ଆକାଶ ଛୁଆଁ ଦରବୃଦ୍ଧି ନେଇ ସିପିଆଇ ପକ୍ଷରୁ ଦାବିପତ୍ର ପ୍ରଦାନ


କେନ୍ଦ୍ରାପଡ଼ା, ୩ା୭ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ବର୍ତ୍ତମାନ ଯେଭଳି ଭାବେ ଅଦା କିଲୋ ୩ଶହ ଟଙ୍କା, ବିଲାତି କିଲୋ ୧୨୦ଟଙ୍କା, ରସୁଣ କିଲୋ ୧୫୦ଟଙ୍କା, ଡାଲି, ତେଲ, ପେଟ୍ରୋଲ, ଡିଜେଲ, ଔଷଧ, ପାଠ ପଢିବା ପାଇଁ ଆବଶ୍ୟକ ସାଧା କାଗଜ ପ୍ରଭୃତିର ଦାରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଆକାଶ ଛୁଆଁ ଦରବୃଦ୍ଧି ଘଟିଛି ଏବଂ ତାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ନିର୍ବାହରେ ପ୍ରତିବନ୍ଧକ ସାଜିଥିବାରୁ ତାହାର ପ୍ରତିବାଦ କରାଯାଇଥିଲା । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଜିଲ୍ଲାରେ ସରକାରଙ୍କ ଦ୍ୱାରା ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇ ପାରିଲା ନାହିଁ । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ନଦୀରେ ପାଣି ବହି ଯାଉଥିବା ବେଳେ ସେହି ପାଣିକୁ କେନାଲ ଦ୍ୱାରା ଆଣି ଚାଷୀଙ୍କୁ ଯୋଗାଇ ଦିଆଯିବା କଥା । କିନ୍ତୁ ଚାଷୀମାନେ ତଳା ପକାଇବାକୁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉନାହିଁ । ଜଳସେଚନ ବିଭାଗର କେନାଲ ସଫେଇ କାର୍ଯ୍ୟ ବର୍ତ୍ତମାନ ସୁଧା ଚାଲିଛି । ଖରା ୫ମାସ ମଧ୍ୟରେ ସେ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ଏହିସବୁ ସମସ୍ୟାର ସମାଧାନ ପାଇଁ ସି.ପି.ଆଇ. ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହି ଦାବି ଗୁଡିକ ମଧ୍ୟରେ ତୁରନ୍ତ ଅଦା, ପିଆଜ, ରସୁଣ, ବିଲାତି ସହିତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ନିୟନ୍ତ୍ରଣ କରାଯିବା, କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସରକାର ତୁରନ୍ତ ୨ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ କରିବା, କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଗହଗା ପାଟରୁ ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବା, ଚାଷ କାମ ପାଇଁ ତଳି ପକାଇବା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ପାଣିପାଗ ବିଳମ୍ବ ହେଉଥିବା ଯୋଗୁଁ ଶୀଘ୍ର କେନାଲରେ ପାଣି ଛଡାଯିବା, ରବି ଧାନ କିଣିବା ପାଇଁ ଜୁଲାଇ ୧୫ତାରିଖରୁ ଚାଷୀ ନାମ ପଞ୍ଜିକରଣ କରିବାକୁ ଥିବା ବେଳେ ଠାକୁରଙ୍କ ଜମି ଭାଗ ଛାଷ କରୁଥିବା ଭାଗ ଚାଷୀମାନଙ୍କ ନାମ ପଞ୍ଜିକରଣ କରି ତାଙ୍କ ଠାରୁ ଧାନ କିଣା ଯିବା ଓ ହରିଦାସପୁର- ପାରାଦୀପ ରେଳ ଲାଇନରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରିବା ପ୍ରଭୃତି ଦାବି ଗୁଡିକ ରହିଛି । ସି.ପି.ଆଇ. ଜିଲ୍ଲା ସମ୍ପାଦକ ସାଥି ଆଡଭୋକେଟ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶଣ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସହ ସମ୍ପାଦକ ସାଥି ଆଦିକନ୍ଦ ରାଉଳ, ଆଳି- ରାଜକନିକା ଜୋନ ସମ୍ପାଦିକା ସାଥି ସୋହାନା ବେଗମ, ଜିଲ୍ଲା ପରିଷଦ ସଭ୍ୟ ସାଥି ନିରଞ୍ଜନ ଦାଶ, ସଞ୍ଜୟ ବସନ୍ତିଆ, ସଂଯୁକ୍ତା ରାଉତ, କନକଲତା ଦାସ, ହରେକୃଷ୍ଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading