ପାରିବାରିକ କଳହର କରୁଣ ପରିଣତି ପତ୍ନୀକୁ ହତ୍ୟାକଲା ସ୍ୱାମୀ



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ ଆତ୍ମହତ୍ୟା ରୁପ ଦେବା ପାଇଁ ଘର ଭିତରେ ଶବରେ ନିଆଁ ଲଗାଇ ପୋଡି ଅର୍ଦ୍ଧଦଗ୍ଧ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଁଞ୍ଚି ସ୍ୱାମୀ ବିଧାନ ରାୟକୁ ଅଟକ ରଖିବା ସହ ତଦନ୍ତ ଚଳାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମର ବିଧାନ ରାୟ ପଟ୍ଟାମୁଣ୍ଡାଇ ପୋରାଞ୍ଚଳ ଅନ୍ତର୍ଗତ ବାଲିସାହି ଗ୍ରାମର ରାମକୃଷ୍ଣ ଜେନାଙ୍କ ଝିଅ ଆରତୀଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ । ତାଙ୍କର ତିନି ଝିଅ ଅଛନ୍ତି । ବିବାହର ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ଥିଲା । ବିଧାନ ମଦ ପିଇ ଘରକୁ ଆସି ପ୍ରାୟ ଅଧିକାଂଶ ସମୟରେ ପତ୍ନୀ ଆରତୀ (୪୨)କୁ ମାରପିଟ କରେ । ଏହି ଘଟଣା ବିଷୟରେ ଅନେକବାର ଆରତୀ ତା ବାପ ଘରକୁ ଖବର ଦେଇଛି ଓ ଆରତୀ ଭାଇମାନେ ତା ଶାଶୁ ଘରକୁ ଯାଇ ବୁଝାସୁଝା କରି ଘଟଣାର ସମାଧାନ କରିଥାନ୍ତି । ଗତକାଲି ବିଳମ୍ବିତ ରାତିରେ ବିଧାନ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଆରତୀକୁ ମାରପିଟ କରିଥିଲେ । ଏହି ମାଡରେ ଆରତୀର ମୃତ୍ୟୁ ହୋଇଯିବାରୁ ବିଧାନ ଅନ୍ୟ କୌଣସି ଉପାୟ ନପାଇ ମୃତା ଆରତୀଙ୍କ ଶବକୁ ତାଙ୍କ କୋଠା ଘର ସହ ଲାଗି ଥିବା ତାଙ୍କର ଏକ ଚାଳଘର ଭିତରେ ପୁରାଇ ତା ଉପରେ କାଠ ରଖି ନିଆଁ ଲଗାଇ ଦେଇଥିଲା । ରାତି ପ୍ରାୟ ଦୁଇଟା ବେଳକୁ ମୃତା ଆରତୀର ଝିଅ ବାହରକୁ ଉଠିବା ପରେ ନିଜ ମାକୁ ନପାଇ ଖୋଜାଖୋଜି କରିଥିଲା । ଏହି ସମୟରେ ଚାଳ ଘରେ ନିଆଁ ଜଳି ଧୂଆଁ ବାହାରକୁ ବାହରିବାର ଦେଖିବାକୁ ପାଇଥିଲା । ମୃତା ଆରତୀର ଝିଅ ମାନେ ବିଧାନଙ୍କ ବୃଦ୍ଧା ମା ସହ ଚାଳ ଘରକୁ ଯାଇ ଦେଖିବା ବେଳକୁ ଆରତୀ ଅଧା ପୋଡି ହୋଇ ଯାଇଥିଲେ । ଏହି ଘଟଣା ବିଷୟରେ ମୃତା ଆରତୀଙ୍କ ଝିଅ ମାମୁଁ ଘରକୁ ଟେଲିଫୋନ କରି ଜଣାଇଥିଲେ । ମୃତା ଆରତୀଙ୍କ ଭାଇ ଅକ୍ଷୟ କୁମାର ଜେନା ଘଟଣାସ୍ଥଳରେ ପହଂଚି ତାଙ୍କ ଭଉଣୀ ଆରତୀଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ଦେଖିବାକୁ ପାଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ଗ୍ରାମଚଂଳ ଥାନା ଆଇଆଇସି ବାମଦେବ ନନ୍ଦ ଘଟଣାସ୍ଥଳରେ ପହଂଚି ଏହି ଘଟଣାର ଛାନଭିନ କରିଥିଲେ । ଏହାପରେ ଏସଡିପିଓ ସଂନ୍ଧ୍ୟାରାଣୀ ବେଉରିଆ, ଆଦର୍ଶଥାନା ଆଇଆଇସି ରଂଜିତ ମହାନ୍ତି, ଏସଆଇ ଅନ୍ତର୍ଯ୍ୟାମୀ ବିଶ୍ୱାଳ ସାଇଣ୍ଟିଫିକ ଟିମ ସହ ପହଁଚି ଏହି ଆଲୋଡନ ସୃଷ୍ଟିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ମୃତା ଆରତୀର ଭାଇ ଅକ୍ଷୟ ଜେନା ତାଙ୍କ ଭଉଣୀକୁ ମାରି ଦିଆଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେବାପରେ ପୋଲିସ ଥାନା କେଶ ନମ୍ବର ୪୪୨/୨୩ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସାଇଣ୍ଟିଫିକ ଟିମ ତଦନ୍ତ ଚଲାଇଥିବା ବେଳେ ସଂନ୍ଧ୍ୟା ହୋଇଯିବାରୁ ଆଜି ମୃତା ଆରତୀର ଶବ୍ୟବଚ୍ଛେଦ ହୋଇପାରି ନାହିଁ । ଆସନ୍ତାକାଲି ତାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ କହିଛନ୍ତି । ଶବ ବ୍ୟଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇଯିବ ବୋଲି ଗ୍ରାମଚଂଳ ଥାନା ଆଇଆଇସି ନନ୍ଦ ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading