
ସଂସ୍କୃତରେ ଏକ ବାକ୍ୟ ଅଛି ‘ବୃକ୍ଷଃ ରକ୍ଷତି ରକ୍ଷିତମ୍’ । ବୃକ୍ଷକୁ ଆମେ ରକ୍ଷା କଲେ ବୃକ୍ଷ ଆମ ଜୀବନ ରକ୍ଷା କରିଥାଏ । ସୃଷ୍ଟିର ପ୍ରାରମ୍ଭ କାଳରୁ ଉଦ୍ଭିଦ ଓ ପ୍ରାଣୀ ଓତପ୍ରୋତ ଭାବେ ଜଡିତ । ପ୍ରକୃତି ଆମର ବନ୍ଧୁ ଓ ଜଙ୍ଗଲ ଆମର ଜୀବନ ନାଟିକା ଏପରି ଭାଷଣବାଜି ଦେବାର ସମୟ ଆଜି ନାହିଁ । ମନୁଷ୍ୟର ଜୀବନ ଧାରଣ ନିମନ୍ତେ ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ଏକ ନିୟମିତ ଧାରା । ଏଥିପାଇଁ ସେ ପ୍ରଶ୍ୱାସରେ ବାୟୁମଣ୍ଡଳରୁ ନେଉଥିବା ଅମ୍ଳଜାନକୁ ନିଃଶ୍ୱାସରେ ଅଙ୍ଗାରକାମ୍ଳଜାନ ଆକାରରେ ପରିତ୍ୟାଗ କରିଥାଏ । ତେଣୁ ବୃକ୍ଷର ଦିବାକାଳର ବର୍ଜ୍ୟବାୟୁ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ଉପାଦେୟ । ବୃକ୍ଷ ବିନା ସଂସାରରେ ଜୀବନ ତିଷ୍ଠିବା ଅସମ୍ଭବ । ଏହା ପରିବେଶ ମଧ୍ୟରେ ପ୍ରାଣୀ ଜଗତର ଜୀବନଯାପନ ପ୍ରଣାଳୀକୁ ସନ୍ତୁଳନ ଅବସ୍ଥାରେ ରଖିବା ପାଇଁ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ । ମାନବ ସଭ୍ୟତାକୁ ବଞ୍ଚାଇ ରଖିବାରେ ‘ଜଙ୍ଗଲ’ ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହାର ସୁରକ୍ଷା ଦିଗରେ ସରକାର ତଥା ସାଧାରଣ ଜନତାଙ୍କ ପ୍ରାଧାନ୍ୟ ଦେବାର ବେଳ ଆସିଛି । ଉଦ୍ଭିଦବିତ୍ମାନଙ୍କ ଆକଳନ ଅନୁସାରେ ୧୮୫୦ ମସିହା ପର୍ଯ୍ୟନ୍ତ ବାୟୁମଣ୍ଡଳରେ ସ୍ୱଳ୍ପ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ରହିଥିଲା । ୧୯୬୦ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା ବ୍ୟାପକ ଶିଳ୍ପାୟନ ଆରମ୍ଭ କରିବା ପରେ ଭୂପୃଷ୍ଠରେ ପରିବେଶ ତା’ର ସନ୍ତୁଳନ ହରାଇବାକୁ ଲାଗିଲା । ଆମ ବାୟୁମଣ୍ଡଳରେ ୩୫୦ ପି ପି ଏମ୍ ଅଙ୍ଗାରକାମ୍ଳ ବାଷ୍ପ ନିରାପଦ ସୀମା ବୋଲି ଧାର୍ଯ୍ୟ କରାଯାଇଛି; କିନ୍ତୁ ଏବେ ତାହା ୪୦୦ ପି ପି ଏମ କୁ ଅତିକ୍ରମ କରିବାକୁ ଲାଗିଲାଣି । ମହାସମୁଦ୍ରର ମନ୍ଦ ପ୍ରଭାବ ଯୋଗୁଁ ମଧ୍ୟ ଏହାର ସୃଷ୍ଟି । ନିକଟ ଅତୀତରେ ଏକ ସର୍ଭେରୁ ଜଣାପଡିସାରିଛି ଯେ ପ୍ରଶାନ୍ତ ମହାସାଗରରୁ ଯେଉଁ ଏଲନିନୋ ସୃଷ୍ଟି ହେଉଛି ସେଥିରୁ ମଧ୍ୟ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବଢିଚାଲିଛି । ପୃଥିବୀର ଧାର୍ଯ୍ୟଶକ୍ତି ଏହାକୁ ଗ୍ରହଣ କରି ପାରେନି । ତେଣୁ ପୃଥିବୀ ପୃଷ୍ଠରେ ତାପମାତ୍ରାର ବୃଦ୍ଧିକୁ କେହି ଅଟକାଇ ପାରିବେ ନାହିଁ । ଯଦି ଅତୀତକୁ ଆଲୋଚନା କରାଯାଏ ତେବେ ଜଣାଯାଏ ୧୯୯୦ ରୁ ୧୯୯୯ ମସିହା ମଧ୍ୟରେ ଅଙ୍ଗାରକାମ୍ଳ ସ୍ଫୁରଣର ମାତ୍ର ଶତକଡା ୦.୮ ବୃଦ୍ଧି ପାଇଥିଲା । ଏହା ପରେ ୨୦୦୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ ଏହା ଶତକଡା ୫.୩କୁ ବୃଦ୍ଧି ପାଇ ମାନବ ସମାଜରେ ଉଦ୍ବେଗ ସୃଷ୍ଟି କଲା । ଏହାର ଏକମାତ୍ର କାରଣ କେବଳ ଜଙ୍ଗଲ କ୍ଷୟ । ସମଗ୍ର ପୃଥିବୀରେ ପ୍ରତି ବର୍ଷ ୧୨୦ ଲକ୍ଷ ହେକ୍ଟର ଜଙ୍ଗଲ କ୍ଷୟ ହୋଇ ଚାଲିଛି ବୋଲି ଜଙ୍ଗଲ ବିଭାଗର ଏକ ରିପୋର୍ଟରୁ ପ୍ରକାଶ । ଏଥି ଯୋଗୁଁ ବାର୍ଷିକ ୧୦୦ କୋଟିରୁ ୨୬୦ କୋଟି ଟନ୍ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରେ ପ୍ରବେଶ କରିବାକୁ ସମର୍ଥ ହେଉଛି । ପରିବେଶର ସନ୍ତୁଳନ ରକ୍ଷା ଦିଗରେ କାହାରି ମଥାରେ ସୁଚିନ୍ତାର ଉଦ୍ରେକ ହେଉନାହିଁ । ଖାଲି ‘ଲୋକଟିଏ ଗଛଟିଏ’ ଏମିତି ପିଲାଳିଆ ଢଙ୍ଗରେ ସ୍ଲୋଗାନ ଦେଲେ ସେଥିରେ ଜୀବନ କ’ଣ ସୁଗମ ହେବ? ଆମ ରାଜ୍ୟକୁ ନେଇ ଜଙ୍ଗଲ, ପରିବେଶ ଓ ତା’ର ପରିଣତି ବିଷୟ ଏବେ ଚିନ୍ତା କରାଯାଉ । ଦୀର୍ଘ ୨୦ ବର୍ଷର ଅତୀତ ଓଡ଼ିଶାର କଳେବରକୁ ଘାଂଟିଲେ ୧୯୯୮ ମସିହାର ଅଂଶୁଘାତ, ୧୯୯୯ ମସିହାରେ ମହାବାତ୍ୟା, ୨୦୦୦ରେ ମରୁଡି ଏବଂ ଏହାର ପରବର୍ତୀ କାଳରେ ପ୍ରଳୟଙ୍କରୀ ବନ୍ୟାଠାରୁ ଆରମ୍ଭକରି ଫାଇଲିନ୍, ହୁଡହୁଡ ଆଦି ଯେତେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଓଡିଶାବାସୀ ମୃତ୍ୟୁଠାରୁ ଆରମ୍ଭ କରି ମୃତ ପ୍ରାୟ ଦୁର୍ଦଶାକୁ ଯେଉଁଭଳି ଅଙ୍ଗେ ନିଭାଇ ଚାଲିଛନ୍ତି ସେ ସବୁର ଇତିହାସ ମୂକସାକ୍ଷୀ ରହିଛି । ୨୦୧୬ ମସିହା ମାର୍ଚ୍ଚମାସ ଅର୍ଥାତ ଫଗୁଣ ମାସ ବସନ୍ତ ଋତୁରେ ଯେପରି ତାପମାତ୍ରା ସୃଷ୍ଟି ହେଲା ଓ ରାଜ୍ୟରେ ତାପମାତ୍ରାର ପରିମାଣ ଏବଂ ତାହାର ପରିଣତିରେ ଅଂଶୁଘାତ ଜନିତ ମୃତ୍ୟୁ ଯେଉଁ ହାରରେ ଘଟି ଚାଲିଲା ତାହା ସ୍ମାର୍ଟ ସିଟି ଅଭିପ୍ରାୟର ସଜବାଜ ଭୁବନେଶ୍ୱର ପ୍ରତି ଏକ ଉତେଜିତ ଉପହାସ କହିବା କ’ଣ ଭୁଲ? ରାଜ୍ୟର ପ୍ରାୟ ସବୁ ସହରରେ ପ୍ରତିବର୍ଷ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱରେ ରହୁଛି । ସାଧାରଣତଃ ଆମ ରାଜ୍ୟରେ ୧୪୮୨. ୨ମି.ମି ବର୍ଷା ହୁଏ । ବିଗତ ୧୦ ବର୍ଷ ମଧ୍ୟରେ ବର୍ଷାର ହିସାବକୁ ଆମେ ଯଦି ହାରାହାରି କ୍ରମରେ ଗ୍ରହଣ କରିବା ତେବେ ଯଥାକ୍ରମେ ୧୩୯୪.