
ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଦାରିଦ୍ର୍ୟ ଏକ ସ୍ଥିତି ଓ ପକ୍ରିୟା ଏବଂ ଏହାର କାରଣ ଅନେକ । ଅଧିକ ଜନସଂଖ୍ୟା ଏବଂ କମ୍ ସମ୍ବଳ ଉତ୍ସ ରହିଲେ ଦାରିଦ୍ର୍ୟ ଉତ୍କଟ ହୁଏ । କାରଣ ଲୋକେ ରୋଜଗାର ପାଆନ୍ତି ନାହିଁ କିମ୍ବା ଉତ୍ପାଦନର ଧାରାକୁ ବଜାୟ ରଖିବାକୁ ସମର୍ଥ ହୁଅନ୍ତି ନାହିଁ । ତେଣୁ ଦାରିଦ୍ର୍ୟ ଦୂରୀକରଣକୁ ଜାତିସଂଘଠାରୁ ଆରମ୍ଭ କରି ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବାହୁପାକ୍ଷିକ ବିତୀୟ ସଂଗଠନ ଓ ଆନ୍ତର୍ଜାତିକ ମଂଚମାନ ନାନାମତେ ଚେଷ୍ଟା କରୁଛନ୍ତି । ସବୁ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଭଳି ସରକାର ଓ ଆନ୍ତର୍ଜାତିକ ସଂଗଠନମାନେ ଯେତେବେଳେ ଦାରିଦ୍ର୍ୟ ଉନ୍ତୁଳନ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ଏବଂ ସ୍ଥିତି ଦେଖି ଯୋଜନା ଓ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରୁଛନ୍ତି ସେଥିରେ କିଛି ସୁଫଳ ଅବଶ୍ୟ ମିଳିବ । ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତର ପ୍ରଦର୍ଶନ ବେଶ୍ ଉତ୍ସାହପ୍ରଦ ରହିଛି । ଏହି ରିପୋର୍ଟ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୦ ଏହି ପନ୍ଦର ବର୍ଷ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ୟୁଏନ୍ଡିପି, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଦାରିଦ୍ର୍ୟ ଓ ମାନବ ବିକାଶ ପ୍ରୟାସ(ଓପିଏଚ୍ଆଇ) ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ(ଏମ୍ପିଆର) ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଏହାର ସତ୍ୟତା ଓ ନିରପେକ୍ଷତା ଘେନି ସନ୍ଦେହ କରିବାର ବିଶେଷ କିଛି ଅବକାଶ ନାହିଁ । କାରଣ ଏହା ତୃତୀୟ ପକ୍ଷ ଦ୍ୱାରା କରାଯାଇଛି । ସୁତରାଂ ଏଥିରେ ସରକାରୀ ହସ୍ତକ୍ଷେପ ବା ତଥ୍ୟ ହେରଫେର କରିବାର ଅବକାଶ କମ୍ । ଭାରତ ସହ ବିଶ୍ୱର ଯେଉଁ ୨୫ଟି ଦେଶ ଏହି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଏହି ରିପୋର୍ଟ ଅନୁସାରେ ଭାରତର ଦାରିଦ୍ର୍ୟ ସବୁ ଉଦ୍ଦିଷ୍ଟ କ୍ଷେତ୍ରର ସୂଚକାଙ୍କରେ ହ୍ରାସ ପାଇଛି । ଦେଶର ଗରିବ ରାଜ୍ୟଙ୍କ ସ୍ଥିତିରେ ଉନ୍ନତି ଘଟିଛି । ଶିଶୁ ଓ ବିଭିନ୍ନ ବଂଚିତ ବର୍ଗଙ୍କ ବ୍ୟବସ୍ଥାରେ ପ୍ରଗତି ହାସଲ ହୋଇଛି । କୁପୋଷଣ, ବ୍ୟାଧି, ଶିଶୁ ମୃତ୍ୟୁହାର, ବେରୋଜଗାରୀ, ଅଶିକ୍ଷା, ସାମାଜିକ ପଛୁଆ ସ୍ଥିତିରେ ଉନ୍ନତି ଘଟିଛି । ଲୋକଙ୍କର ଆୟ ବଢ଼ିଛି । ଭାରତ ଏକ ପ୍ରଦେଶର ସମାହାର । ଏଠାରେ ରାଜ୍ୟମାନଙ୍କରୁ ଦାରିଦ୍ର୍ୟ ନ କମିଲେ ଦେଶରୁ ଦାରିଦ୍ର୍ୟ କମିବା ସମ୍ଭବ ନୁହେଁ । ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶା ଭଳି ଦେଶର ସବୁଠୁ ପଛୁଆ ରାଜ୍ୟ ଏବେ ଦାରିଦ୍ର୍ୟ ୨୦୨୧ ଏମ୍ପିଆଇ ମୂଳ ବର୍ଷ ରିପୋର୍ଟ ଅନୁସାରେ ପ୍ରାୟ ୨୯ ଶତାଂଶକୁ କମି ଆସିଛି । ନିତି ଆୟୋଗ ମଧ୍ୟ ଏହାକୁ ଅନୁମୋଦନ କରିଛି । ଏହି ଦାରିଦ୍ର୍ୟ ହାରକୁ ଆସନ୍ତା ୫ ବର୍ଷରେ ୧୦ ଶତାଂଶକୁ ହ୍ରାସ କରିବାକୁ ରାଜ୍ୟ ସରକାର ସଂକଳ୍ପ ଘୋଷଣା କରି ନାନାବିଧ କୌଶଳ ଓ ଉପାୟ ଆରମ୍ଭ କରିଛନ୍ତି । ୨୦ ବର୍ଷ ତଳର ରାଜ୍ୟର ଦାରିଦ୍ର୍ୟ ହାର ୬୩% ଥିବା ବେଳେ ଏହା ୨୯%କୁ ହ୍ରାସ ପାଇବା ନିଶ୍ଚିତ ଏକ ବିରାଟ ଉପଲବ୍ଧି । ଏହି ସମୟ ମଧ୍ୟରେ ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରୁ ଉପରକୁ ଉଠିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ, କୁପୋଷଣ, ରୋଜଗାର, ଉତ୍ପାଦନ, ବେକାରୀ ଆଦି ସବୁକ୍ଷେତ୍ରରେ ଓଡ଼ିଶାରେ ପ୍ରଦର୍ଶନ ଉତ୍ସାହଜନକ ରହିଛି ।










