ ସେହି ସର୍ବସାଧାରଣ କୋଠା । ଏଥିରେ ସାଧାରଣତଃ ବଳି ପଡନ୍ତି ସର୍ବସଧାରଣ ଶିକ୍ଷାନୁଷ୍ଠାନ । କାରଣ ସେଠାରେ ପାଠ ପଢା ଅପେକ୍ଷା ଏଇଟା ହିଁଁ କୁଆଡେ ବେଶି ବଡ ଆବଶ୍ୟକତା । ଏହି ଆବଶ୍ୟକତାକୁ କେଉଁ କଲେଜର ଅଧ୍ୟକ୍ଷ ବାପୁଡା ବା ବାଧାଦେବ । ତାଙ୍କୁ ତ ଘେରିବାକୁ କାହିଁଁ କେତେ ବଡବଡ ଅଧିକାରୀ ମାନେ ଅଛନ୍ତି । ତାଙ୍କ କ୍ଷମତାର ତୋଡବାଡ ଦେଖାଇବାକୁ । ଏଇ ଧାରାରେ ଆମେ ଦେଖି ଆସୁଥିବା କାଳରୁ ବଳି ପଡୁଛି କେନ୍ଦ୍ରାପଡା କଲେଜ ଟି । ବୋଧ ହୁଏ ନିର୍ବାଚନର ଦ୍ୱାହିରେ ଏଥର ବି ଏହା ନିଆଯାଇପାରେ ମାର୍ଚ୍ଚ କି ଏପ୍ରିଲ ମାସରେ ଏବଂ ଶିକ୍ଷାଦାନ କାର୍ଯ୍ୟ ଏଠାରେ ବନ୍ଦହୋଇ ଯାଇପାରେ ସେବେଠାରୁ ନିର୍ବାଚନ ଫଳାଫଳ ଘୋଷଣା ଜୁନ୍ ବା ଜୁଲାଇ ମାସରେ ହେବା ଯାଏଁ । ଏହି ୪/୫ ମାସ ସେଠାରେ ପାଠ ପଢା ଠପ୍ । ଏତାଦୃଶ ନେଇଯିବାଟା ଥରେ ଦୁଇ ଥର ନିଶ୍ଚିତ ଜାତୀୟ ଆବଶ୍ୟକତାର ଯୁକ୍ତି ଯେକୌଣସି ଲୋକର ମନକୁ ପାଇଯିବ । କିନ୍ତୁ ପ୍ରତି ନିର୍ବାଚନରେ ଏପରି ହେଲେ ଏ କଥାଟି କି ପ୍ରକାର ବାର୍ତ୍ତା ଦେବ ? ଅର୍ଥାତ୍ ଆମ ପ୍ରଶାସନ ଏ ପାଇଁ ବିକଳ୍ପ ଭାବରେ ପ୍ରସ୍ତୁତ ହେଉନାହିଁଁ ବରଂ ପରଧନରେ ପୁଅ ବାହାଘର କରୁଛି । ଯଦି ଏପରି ଦରକାର ପଡୁଛି ତେବେ ସେପାଇଁ କ’ଣ ପ୍ରଶାସନ ଯଥେଷ୍ଟ ଆଗରୁ ସଜାଗ ହେବାର କଥା ନୁହେଁ କି ? ବିକଳ୍ପ୍ପ ବ୍ୟବସ୍ଥା କଣ ଅନନ୍ତ କାଳ ଯାଏଁ ହେବ ନାହିଁଁ ? ବିକଳ୍ପ ନହୋଇ ପାରିଲେ ବି ପ୍ରତିଥର କଣ ଅଲଗା ଅଲଗା ଅନୁଷ୍ଟାନର କୋଠା ଓ ତା’ର ପରିସରକୁ ନିଆଯାଇ ପାରନ୍ତାନାହିଁ ? ପୁଣି ନିର୍ବାଚନ କାମରେ ସେହି କୋଠା ମାନଙ୍କର ଓ ତା’ ପରିସରରେ ଯେଉଁ ଭଙ୍ଗା ତୁଟା ହୁଏ, ତାର ଭରଣା ହୁଏ କି ନାହିଁଁ ତାହା କେବଳ ତା’କୁ ନେଉଥିବା ପ୍ରଶାସନ ଓ କ୍ଷତିଗ୍ରସ୍ତ ହେଉଥିବା ଅନୁଷ୍ଟାନହିଁଁ ଜାଣନ୍ତି । ଏତଦ୍ ଭିନ୍ନ ନିର୍ବାଚନ ହେଲେ କଲେଜ୍ ପରିସର ଘୋ ଘା ହୁଏ । ଗାଡି ମଟର ଅବାରିତ ଚାଲେ ଦିନରାତି । କଲେଜ ହତା ବନିଯାଏ ଟ୍ରକ୍ ମାନଙ୍କର ଆଶ୍ରୟ ସ୍ଥଳୀ । ହତା ଭିତରେ ହୁଏ ଦୋକନର ମେଳା । ବହୁ କଷ୍ଟରେ ସରକାରୀ ଅର୍ଥ ସହ ଛାତ୍ରଛାତ୍ରୀଙ୍କର ଅର୍ଥରେ ନିର୍ମାଣ ହୋଇଥିବା ରାସ୍ତା ଘାଟ ଭାଙ୍ଗି ତୁଟି ନାରଖାର ହୁଏ ଓ ସାରା ପରିସର ଅଳିଆ ଆବର୍ଜ୍ଜନାରେ ଭରପୁର ହୋଇଯାଏ । ବାହାଘର ପରେ ବେଦିମୁହଁ ପୋଡିଲା ପରି ନିର୍ବାଚନ ପରେ ୟାକୁ ସଜାଡିବା ଓ ସଫା କରିବାର ଦାୟିତ୍ୱ ରହିଯାଏ କେବଳ ସେହି କଲେଜର । ଯାହା ବି ଭରଣା ହୁଏ ଓ ସଫା କରାଯାଏ ତାହା ନାମକୁ ମାତ୍ର ଓ ସମୁଦ୍ରକୁ ଶଙ୍ଖେପରି । ପୂର୍ବରୁ ଏହି କଲେଜ୍ ଥିଲା ଏକ ସାଧାରଣ ଡିଗ୍ରୀ କଲେଜ୍ ଏବେ ତାହା ଏକା ସଙ୍ଗେ ଯୁକ୍ତ ୨ ସହ ସ୍ୱୟଂଶାସିତ ଡିଗ୍ରୀ ଓ ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ । ସ୍ୱୟଂଶାସିତ ସହ ପି.ଜି. ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହାର ପରୀକ୍ଷା ପ୍ରଣାଳୀ ଭିନ୍ନ ଏବଂ ଏହା ମୁଖ୍ୟତଃ କଲେଜ୍ର ଦାୟିତ୍ୱ । ସେହି ଯୋଗୁଁ ଏହା ସବୁ ନିଶ୍ଚିତ ଭାବରେ ନାହିଁ ନଥିବା ଭାବରେ କ୍ଷତିଗ୍ରସ୍ତ ହେବ । ଏ ବିଷୟରେ କଲେଜ୍ ପ୍ରଶାସନର ମତାମତ ନିଆଯାଏ କି ନାହିଁ ତାହା କେବଳ ସେହି ଉଭୟ ପକ୍ଷ ଜାଣନ୍ତି । ଏହାଛଡା ଏ କଲେଜର ସ୍ୱୟଂଶାସନ ଏବଂ ନାକ୍ ମାନ୍ୟତା ନବୀକରଣ ବିଳମ୍ବିତ ହୋଇ ସାରିଛି । ଏହି ନିର୍ବାଚନୀ ଅଧିଗ୍ରହଣ ଯଦି ହୁଏ ତାହା ସେ କାମକୁ ମଧ୍ୟ ଅଧିକ ବିଳମ୍ବିତ କରିବ । ଏତଦ୍ ଭିନ୍ନ ଆମେ ଦେଖୁ କେନ୍ଦ୍ରାପଡା କଲେଜ ପଡିଆ କେତେବେଳେ ସ୍ୱାଧୀନତା ଦିବସ ତ କେତେବେଳେ ସାଧାରଣତନ୍ତ୍ର ଦିବସ ବା ଅନ୍ୟ କେଉଁ ଦିବସ ବା କେତେବେଳେ କେଉଁ ମେଳା ବା ଖେଳା ହେଲାଣି । ମନେ ହୁଏ ଏହି ଶିକ୍ଷାନୁଷ୍ଟାନକୁ କଲେଜ୍ ପ୍ରଶାସନ ନୁହେଁ ବାହର ପ୍ରଶାସନ ଚଳାଏ । ଶିକ୍ଷାନୁଷ୍ଠାନକୁ ଏତାଦୃଶ ଅସଂପୃକ୍ତ ବାହର ପ୍ରଶାସନ ଚଳାଇଲେ ତାର ଭାଗ୍ୟ କ’ଣ ହେବ ? ଯଦି ବିଶ୍ୱ ବିଦ୍ୟାଳୟ ମାନଙ୍କୁ ପ୍ରାୟତଃ ବାଦ୍ ଦିଆଯାଇପାରୁଛି ଏବଂ ସେଠାରେ ସେ ସମୟରେ ଶିକ୍ଷାଦାନ ହୋଇପାରୁଛି ତେବେ ଗାଁ ଗଣ୍ଡାର ସାଧାରଣ ମଣିଷର ପିଲା ପଢୁଥିବା ଏ ଶିକ୍ଷାନୁଷ୍ଠାନର ଶିକ୍ଷା ବ୍ୟବସ୍ଥାକୁ ବିପନ୍ନ କରିବା ଓ ସେମାନଙ୍କ ଦେୟ ଅର୍ଥରେ ନିର୍ମିତ ଏହାର ଭିର୍ତ୍ତିଭୂମିକୁ ଏପରି ନାରଖାର କରିବା କେଉଁ ପ୍ରକାର ନ୍ୟାୟରେ ଯିବ ? ବିଳମ୍ବରେ ହେଲେବି ଏହାର ବିକଳ୍ପ ବ୍ୟବସ୍ଥା ହେଉ ଏବଂ କଲେଜକୁ ଏତାଦୃଶ ଅଧିଗ୍ରହଣରୁ ମୁକ୍ତି ଦିଆଯାଉ । ଆମ ଶାସନ, ପ୍ରଶାସନ ଓ କଲେଜ୍ ପ୍ରଶାସନ ବି ଏଥିରେ ସଜାଗ ହୋଇ ଏହା ଯେପରି ବାରବାର ନଘଟେ ତା’ର ବ୍ୟବସ୍ଥା ହେଉ । ଗରିବ ମଣିଷର ପଢୁଥିବା ପିଲାଙ୍କର ସ୍ୱାର୍ଥରକ୍ଷା କରାଯାଉ ବୋଲି ପ୍ରଫେସର ନନ୍ଦ କିଶୋର ପରିଡା, ପ୍ରଫେସର ବିନ୍ଦୁମିତ୍ର ବଳ, ପ୍ରଫେସର ଡ. ଗିରିଶ କୁମାର ପାତ୍ର, ପ୍ରଫେସର ତପନ କୁମାର ପତି, ଚିତ୍ତରଞ୍ଜନ ଦାସ, ପରମାନନ୍ଦ ମହାରଣା, ବିଶ୍ୱଜିତ ଦାସ, ଅଦୈତ ସେଠୀ, ପ୍ରତାପ ମହାନ୍ତି, ପ୍ରଦୀପ ସାହୁ ପ୍ରମୁଖ ଶିକ୍ଷାବୀତ ଓ ପୁରାତନ ଛାତ୍ରମାନେ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି ।










