ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପାଳିତ

ପଟ୍ଟାମୁଣ୍ଡାଇର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡାଯାତ୍ରା ପାଳିତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳରେ ପବିତ୍ର ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି । ବକ୍ତାରପୁର ମାଉସୀମା ମନ୍ଦିରରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ହରପାର୍ବତୀ ମନ୍ଦିରରୁ ଆଜ୍ଞାମାଳ ପହଁଚିବା ପରେ ବିଧିବଦ୍ଧ ଭାବେ ରଥଟଣା ଆରମ୍ଭ ହୋଇଥିଲା । ବକ୍ତାରପୁର ମାଉସୀମା ମନ୍ଦିରରୁ ରଥାଋୁଢ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ଶ୍ରଦ୍ଧାଳୁ ଭକ୍ତମାନେ ଘଂଟ, ହରିବୋଲ, ହୁଳହୁଳି ମଧ୍ୟରେ ରଥକୁ ଟାଣି ଟାଣି ପତିତପାବନ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ । ପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଋୁଣ୍ଡ ହୋଇଥିବା ଭକ୍ତ ଦିଅଁ ଦର୍ଶନ କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ । ପୋଖରୀଆପଡା ପତିତପାବନଜୀଉଙ୍କ ବାହୁଡାଯାତ୍ରା ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ, ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ , ନରହରି ଲେଙ୍କା ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।


ସେହିପରି ସ୍ଥାନୀୟ ବାଲିପାଟଣା ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରା ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ଯାଇଛି । ବାଲିପାଟଣା ଗ୍ରାମରେ ୨୦୧୭ ମସିହାରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇନଥିଲା ଚଳିତ ବର୍ଷ ପ୍ରଥମଥର ପାଇଁ ରଥଯାତ୍ରା ହୋଇଥିଲା । ଆଜି ବାହୁଡା ଯାତ୍ରା ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରାଙ୍କୁ ପାରମ୍ପାରିକ ରୀତିରେ ଯଥାବିଧି ପୂଜାର୍ଚ୍ଚନା କରାଯାଇ ରଥାଋୁଢ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ଶିଳ୍ପଦ୍ୟୋଗୀ ଜଗଦୀଶ ପ୍ରସାଦ ନାୟକ ସୁଶୋଭିତ ପାଲିଙ୍କିରେ ଭବ୍ୟ ଶୋଭାଯାତ୍ରାରେ ଆସି ରଥ ସମ୍ମୁଖରେ ଯଥାବିଧି ଛେରାପଂହଁରା କରିବା ପରେ ବିଧିବଦ୍ଧ ଭାବେ ବାହୁଡାଯାତ୍ରା ଆରମ୍ଭ ହୋଇଥିଲା । ବାଲିପାଟଣା ସମେତ ଆଖପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ନିଆରା ରଥଯାତ୍ରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ରଥ ଟାଣି ଟାଣି ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ।


ସେହିପରି ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ, ତନୁପୁର, ତଳବାଲିପଡା, ଅମୃତମଣୋହୀ, ଅଠରବାଟିଆ, ବିଲିକଣା, ଜଗନ୍ନାଥପୁର ଓ କଖାରୁଣୀ ପ୍ରଭୁତି ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ମହାପ୍ରଭୁଙ୍କ ବାହୁଡାଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ସମସ୍ତ ସ୍ଥାନରେ ସ୍ଥାନୀୟ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ବିଦ୍ୟୁତ କର୍ମଚାରିମାନେ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ସ୍ୱଛାସେବୀ ସଙ୍ଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଥିଲା । ବହୁ ଦୁର ଦୁରାନ୍ତରୁ ରଥ ଟାଣିବା ପାଇଁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।