ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ବୈଠକ


କେନ୍ଦ୍ରାପଡା, ୧୮ା୬: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓସଡମା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ ଯେ ୧୯୯୯ ମସିହା ମହାବାତ୍ୟା ପରେ ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନିମନ୍ତେ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ବିପର୍ଯ୍ୟୟ ପରିଚାଳନା ଆଇନ ପ୍ରଣୟନ କରିଛନ୍ତି । ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରିପାରିଲେ ବାତ୍ୟା, ବନ୍ୟା ତଥା ଅନ୍ୟାନ୍ୟ ବିପର୍ଯ୍ୟୟର ମୁକାବିଲା କରିବା ସହ ଧନ ଜୀବନ ହାନିକୁ ରୋକାଯାଇ ପାରିବ । ଭୌଗୋଳିକ ଦୃଷ୍ଟି କୋଣରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତ୍ୟେକ ବର୍ଷ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ ଓ ୯ ଟି ବ୍ଲକ ମଧ୍ୟରୁ ମହାକାଳପଡ଼ା, ରାଜନଗର ବ୍ଲକ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କ ସହଭାଗୀତା କାମନା କରିବା ଏବଂ ଏ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହି ଟେବୁଲ ଟପ ଏକ୍ସସରସାଇଜ ବୈଠକର ମୂଳ ଉଦ୍ଦେଶ୍ୟ ବୋଲି ଅତିରିକ୍ତ ଜିଲ୍ଲାପାଳ ମହାପାତ୍ର ମତବ୍ୟକ୍ତ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ୧୮.୦୬.୨୦୨୪ରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସସରସାଇଜ ବୈଠକ କରାଯାଇଛି ଏବଂ ଆସନ୍ତାକାଲି ୧୨୩ଟି ବହୁମୂଖୀ ବାତ୍ୟା ଆଶ୍ରୟସ୍ଥଳରେ ମକଡ୍ରିଲ ଆୟୋଜିତ ହେବ । ବିପର୍ଯ୍ୟୟ ପରିଚାଳନା ଯୋଜନା ବିଷୟରେ ଅପଡେଟ ରହିବା ଏବଂ ପ୍ରତ୍ୟେକ ବିଭାଗର ସମନ୍ୱୟ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ହେବ । ଏହି ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଉକ୍ତ ବୈଠକ ଆୟୋଜନ କରାଯାଏ ବୋଲି ଓସଡମାର ରାଜ୍ୟ ପ୍ରୋଜେକ୍ଟ ଅଧିକାରୀ ଗୌରି ଶଙ୍କର ମିଶ୍ର ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ବିପର୍ଯ୍ୟୟ ସମୟରେ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳର ପୀଡ଼ିତ ଜନସାଧାରଣଙ୍କୁ ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ସେବା ଯୋଗାଇ ଦେଲେ ଜନସାଧାରଣ ପ୍ରଶାସନର ଉପଲବ୍ଧି ଅନୁଭବ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ଶୂନ୍ୟ ଜୀବନହାନିକୁ ଗୁରୁତ୍ୱ ଦେଇ ଅତୀତରେ କେନ୍ଦ୍ରାପଡ଼ା ଜିଲ୍ଲା ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟରେ ପ୍ରଶଂସିତ ହୋଇଛି । ଜିଲ୍ଲା ଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତସ୍ତର ପର୍ଯ୍ୟନ୍ତ ଗଠନ କରାଯାଇଥିବା କମିଟି ସଦସ୍ୟ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଆଶା, ଅଙ୍ଗନବାଡି କର୍ମୀ, ଜନପ୍ରତିନିଧି, ବ୍ଲକ ପ୍ରଶାସନ ଏବଂ ପ୍ରତ୍ୟେକ ଲାଇନ ଡ଼ିପାର୍ଟମେଂଟ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିଲେ ସଂଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ମୁକାବିଲା କରିହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ ଆଜି ଅପରାହ୍ନରେ ପ୍ରତ୍ୟେକ ବ୍ଲକ ସଦରମହକୁମାରେ ଟେବୁଲ ଟପ ଏକ୍ସସରସାଇଜ ବୈଠକ ଅନୁଷ୍ଠିତ ହେବ ଏବଂ ଆସନ୍ତା କାଲି ପ୍ରତି ବହୁମୂଖୀବାତ୍ୟା ଆଶ୍ରୟସ୍ଥଳୀରେ ମକଡ୍ରିଲ ଆୟୋଜିତ ହେବ । ବୈଠକରେ ଯୋଗ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜଳସେଚନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସହକାରୀ ଅଗ୍ନିଶମ ଅଧିକାରୀ, ବି.ଡି.ଓ, ତହସିଲଦାର, ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ ବିଭାଗ ଓ ରାସ୍ତା ଓ କୋଠବାଡି ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ବନ୍ୟା, ବାତ୍ୟାର ସଫଳ ମୁକାବିଲା ପାଇଁ ନିଆଯିବାକୁ ଥିବା ଆଗୁଆ ପଦକ୍ଷେପ ବିଷୟରେ ଓସଡମାର ରାଜ୍ୟ ପ୍ରୋଜେକ୍ଟ ଅଧିକାରୀଙ୍କୁ ଅବଗତ କରାଇଥିଲେ ଓ ଆଇଏମଡିର ପ୍ରାକ୍ ସୂଚନା ଅନୁଯାଇ ପ୍ରତ୍ୟେକ ବିଭାଗ ନିଜ ନିଜର କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ ଖୋଲିବାକୁ ବିଭାଗୀୟ ଅଧିକାରୀମାନେ ଆଗୁଆ ପଦକ୍ଷେପ ନେବେ ବୋଲି ବୈଠକକୁ ଅବଗତ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲାର ସମସ୍ତ ବି.ଡି.ଓ., ତହସିଲଦାର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡ଼ିପାର୍ଟମେଂଟର ନିର୍ବାହୀ ଯନ୍ତ୍ରୀ, ନେଚର୍ସ କ୍ଲବର ସମ୍ପାଦକ ବିରଜା ପତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଏନଡିଆରଏଫର ସବ ଇନିସ୍ପେକଟର୍ ଓ ପ୍ରଶିକ୍ଷକ ସଦସ୍ୟମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading