କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଦନପୁର ୟୁକେ ମହାବୀର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ୟୁକେ ମହାବୀର ଡିଗ୍ରୀ କଲେଜରେ ଓଡିଶା ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ତ୍ରିପାଠୀଙ୍କ ପୌରହିତ୍ୟ ଓ ଅଧ୍ୟାପକ ଦିଲ୍ଲୀପ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଯୋଗଦେଇ ଉଦଘାଟନ କରିଥିଲେ । ସମନ୍ୱିତ ଯୁବ ବିକାଶ ନିମନ୍ତେ ‘ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆବଶ୍ୟକ ଥିବା ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ସାମାଜିକ, ସାଂସ୍କୃତିକ, କ୍ରିଡା କ୍ଷେତ୍ରରେ ବିକଶିତ କରିବା ମୂଳ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ ।
ସଂସାରଫଳ ସରପଂଚ ଦମୟନ୍ତୀ ସାମନ୍ତରାୟ, ସମିତିସଭ୍ୟ ପର୍ଶୁରାମ ବେହେରା ଓ ଜିଲ୍ଲା ନୋଡାଲ ଅଫିସର ପ୍ରମୋଦ କୁମାର ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନୂତନ ସଶକ୍ତ ଓଡିଶାର ଭିତିଭୂମିକୁ ସୁଦୃଢ କରିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି କ୍ରୀଡା ପ୍ରୋତ୍ସାହନ, ସାଂସ୍କୃତିକ ଦକ୍ଷତା ଓ ସମାଜସେବା ଆଦି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ । କଲେଜ ନୋଡାଲ ଅଫିସର ପ୍ରାଧ୍ୟାପକ ଗୌରାଙ୍ଗ ପଣ୍ଡା ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଅରୁଣ କୁମାର ଦାସ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପାରମ୍ପରିକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡିଶୀ ନୃତ୍ୟ ସହ ୟୁ କେ ମହାବୀର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୟୁ କେ ମହାବୀର ଡିଗ୍ରୀ କଲେଜ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଚେସ, କ୍ୟାରମ, ପ୍ରବନ୍ଧ ଲିଖନ ଓ କବିତା ବ୍ୟାଖ୍ୟା ପ୍ରତିଯୋଗିତା କରାଯାଇଥିଲା । ଏଥିରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।