ଏମ ଏନ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବୀରେ ଗଣଧାରଣା,୩ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପରେ ପ୍ରତ୍ୟାହୃତ


କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୌରବମୟ ଶିକ୍ଷାନୁଷ୍ଠାନ ତଥା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଏହି ଗୌରବମୟ ଶିକ୍ଷାନୁଷ୍ଠାନକୁ ସେଂଟର ଅଫ ଏକ୍ସଲେନ୍ସ ଘୋଷଣା କରିବା ସହିତ ୫ଟି କାର୍ଯ୍ୟକ୍ରମରେ ରୂପାନ୍ତକରଣ କରିଥିଲେ ମଧ୍ୟ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାରେ ପ୍ରଧାନ ଅନ୍ତରାୟ ହୋଇଛି । ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବୀ କରି ବିଫଳ ହେବା ପରେ ଜୁଲାଇ ୧୨ ତାରିଖରେ ଆନ୍ଦୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରି ଜିଲ୍ଲା ଶିକ୍ଷାଧିକାରୀ ସମେତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ଗତକାଲି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ଗଣଶିକ୍ଷାମନ୍ତୀ ସୁଦାମ ମାର୍ଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶରେ ଗତକାଲି ଜିଲ୍ଲାଶିକ୍ଷାଧିକାରୀ ଏମ ଏନ ହାଇସ୍କୁଲରେ ଶିକ୍ଷାଦାନ ପାଇଁ ୩ଜଣ ଶିକ୍ଷକ ନିଯୁକ୍ତି ଦେଇଥିଲେ । ମାତ୍ର ଏ ସମ୍ପର୍କରେ କୌଣସି ସୂଚନା ନଥିବାରୁ ଆଜି ପୂର୍ବନିର୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦାବୀ କରି ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ସଂଘ ପକ୍ଷରୁ ଏମ ଏନ ହାଇସ୍କୁଲ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଅଭିଭାବକ ସଂଘ ସଭାପତି ଗୋପୀନାଥ ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଗଣଧାରଣା ଓ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପୂର୍ବତନ ବ୍ଲକ ଅଧକ୍ଷ ନିଶିକାନ୍ତ ପ୍ରଧାନ, ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡା, ଓକିଲ ସଂଘ ସଭାପତି ତପନ ମିଶ୍ର, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନ ସିଲର ଗୋପୀବଲ୍ଲଭ ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ତପନ ଦାଶ, ପୂର୍ବତନ ସରପଂଚ ସଂଘ ସଭାପତି ବୀରକିଶୋର ଦାସ, ଦଳିତ ସଂଘ ସଭାପତି କଳ୍ପତରୁ ମଲିକ, ଇଂ ତପନ ପାତ୍ର, ସମାଜସେବୀ ନୃସିଂହ ପ୍ରସାଦ ଚୌଧୁରୀ, କାଉନସିଲର ମଳୟ ଓଝା, ପୂର୍ବତନ ସରପଂଚ ପ୍ରଭାତ ପ୍ରଧାନ, ଯୁବନେତା ମନୋଜ ନାୟକ, ଶ୍ରମିକନେତା ବ୍ରଜବନ୍ଧୁ ଦାଶ, ଅଭିଭାବକ ସଂଘ ଉପସଭାନେତ୍ରୀ ଇତିଶ୍ରୀ ଦାଶ ଓ ସୌଦାମିନୀ ବେହେରା, ସମ୍ପାଦକ ବିଦ୍ୟାଭୂଷଣ ଦାଶ, କୋଷାଧକ୍ଷ ସଞ୍ଜୟ ବର୍ମା, ଦେବାଶିଷ ପ୍ରଧାନ, ଚନ୍ଦନ ପାତ୍ର, ରାଜେନ୍ଦ୍ର ଦାଶ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ସଂଗଠନ ସଦସ୍ୟ ଯୋଗ ଦେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଏମଏନ ହାଇସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଗୌରବମୟ ଶିକ୍ଷାନୁଷ୍ଠାନର ଗାରିମା ବଜାୟ ରଖିବା ପାଇଁ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଦାବୀ କରିଥିଲେ । ଜିଲ୍ଲାଶିକ୍ଷାଧିକାରୀଙ୍କ ନିର୍ଦେଶରେ ତାଙ୍କ ପ୍ରତିନିଧି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା, ବି.ଆର.ସ.ିସି ଚନ୍ଦ୍ରଶେଖର ତ୍ରିପାଠୀ, ସିଆରସିସି ପ୍ରଦୀପ ତରାଇ, ବିଶ୍ୱରଞ୍ଜନ ଦାଶ, ଅନ୍ତର୍ଯ୍ୟାମୀ ବେଜ ଓ ଦିଲ୍ଲୀପ ପଢ଼ିଆରୀ ପ୍ରମୁଖ ଘଣଧାରଣା ସ୍ଥଳରେ ପହଂଚି ଆନ୍ଦୋଳନରତ ବିଭିନ୍ନ ସଂଗଠନ ସହିତ ଆଲୋଚନା କରି ଜିଲ୍ଲାପାଳଙ୍କ ନିର୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ଗତକାଲି ଏମ ଏନ ହାଇସ୍କୁଲରେ ୩ ଶିକ୍ଷକ ନିଯୁକ୍ତି ଦେଇଥିବା ଜଣାଇବା ସହିତ ପ୍ରଧାନଶିକ୍ଷକ ସମେତ ଖୁବଶୀଘ୍ର ଅନ୍ୟାନ୍ୟ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ଜଣାଇଥିଲେ । ମାତ୍ର ଆନ୍ଦୋଳନକାରୀମାନେ ଜିଦରେ ଅଟଳ ରହିବାରୁ ବ୍ଲକ ଶିକ୍ଷାଧିକାରୀ ଶ୍ରୀବେହେରା ଆନ୍ଦୋଳନକାରୀଙ୍କ ସହିତ ଜିଲ୍ଲାଶିକ୍ଷାଧିକାରୀଙ୍କ ଟେଲିଫୋନ ଯୋଗେ କଥାବାର୍ତା କରିବା ସହିତ ଗତକାଲି ନିଯୁକ୍ତି ପାଇଥିବା ୩ ଶିକ୍ଷକଙ୍କ ନିଯୁକ୍ତିପତ୍ର ଦେବା ସହିତ ଅନ୍ୟାନ୍ୟ ଶିକ୍ଷକ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଶୃତି ଅନୁଯାୟୀ ଆବଶ୍ୟକ ଶିକ୍ଷକ ଅବିଳମ୍ବେ ନିଯୁକ୍ତି ନଦେଲେ ପୁନରାୟ ଆନ୍ଦୋଳନ କରାଯିବ ବୋଲି ସ୍କୁଲ ପରିଚାଳନା କମିଟି, ଅଭିଭାବକ ସଂଘ ଚେତାବନୀ ଦେଇଛି ।


Discover more from

Subscribe now to keep reading and get access to the full archive.

Continue reading