ପଟ୍ଟାମୁଣ୍ଡାଇ ରୋଗୀକଲ୍ୟାଣ ସମିତି ବୈଠକ


ଭିତ୍ତିଭୂମି ବିକାଶ ସହ ଉତ୍ତମ ରୋଗୀ ସେବା ଯୋଗାଇବାକୁ ନିର୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆପଣାଇ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ଉନ୍ନତମାନର ଭିତ୍ତିଭୂମି ନିର୍ମାଣ ସହ ସର୍ବଶ୍ରେଷ୍ଠ ରୋଗୀ ସେବା ଯୋଗାଇ ଦେବାକୁ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ହସ୍ପିଟାଲ ରୋଗୀକଲ୍ୟାଣ ସମିତି ବୈଠକରେ  ଯୋଗ ଦେଇ ରୋଗୀକଲ୍ୟାଣ ସମିତି ଅଧକ୍ଷ ତଥା ରାଜନଗର ବିଧାୟକ ଧ୍ରୁବ ସାହୁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ଅଧ୍ୟକ୍ଷତା କରି ବିଧାୟକ ଶ୍ରୀସାହୁ କହିଲେ ଯେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପାଇଁ ୧୫ଜଣ ବିଶେଷଜ୍ଞ ଡାକ୍ତର ପଦବୀ ନିମନ୍ତେ ସରକାର ଆର୍ଥିକ ମଞ୍ଜୁରୀ ପ୍ରଦାନ କରିଥବାରୁ ଖୁବଶୀଘ୍ର ଡାକ୍ତର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ୨୦୧୯ ମସିହାରେ ବିଧାୟକ ହେବା ପୂର୍ବରୁ ମାତ୍ର ୨ଜଣ ଡାକ୍ତର ଥିବାସ୍ଥଳେ ସମ୍ପ୍ରତି ୧୧ଜଣ ଡାକ୍ତର ସବଡିଭିଜନ ହସ୍ପିଟାଲରେ ନିଯୁକ୍ତି ଦିଆଯାଇଛି । ଏହାଛଡା ଗ୍ରାମାଞ୍ଚଳ ଡାକ୍ତରଖାନାରେ ୭ଜଣଙ୍କୁ ମିଶାଇ ୧୮ ଜଣ ଡାକ୍ତର କାର୍ଯ୍ୟରତ ଥିବାବେଳେ ୪ଜଣ ଉଚ୍ଚଶିକ୍ଷା ପାଇଁ ଯାଇଛନ୍ତି । ଆଗାମୀ ଦିନରେ ୧୫ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଲେ ସାଧାରଣଲୋକମାନେ ଉପଯୁକ୍ତ ରୋଗୀ ସେବା ପାଇପାରିବେ । ରାଜ୍ୟ ସରକାର ମୋ ଡାକ୍ତରଖାନା ଯୋଜନା ସବଡିଭିଜନ ହସ୍ପିଟାଲ ଭିତ୍ତିଭୂମି ବିକାଶ ପାଇଁ ୨.୫କୋଟି ଅନୁଦାନ ଯୋଗାଇ ଦେଇଛନ୍ତି । ବିଧାୟକ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଉନ୍ନତ ଭିତ୍ତିଭୂମି ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ । ହସ୍ପିଟାଲର ଉତ୍ତମ ପରିମଳ ଓ ପରିବେଶ ସର୍ବୋପରି ଡାକ୍ତରମାନଙ୍କ ଡ୍ୟୁଟି, ରୋଗୀଙ୍କୁ ମାଗଣା ଔଷଧ ବିତରଣ ଉପରେ କଡା ନଜର ଦେବାକୁ ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।. ଏହାଛଡା କଷଣଅଣ୍ଟା ଠାରେ ୪୦କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କ୍ରିଟିକାଲ କେୟାର ହସ୍ପିଟାଲ କୋଭିଡ ଅନୁଦାନରେ କରାଯାଉଥିବାରୁ କେନ୍ଦ୍ର ସରକାର କଷଣଅଣ୍ଟା ସମେତ ୮ଟି ହସ୍ପିଟାଲର ଅନୁଦାନ ରାଶି ଫେରାଇ ନେବା ଫଳରେ ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । କଷଣଅଣ୍ଟା କ୍ରିଟିକାଲ କେୟାର ହସ୍ପିଟାଲର ଜରୁରୀ ଆବଶ୍ୟକତା ସମ୍ପର୍କରେ ସେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାଜ୍ୟ ସରକାର ଏଥି ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ଅନୁଦାନ ବିନିଯୋଗ ପାଇଁ ନୂତନ ପ୍ଲାନ ଓ ଇଷ୍ଟିମେଟ ଅନୁମୋଦନ ଲାଭ କଲେ ନିର୍ମାଣ କାର୍ଯ୍ୟ ପୁନଃରାୟ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି ସୂଚନା ଦେଇଥିଲେ । କଷଣଅଣ୍ଟା କ୍ରିଟିକାଲ କେୟାର ହସ୍ପିଟାଲ ନିର୍ମାଣ ସଂପୂର୍ଣ୍ଣ ପରେ ପଟ୍ଟାମୁଣ୍ଡାଇରେ ନୂତନ ଭାବେ ସିଟି ହସ୍ପିଟାଲ କାର୍ଯ୍ୟ।ରମ୍ଭ ହେବ ବୋଲି ପ୍ରକାଶ କରି ବିଧାୟକ ରୋଗୀ ସେବାରେ କୌଣସି ତ୍ରୁଟି ଓ ଅପପ୍ରଚାର ପ୍ରତି ଉଚିତ ଧ୍ୟାନ ଦେବାକୁ ତାଗିଦ କରିଥିଲେ । ରୋଗୀ କଲ୍ୟାଣ ସମିତିର ସହଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଭିତ୍ତିଭୂମି ବିକାଶ ଓ ରୋଗୀ ସେବା ଠିକଣା ଭାବେ ନହେଲେ ରୋଗୀକଲ୍ୟାଣ ସମିତି ସହଅଧକ୍ଷ ପଦରୁ ଓହରି ଯିବେ ବୋଲି ପ୍ରକାଶ କରିବା ସହିତ ସରକାରଙ୍କ ସମସ୍ତ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକାରୀ କରି ଉତ୍ତମ ରୋଗୀ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ରୋଗୀକଲ୍ୟାଣ ସମିତି ସଦସ୍ୟ ଅକ୍ଷୟ କୁମାର ସାହୁ, ଶ୍ରୀକାନ୍ତ ରାଉତ ଓ ନିରାକାର ସାହୁ ଉନ୍ନତ ଭିତ୍ତିଭୂମି ସହ ଉତ୍ତମ ରୋଗୀସେବା ଯୋଗାଇବା ଉପରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସବଡିଭିଜନ ହସ୍ପିଟାଲ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡା ସ୍ୱାଗତଭାଷଣ ଦେଇ ହସ୍ପିଟାଲର ଭିତ୍ତିଭୂମି ବିକାଶ, ପରିମଳ ବ୍ୟବସ୍ଥା, ରୋଗୀ ସେବା ଓ ମାଗଣା ଔଷଧ ବଣ୍ଟନ ସମ୍ପର୍କରେ ସୂଚନା ଦେଇଥିଲେ। ଵି ପି ଏମ ପ୍ରଶାନ୍ତ କୁମାର ଜେନା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବ୍ଲକ ଆକାଉଣ୍ଟ ମ୍ୟାନେଜର ସଞ୍ଜୟ କୁମାର ଦାଶ ଆର୍ଥିକ ବର୍ଷର ଖର୍ଚ୍ଚ ବିବରଣୀ ଉପସ୍ଥାପନ କରିଥିବାବେଳେ ହସ୍ପିଟାଲ ପରିଚାଳକ ଚିତ୍ତ ରଞ୍ଜନ ଚାନ୍ଦ ୨୦୨୩-୨୪ ଆର୍ଥିକବର୍ଷର ବଜେଟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ଦିଲ୍ଲୀପ ସେଠୀ, ଜନସ୍ୱାସ୍ଥ୍ୟ ବିଭାଗ ସହସହକାରୀ ଯନ୍ତ୍ରୀ ସୁଦାମ ସାହୁ,ଡା ମଧୁସ୍ମିତା କର,ସମାଜସେବୀ ବୁଢ଼ା ଲେଙ୍କା ଓ ସୁଭାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପି ଏଚ ଓ ନୃସିଂହ ଚରଣ ଦାଶ ଧନ୍ୟବାଦ ଦେଇଥିଲେ । ରୋଗୀକଲ୍ୟାଣ ସମିତି ବୈଠକ ପରେ ବିଧାୟକ ହସ୍ପିଟାଲ ପରିସରରେ ଭିତ୍ତିଭୂମି ବିକାଶ ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହିତ ଉନ୍ନତମାନର ଭିତ୍ତିଭୂମି ନିର୍ମାଣ ପାଇଁ ନିର୍ଦେଶ ଦେଇଥିଲେ ।


Next Post

କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ

Thu Jul 20 , 2023
କେନ୍ଦ୍ରାପଡ଼ା,୨୦ା୭: କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସା ଜିଲ୍ଲା ଦକ୍ଷତା କମିଟିର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କେନ୍ଦ୍ରାପଡା ଜିଲ୍ଲାର ଦକ୍ଷତା ବିକାଶ ତାଲିମ ଉପରେ ସମ୍ପୂର୍ଣ୍ଣ ତଥ୍ୟ କମିଟି ଆଗରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ଚାଲୁଥିବା ଦକ୍ଷତା ବିକାଶ ତାଲିମର କିପରି ସମ୍ପ୍ରସାରଣ ହୋଇପାରିବ […]

KANIKA