ସମବାୟ ସମିତିରେ ମିଳୁନି ସାର, ଚାଷୀକୁଳ ହତାଶ ଚଢ଼ା ଦରରେ ବଜାରରୁ ସାର କିଣି ବିଲରେ ପକାଉଛନ୍ତି


 

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି । ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଂଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି । ସେଥିମଧ୍ୟରୁ ଏ ଯାବତ ୬ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି । ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡି ରହିଛି । ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷା ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମ କରି ଚାଷୀମାନେ ନିଜର ଚାଷ କାର୍ଯ୍ୟକୁ ଆଗେଇ ନେଉଥିଲେ । ଧାନ ତଳି ରୁଆ, ବୁଣା ହୋଇଥିବା ଜମିରେ ଚାଷୀ ସାର ପକାଇବାକୁ ପାଉ ନ ଥିବା ଅଭିଯୋଗ ହେଉଛି । ମାର୍କଫେଡ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି । ହେଲେ ସାରର ଉକତ୍ଟ ଅଭାବ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

କୃଷକ ନେତା ବିଜୟ ଦାସ କୁହନ୍ତି, ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୩୧ ପଂଚାୟତର ଚାଷୀମାନେ ନିର୍ଭରଶୀଳ । ସେଥି ମଧ୍ୟରୁ ୫ ଟି ସମବାୟ ସମିତି ପଟ୍ଟାମୁଣ୍ଡାଇ ମାର୍କଫେଡରୁ ସାର ନେଇ ଚାଷୀଙ୍କୁ ଯୋଗାଇ ଦେଇଛନ୍ତି । ଅନ୍ୟ ୧୧ ସମବାୟ ସମିତିର ସମ୍ପାଦକଙ୍କ ବେପରୁଆ ମନୋଭାବ ପାଇଁ ଚାଷ ଆରମ୍ଭରୁ ଚାଷୀ ସାର ପାଇ ପାରୁନାହାନ୍ତି । ସମବାୟ ସମିତି ଆବଶ୍ୟକ ସାର ଆବଇଟନ କରୁ ନ ଥିବାରୁ ଚାଷୀମାନଙ୍କୁ ବଜାରରୁ ଚଢା ଦରରେ ସାର କିଣିବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । ଖୋଲା ବଜାରରୁ ଚାଷୀ ୟୁରିଆ, ଗ୍ରୋମୋର ଓ ପଟାସ୍ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି । ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ । ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି । ଫଳରେ ଚଳିତବର୍ଷ ଖରିଫ ଫସଲ ଅମଳ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି ।

 

ସମବାୟବିତ୍ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି, ଚଳିତ ବର୍ଷ ନିଅଂଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ଉଠୁନାହିଁ । ମୋଟର ଯୋଗେ କେନାଲ ପାଣିକୁ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଂଚାଇ ରଖାଯାଇଛି । ମାତ୍ର ଏହି ସମୟରେ ଚାଷ ପାଇଁ ଆବଶ୍ୟକ ହେଉଥିବା ୟୁରିଆ ସାରର ଉତ୍କଟ ଅଭାବ ଯୋଗୁ ଅଂଚଳର ଚାଷୀ ହଇରାଣ ହେଉଛନ୍ତି । ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମିତିରେ ସାର ନ ଥିବା ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି ।ଅନ୍ୟପକ୍ଷେ ସମବାୟ ସମିତିକୁ ସରକାରଙ୍କ ଅନୁବନ୍ଧିତ ଇଫ୍‌କୋ ୟୁରିଆ, ଡିଏପି ଓ ପଟାସ୍ ଯୋଗାଇବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିକୁ ମାର୍କଫେଡ଼୍ ଇଫ୍‌କୋ ୟୁରିଆ ବଦଳରେ ନିମ୍ନମାନର ୟୁରିଆ, ଡିଏପି ୨୦-୨୦ ଓ ନିମ୍ନମାନର ପଟାସ୍ ଆବଶ୍ୟକତା୍‌ଠାରୁ କମ୍ ପରିମାଣର ଯୋଗାଉ ଥିବାରୁ ସେହି ସାର ଚାଷୀର କୌଣସି କାମରେ ଲାଗୁ ନାହିଁ । ଖୋଲା ବଜାରରୁ ଚାଷୀ ନାଗାର୍ଜୁନ ୟୁରିଆ, ଗ୍ରୋମର ୨୮-୨୮ ଓ ଏମ୍‌ଓପି ପଟାସ୍ ବସ୍ତା ପିଛା ୧୦୦ରୁ ୩୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି ।

ମାର୍କଫେଡ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ ଜିଲାରେ ୧୨୧ଟି ସମବାୟ ସମିତି ମଧ୍ୟରୁ ୯୩ଟି ସମିତିକୁ ୩ହଜାର ୮୮.୨୯୦ ଟନ ସାର ଯୋଗାଇ ଦିଆଯାଇଛି । ଚଳିତ ଖରିଫ ଋତୁରେ ୧.୪.୨୦୨୩ ରୁ ୧୭.୮.୨୦୨୩ ପର୍ଯ୍ୟନ୍ତ ଜିଲାର ୯୩ଟି ସମବାୟ ସମିତି ଗୁଡିକକୁ ସର୍ବାଧିକ ଚାହିଦା ଥିବା ୟୁରିଆ ୧୫ ଶହ ୯୨.୬୪୦ ଟନ, ଡିଏପି ୧୩ ଶହ ୩୬.୬୦୦ ଟନ, ପଟାସ ୯୬.୮୫୦ ଟନ ,ଏନପିକେଏସ୍ ୬୨.୨୦୦ ଟନ ସାର ଯୋଗାଇ ଦିଆ ଯାଇଛି ।, ମାତ୍ର ପଟ୍ଟାମୁଣ୍ଡାଇର ୧୧ଟି ସମବାୟ ସମିତି ସହ ଅନ୍ୟ କେତେଗୋଟି ସମିତି ମାର୍କଫେଡ ସହ ଯୋଗାଯୋଗ କରିନାହାନ୍ତି । ପଟ୍ଟାମୁଣ୍ଡାଇର ୫ ଟି ସମବାୟ ସମିତି ମାର୍କଫେଡ ଗୋଦାମରୁ ସାର ଉଠାଇଛନ୍ତି । ଅନ୍ୟ ସମବାୟ ସମିତି ଉପଯୁକ୍ତ କାଗଜପତ୍ର ଓ ପିଓସି ମେସିନ ସହ ଯୋଗାଯୋଗ କଲେ ତାଙ୍କୁ ପର୍ଯ୍ୟାୟ କ୍ରମେ ସାର ଦିଆଯିବ ବୋଲି ସେ କହିଛନ୍ତି ।

ଚାଷୀ ସୁରେନ୍ଦ୍ର ପରିଡା କୁହନ୍ତି ପ୍ରତିବର୍ଷ ସରକାର ଏପରି ଭାବେ ଚାଷୀଙ୍କ ପାଇଁ ୟୁରିଆ ସହ ଅନ୍ୟାନ୍ୟ ସାର ଯୋଗାଇ ଦେଉଛନ୍ତି । ବିଶେଷ କରି ସମବାୟ ସମିତି ଗୁଡିକରେ ଆବଶ୍ୟକ ଅନୁଯାୟୀ ଗୋଦାମ ଗୃହ ନ ଥିବାରୁ ଚାହିଦା ମୁତାବକ ସାର ଉଠାଉ ନ ଥିବା ଜଣାପଡିଛି । ଫଳରେ ଚାଷୀ ବାଧ୍ୟ ହୋଇ କେଜି ପ୍ରତି ପ୍ରାୟ ୧୦ରୁ ୧୫ ଟଙ୍କା ଚଢା ଦରରେ ସାର ଖୁଚୁରା ବ୍ୟବସାୟୀଙ୍କ ଠାରୁ କିଣୁଛନ୍ତି ବୋଲି ସେ କହିଛନ୍ତି ।


Next Post

ସର୍ପାଘାତରେ ମହିଳାଙ୍କ ମୃତ୍ୟୁ,ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଂଟିଭେନମ୍ ଅଛି ଡାକ୍ତର ନାହାଁନ୍ତି

Mon Aug 21 , 2023
ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା ଗ୍ରାମରେ । ମୃତକଙ୍କ ହେଲେ କୀର୍ତନ ମଲ୍ଲିକଙ୍କ ପତ୍ନୀ ଜାନକୀ ମଲ୍ଲିକ । ଗତ ରବିବାର ସନ୍ଧ୍ୟାରେ ପାଖ ପଡୋଶୀ ଘରୁ ଫେରିବା ସମୟରେ ପିଣ୍ଡା ମୂଳରେ ଛକିଥିବା ବିଷଧର ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ । […]

KANIKA