୯ ଏବଂ ୧୩୭୫.୩ ମି.ମି ବର୍ଷା ହୋଇଥିଲା । ବର୍ତମାନ ଏହାର ହାର କ୍ରମଶଃ ହ୍ରାସ ପାଉଛି । ଏଥି ଯୋଗୁଁ ନଈ, ନାଳ, କୂଅ ପୋଖରୀ ବର୍ଷାଦିନ ପରେ ପରେ ଶୁଖିବାକୁ ଲାଗୁଛି, ଏଣେ ସମସ୍ତ ଜଳାଶ୍ରୟ ଶୁଷ୍କ ଅବସ୍ଥାର କାରଣ ସେଇ ଜଙ୍ଗଲ କ୍ଷୟ ବା ଉଦ୍ଭିଦ ଧ୍ୱଂସ ବୋଲି ସାଧାରଣରେ ଆଲୋଚନା ହେଉଛି । ସବୁଜ ବଳୟ ପରିବେଶର ଅନ୍ତରଙ୍ଗ ବନ୍ଧୁ । ଏହାର ସୁପ୍ରଭାବ କେବଳ ମାନବ ଜୀବନ ଉପରେ ନୁହେଁ ପଶୁପକ୍ଷୀଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ । ଆଧୁନିକ ଯୁଗର ଏହି ସହରୀକରଣ ଯୋଜନା ହିଁ ଜଙ୍ଗଲ କ୍ଷୟର ମିତ୍ର ସାଜିଛି । ବ୍ୟାପକ ସହରୀକରଣ ହେତୁ ବହୁ ପରିମାଣରେ ଗଛ କଟା ଚାଲିଛି । ଫଳରେ ପରିବେଶ ସନ୍ତୁଳନ ହରାଇ ତାପମାତ୍ରାକୁ ସ୍ୱାଗତ କରୁଛି । ବୃକ୍ଷ କଟାଯାଇ ଆଧୁନିକ ଯୁଗର ଶ୍ରୀଅଙ୍ଗକୁ ଆହୁରି ସୌନ୍ଦର୍ଯ୍ୟକରଣ କରାହେଉଛି । ଠିକ ଅଛି , ସେହି ଅନୁପାତରେ ପରିବେଶ ସନ୍ତୁଳନ ପାଇଁ ଚାରା ରୋପଣ ହେଉନାହିଁ କାହିଁକି? ବିଭିନ୍ନ ଏନ.ଜି ଓ ସସ୍ଥା ଚାରା ରୋପଣ କାର୍ଯ୍ୟକ୍ରମ କରି ନିଜର ଫଟୋ ଉଠାଇ ଖବର କାଗଜରେ ନିଜ ସଂସ୍ଥାର ତଥା ନିଜର ବଡିମା ପ୍ରଚାର କରିବାରେ ମହସୁଲ ମାତ୍ର ତାଙ୍କୁ ଯଦି ପଚରାଯାଏ ତାଙ୍କର ଲଗାଇଥିବା କେତେ ଗଛ ଜୀବିତ ଅଛି ତାର ଉତର ତାଙ୍କ ପାଖରେ ନାହିଁ କେବଳ ସରକାରଙ୍କ ଠାରୁ ତଥା ବିଭିନ୍ନ ସଂସ୍ଥାରୁ ଫନ୍ଦିଫିକର କରି ଅର୍ଥ ହଡପ କରିବାରେ ସେମାନେ ସିଦ୍ଧହସ୍ତ । ୧୯୯୯ ମହାବାତ୍ୟାରେ କେବଳ ଭୁବେନଶ୍ୱରରୁ ନିହାତି କମରେ ୮ ରୁ ୧୦ ଲକ୍ଷ ବୃକ୍ଷ ଭାଙ୍ଗି ପଡିଥିଲା । ବାତ୍ୟା ମୁହଁରୁ ଯାହା କିଛି ବର, ନିମ୍ବ ଓ ଜାମୁକୋଳି ଗଛ ବର୍ତି ଯାଇଥିଲା ତାହା ଏବେ କଟା ଚାଲିଛି । କେବଳ ଭୁବନେଶ୍ୱର ପାଇଁ ୨୫ ଲକ୍ଷ ବୃକ୍ଷର ଚାହିଦା ରହିଛି । ତେଣୁ ହେକ୍ଟର ପିଛା ୧୫୦ ଟି ଚାରା ଲାଗିଲେ ତହା ଠିକ୍ ଆସିବ । ୨୦ ଲକ୍ଷ ହେକ୍ଟର ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହେବ ଏବଂ ଜଙ୍ଗଲର ନିଆଁ ରୋକିବାକୁ ଏସ୍ଡିପି ପ୍ରସ୍ତୁତ ରହିବାକୁ ସରକାରୀ ନିଷ୍ପତି ହୋଇଛି । ନିକଟ ଅତୀତରେ ନୟାଗଡର ଜଣେ ଅବସରପ୍ରାପ୍ତ ଶିକ୍ଷକ ଟାଙ୍ଗରା ଭୂଇଁରେ ସବୁଜିମା ସୃଷ୍ଟି କରି ଯେପରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତାହା ଆଜି ଆମ ପାଇଁ ପ୍ରେରଣାର ଉତ୍ସହେଉ ।










