
କେନ୍ଦ୍ରାପଡ଼ା,୧୭ା୩: ସୁସ୍ଥ ଗଣତନ୍ତ୍ରର ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ନିଷ୍ଠାର ସହ ପାଳନ କରିବୁ ଆଦର୍ଶ ଆଚରଣ ବିଧି । ଜିଲ୍ଲା ପ୍ରଶାସନକୁ ଏ ଦିଗରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ କହିଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି । ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ କଡ଼ାକଡ଼ିଭାବେ ଆଦର୍ଶ ଆଚରଣ ବିଧି ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଏହି ମହାପର୍ବରେ ଶାନ୍ତି, ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ନିର୍ବାଚନ ପରିଚାଳନା ପାଇଁ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କରିଥିଲେ । କହିଥିଲେ ନିର୍ବାଚନ ବିଷୟରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନରହିବା ଉଚିତ । ଯେଉଁଠି ସନ୍ଦେହ ଉପୁଜିବ, ସେ ବିଷୟରେ ଯୋଗାଯୋଗ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ତାର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ସଦାସର୍ବଦା ତତ୍ପର ରହିଛି । ସମସ୍ତ ରାଜନୈତିକ ଦଳକୁ ସମାନ ଦୃଷ୍ଟିରେ ବିବେଚନା କରାଯିବ ଏବଂ ନୀତିନିୟମ ଅନୁଯାୟୀ ଆଦର୍ଶ ଆଚରଣ ବିଧିର ଉଲଂଘନ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତ ନିର୍ବାଚନରେ ପ୍ରାର୍ଥିଭାବେ ଅବତୀର୍ଣ୍ଣ ହେବାକୁ ଥିବା ନେତାମାନେ ସେମାନଙ୍କ ସୋସିଆଲ ମିଡିଆ ଆକାଉଂଟ୍ ବିଷୟରେ ଅବଗତ କରାଇବେ । ପ୍ରାର୍ଥିଙ୍କ ନାମରେ ଥିବା ଅପରାଧିକ ମାମଲା ବିଷୟରେ ବିସ୍ତୃତ ବିବରଣୀ ଦେବେ । ନିର୍ବାଚନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସଭା କରିବାକୁ ଚାହୁଁଥିବା ପ୍ରାର୍ଥି ବା ସଂପୃକ୍ତ ରାଜନୈତିକ ଦଳ ଆଗୁଆ ଆବେଦନ କରିବେ । ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ନ୍ୟାୟରେ ସେମାନଙ୍କୁ ଅନୁମତି ମିଳିବ । ରାଜନୈତିକ ଖର୍ଚ୍ଚ ତଦାରଖ କମିଟି ପ୍ରାର୍ଥି ବା ରାଜନୈତିକ ଦଳର ସଭା ସମିତି ବିଷୟରେ ଖର୍ଚ୍ଚର ସମୀକ୍ଷା କରି ପୂର୍ବ ନିର୍ଦ୍ଧାରିତ ଦର ଅନୁସାରେ ସ୍ୟାଡୋ ରେଜିଷ୍ଟର୍ରେ ଉଲ୍ଲେଖ କରିବେ । ଉତେଜନାପ୍ରବଣ ମତଦାନ କେନ୍ଦ୍ରରେ ମତଦାନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳର ପ୍ରତିନିଧିମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ଏବଂ କହିଥିଲେ ସଖି ବୁଥ୍ରେ ରାଜନୈତିକ ଏଜେଂଟ୍ମାନେ ମଧ୍ୟ ମହିଳା ରହିବେ । ଫଳରେ ନିର୍ବାଚନ କାର୍ଯ୍ୟରେ ମା’ ଭଉଣୀମାନେ ଆଗେଇ ଆସିବେ ନିର୍ବାଚନର ଏହି ମହାପର୍ବରେ ନିଜ କର୍ତବ୍ୟ ସମ୍ପାଦନ ପାଇଁ । ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜିଲ୍ଲା ଉପ-ସଭାପତି ପ୍ରଫୁଲ୍ଲ କୁମାର ଦାସ, ବିଜେଡିର ପ୍ରତିନିଧି ସମ୍ବିତ ଶ୍ରୀଚନ୍ଦନ, ବିଜେପି କିଶାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ସିପିଆଇ(ଏମ୍)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ ପ୍ରମୂଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।











