
ଭାରତରେ ଏବେ ସାଧାରଣ ନିର୍ବାଚନ ଲାଗି ବିଗୁଲ ବାଜି ସାରିଛି । ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ । ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳୁଛି ତାହାକୁ ଯଦି ଜନସାଧାରଣ ସହଜରେ ବୁଝିପାରିଥାଆନ୍ତେ , ଅର୍ଥନୀତି ଭଳି ଜଟିଳ ପ୍ରସଙ୍ଗକୁ ବୁଝିପାରୁ ନ ଥିବାରୁ ରାଜନୈତିକ ଦଳ ଓ ନେତାମାନେ ସେମାନଙ୍କୁ ଭକୁଆ କରି ରଖୁଛନ୍ତି । ସମାଜର ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାରୀ ତହବିଲରେ ଅର୍ଥ ପର୍ଯ୍ୟାପ୍ତ ନ ଥିଲା ବେଳେ ମାଗଣା ଘୋଷଣା କିଭଳି ଫଳବତୀ ହୋଇପାରିବ, ସେ ସଂକ୍ରାନ୍ତ ପ୍ରଶ୍ନ କୌଣସି ଭୋଟର ପଚାରୁଥିବା ଲକ୍ଷ୍ୟ କରାଯାଉ ନାହିଁ ।
କେନ୍ଦ୍ରରେ ଭାଜପା ସରକାରଙ୍କ ବିଗତ ୧୦ ବର୍ଷର ଶାସନକୁ ଦେଖିଲେ ଏ ଦେଶରେ କେବଳ ଏକ ପ୍ରଚାରସର୍ବସ୍ୱ ବାତାବରଣ ସୃଷ୍ଟି କରାଯାଇଥିବା କୁହାଯାଉଛି । ୨୦୨୪ ନିର୍ବାଚନ ପାଇଁ ଦଳର ବିଜ୍ଞାପନ ସ୍ଲୋଗାନ ରହିଛି ’ମୋଦି କୀ ଗ୍ୟାରେଣ୍ଟି’ ବା ମୋଦିଙ୍କ ପ୍ରତିଶ୍ରୁତି । ଏହି ପ୍ରତିଶ୍ରୁତି ହେଉଛି ଦେଶର ଗରିବ ଜନସାଧାରଣଙ୍କୁ ୫ ବର୍ଷ ପାଇଁ ମାଗଣା ଚାଉଳ ଯୋଗାଣ ଓ ବିକଶିତ ଭାରତର ସ୍ୱପ୍ନ । ପ୍ରଥମ ପାଳି ୨୦୧୪ କ୍ଷମତାକୁ ଆସିବା ସମୟରେ ସ୍ଲୋଗାନ ଥିଲା ‘ଅଛେ ଦିନ୍ ଆୟେଗା’ । ବିଦେଶରେ ରହିଥିବା ଦେଶର ବିପୁଳ କଳାଟଙ୍କା ଦେଶକୁ ଫେରିବ । ଏହା ଗରିବ ଜନସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏ ଗ୍ୟାରେଣ୍ଟି ଥିଲା ଭାଜପାର । ତେବେ ୧୦ ବର୍ଷ ପରେ ମଧ୍ୟ ଦେଶବାସୀ ଏହାର ଉତ୍ତର ପାଇପାରିଲେ ନାହିଁ । ଖାଉଟି ବଜାର ଅନିୟନ୍ତ୍ରିତ ଅବସ୍ଥାରେ ରହିଛି । ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ଦୁର୍ବିଷହ ଅବସ୍ଥାରେ ରହିଛନ୍ତି । ପ୍ରଥମ ପାଳିରେ ୨୦୧୬ ନଭେମ୍ବରରେ ଦେଶରେ ବିମୁଦ୍ରୀକରଣ କରାଯିବା ସମୟରେ କଳାଟଙ୍କା ହ୍ରାସ ପାଇ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି କୁହାଗଲା । କିନ୍ତୁ ଦେଖାଗଲା କୌଣସିଟି ଠିକ୍ ହେଲା ନାହିଁ । ବରଂ ସରକାରଙ୍କ ସେହି ପାଳିରେ ୨୦୧୯ ଫେବୃଆରୀରେ ଭାରତୀୟ ସେନାଙ୍କୁ ନେଇ ଯାଉଥିବା ଜମ୍ମୁ-ଶ୍ରୀନଗର ରାଜପଥର ପୁଲୱାମା ନିକଟରେ ଆତଙ୍କବାଦୀ ବିସ୍ଫୋରଣରେ ୪୦ ଜଣ ସିଆର୍ପିଏଫ ଯବାନ ପ୍ରାଣ ହରାଇଥିଲେ । ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସ୍ଥିତ ସେନା ବ୍ରିଗେଡ ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ୧୯ ଜଣ ଭାରତୀୟ ସେନା ନିହତ ହୋଇଥିଲେ । ସେହି ମାସରେ ଭାରତୀୟ ସେନା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ଏହାର ପର ନିର୍ବାଚନ ୨୦୧୯ ମସିହା ବେଳକୁ ଭାରତୀୟ ଜନତା ପାର୍ଟିର ସ୍ଲୋଗାନ ହେଲା ‘ଫିର ଏକ ବାର ମୋଦି ସରକାର’ । ସଦ୍ୟ ପୁଲ୍ୱମା ଆକ୍ରମଣ ଓ ଉରି ଆକ୍ରମଣ ପରବର୍ତ୍ତୀ ସର୍ଜିକାଲ ଷ୍ଟ୍ରାଇକରୁ ଫାଇଦା ନେଇ ଭାଜପା ନିଜକୁ ରାଷ୍ଟ୍ରଭକ୍ତ ଦଳ ଭାବେ ଉପସ୍ଥାପିତ କରି ପୁଣି ଥରେ ମୋଦି ସରକାରଙ୍କୁ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲା ଏବଂ ଏଥିରେ ସଫଳ ହୋଇଥିଲା । ଏହି ସମୟ ବେଳକୁ ଦଳ ଅଛେ ଦିନ୍ ସ୍ଲୋଗାନ ଭୁଲି ଯାଇଥିଲା ।
ଏହି ସରକାର ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରି ସମଗ୍ର ଅର୍ଥନୀତିକୁ ପଙ୍ଗୁ କରିଦେଇଛି । ଏହାର ସବୁଠାରୁ ଖରାପ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିଛି । ଭୁଲ ଅର୍ଥନୈତିକ ନୀତି ସମଗ୍ର ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥାଏ । ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦେଶ ସମ୍ମୁଖୀନ ହେଉଥିବା ବାସ୍ତବ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଲୋକଙ୍କୁ ନିମ୍ନ ସ୍ତରର ସୁବିଧା ଯାଚି ଦୀର୍ଘ ସମୟ ଶାସନ ଗାଦିରେ ବସିବାକୁ ଉଚିତ ମଣୁଛନ୍ତି । କେଉଁ କାରଣ ଯୋଗୁ ଗାଁଠୁ ସହରଯାଏ ଶାଖା ମେଲିଥିବା ବୃହତ୍ ଡାକ ସଂସ୍ଥା କ୍ଷତିରେ ପଡ଼ିଲା, ତାହା ଉପରେ ଅନୁଧ୍ୟାନ କରାଯାଉ ନାହିଁ । ଦେଶର ଆର୍ଥୀକ ମେରୁଦଣ୍ଡ ସବଳ ନ ହେଲେ ସାମାଜିକ ସ୍ତରରେ ବିକାଶ ହୋଇପାରିବ ନାହିଁ ।
୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା । ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ ହୋଇଥିଲା । ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଅନୁମତି ଦିଆଯାଇଥିଲା । ମୁକ୍ତ ଅର୍ଥନୀତି ଯୋଗୁ ସରକାରୀ ସ୍ତରରେ ଥିବା ଲାଇସେନ୍ସରାଜ୍ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା । ଏଭଳି ସଂସ୍କାରର ସୁଫଳ ଅବଶ୍ୟ କିଛି ବର୍ଷ ପରେ ଦେଶକୁ ମିଳିଥିଲା । ହେଲେ ଏବର ସ୍ଥିତି ଦେଖିଲେ ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା କ୍ଷତିରେ ଚାଲୁଛନ୍ତି । ଗୋଟିଏ ପରେ ଗୋଟିଏ ସରକାରୀ ଓ ଘରୋଇ ଉଦ୍ୟୋଗ ଆର୍ଥିକ ସଙ୍କଟ ଦେଇ ଗତିକରିବା ଭାରତୀୟ ଅର୍ଥନୀତି ପାଇଁ ସତର୍କଘଣ୍ଟି ପାଲଟିଲାଣି ।
ବର୍ତମାନ ନିର୍ବାଚନ ହେବାକୁଥିବାରୁ ଜାତୀୟ ଓ ଆଂଚଳିକ ଦଳଗୁଡ଼ିକ ‘ବିକାଶ’କୁ ବିଭିନ୍ନ ତରିକାରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାରେ ବ୍ୟସ୍ତ । ‘ଚୂନା ନ ଦେଖି ପିଠା’ ତିଆରି କରୁଥିବା ରାଜନୈତିକ ଦଳ ଓ ନେତାମାନେ ବାସ୍ତବ ପରିସ୍ଥିତିକୁ ବୁଝିବା ଆବଶ୍ୟକ ହୋଇପଡ଼ିଲାଣି । ‘ଋଣ କରି ଘିଅ ପିଇବା’ ଭଳି ମନୋବୃର୍ତି ବ୍ୟକ୍ତିଗତ ସ୍ତରରୁ ସରକାରଯାଏ ରହିଲେ, କୌଣସି ଜାତୀୟ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଆଗକୁ ଯେଉଁଠାରେ ଯେଉଁ ଦଳ କ୍ଷମତାକୁ ଆସନ୍ତୁ ନା କାହିଁକି, କଠୋର ଅର୍ଥନୈତିକ ସ୍ଥିତି ଏକ ବୃହତ୍ ସମସ୍ୟା ଭାବେ ଉଭା ହେବା ଥୟ ।











