
କେନ୍ଦ୍ରାପଡ଼ା, ୨୪ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ଐତିହାସିକ କୃଷକ ଆନ୍ଦୋଳନ ଉପରେ ୨୬ ଜାନୁଆରୀରେ ହୋଇଥିବା ଦମନଲୀଳାର ସ୍ମାରକୀ ଉଦ୍ଦେଶ୍ୟରେ ଆଗାମୀ ୨୬ ତାରିଖରରେ କିଷାନ-ମଜଦୂର ମିଳିତ ମଞ୍ଚ ପକ୍ଷରୁ ଦେଶ ବ୍ୟାପି ଟ୍ରାକ୍ଟର ଶୋଭାଯାତ୍ରାର ଆହ୍ୱାନ ଦିଆଯାଇଛି । କେନ୍ଦ୍ର ମୋଦୀ ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତି ଫଳରେ ଦେଶରେ କୃଷକ, ଶ୍ରମିକ ଓ ସାଧାରଣ ବର୍ଗର ଆର୍ôଥକ ସ୍ଥିତି କ୍ରମେ ବିପନ୍ନ ହେବାରେ ଲାଗିଛି । ଦେଶରେ ଧର୍ମୀୟ ଉନ୍ମାଦନା ସୃଷ୍ଟି କରି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା, ଭାଇଚାରା ଓ ସଂହତି ବିପନ୍ନ କରୁଥିବା କେନ୍ଦ୍ର ସରକାରଙ୍କ ବିଭାଜନକାରୀ ନୀତି ବିରୋଧରେ ଦେଶର ଶ୍ରମିକ-କୃଷକ ତଥା ଦେଶପ୍ରେମୀ ଜନଗଣଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ୨୬ ଜାନୁଆରୀରେ ହେଉଥିବା ଏହି ଟ୍ରାକ୍ଟର ଶୋଭାଯାତ୍ରାକୁ କେନ୍ଦ୍ରାପଡା ଜିଲ୍ଲାରେ ସଫଳ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିିକାଶ ସାମ୍ମୁଖ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇ.ଏନ.ଟି.ୟୁ.ସି. ଜିଲ୍ଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କିଷାନ ମୋର୍ଚ୍ଚାର ଆବାହକ ମଣ୍ଡଳୀ ସଦସ୍ୟ, ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, କିଷାନ କଂଗ୍ରେସ ନେତା ଚିତ୍ରସେନ ପରିଡା, ପଦ୍ମନାଭ ଦାସ, ବିଜୟ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ସେକ୍ ଅଜମତୁଲ୍ଲା, ମହମ୍ମଦ ସାହିଲ ଫୟାଜ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆସନ୍ତା ୨୬ରେ ହେବାକୁ ଥିବା ଟ୍ରାକ୍ଟର ଶୋଭାଯାତ୍ରାକୁ କେନ୍ଦ୍ରାପଡାରେ ସଫଳ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କେନ୍ଦ୍ରାପଡା ସହରରେ ସାନ୍ତସାହି ପୋଲ ନିକଟରୁ ଅପରାହ୍ନ ୩ଟାଠାରୁ ହେବାକୁ ଥିବା ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡାର ସମସ୍ତ ଗଣତନ୍ତ୍ର ପ୍ରେମୀ ଜନଗଣ ବହୁ ସଂଖ୍ୟାରେ ଯୋଗ ଦେବାକୁ ଶ୍ରମିକ ଓ କୃଷକ ସଂଗଠନର ମିଳିତ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।











