ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ବୈଷୟିକ ଟାକ୍ସଫୋର୍ସ ବୈଠକ



କେନ୍ଦ୍ରାପଡା, ୧୯/୭: କେନ୍ଦ୍ରାପଡା ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗମୁକ୍ତ କରିବା ଆମର ଲକ୍ଷ୍ୟ ବୋଲି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମତବ୍ୟକ୍ତ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍‌ଭାବନା ସଭାଗୃହରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଷୟିକ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରି ସେ ଏହା ମତବ୍ୟକ୍ତ କରିଛନ୍ତି । ମୌସୁମୀ ବର୍ଷାର ପ୍ରାରମ୍ଭରେ ମଶା ବଂଶବୃଦ୍ଧି ହୋଇଥାଏ । ମାଇ ଏନୋଫିଲିସ ଓ ଏଡିସ୍ ମଶା ଯୋଗୁଁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗ ବ୍ୟାପିଥାଏ । ଏହାର ଚିକିତ୍ସା ଅବହେଳା ହେଲେ ମୃତ୍ୟୁର ସମ୍ଭାବନା ଥାଏ । ଏହି ବର୍ଷାଋତୁରେ ମଧ୍ୟ ଡାଇରିଆ ରୋଗ ହୋଇଥାଏ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟନାୟକ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକକୁ ଅବଗତ କରାଇଥିଲେ । ସେ ପାୱାର ପଏଣ୍ଟ ମାଧ୍ୟମରେ ୨୦୨୪ ଜୁଲାଇ ୧୦ତାରିଖ ସୁଦ୍ଧା ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ମୋଟ୍ ୪୧ଜଣ ମ୍ୟାଲେରିଆ ରୋଗୀ ଓ ୯ଜଣ ଡେଙ୍ଗୁ ରୋଗୀଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲାରେ ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ସଂପୃକ୍ତି ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାକୁ ଆସିଥିବା ୯ଜଣ ପ୍ରବାସୀଙ୍କ ଶରୀରରେ ଡେଙ୍ଗୁ ରୋଗର ଲକ୍ଷଣ ପ୍ରକାଶ ପାଇଥିବା ତଥା ସେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ୨୦୩୦ ମସିହା ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ ରାଜ୍ୟ ଭାବେ ପରିଗଣନା କରିବାକୁ ଲକ୍ଷ୍ୟ ରଖିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ଡା. ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଶୂନ୍ୟ ମୃତ୍ୟୁକୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏଥିପାଇଁ ଆଶାକର୍ମୀ ଓ ଏଏନ୍‌ଏମ୍ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସେମାନଙ୍କୁ ଉକ୍ତ ରକ୍ତ ନମୁନା ପରୀକ୍ଷା ପାଇଁ କିଟ୍ସ ପ୍ରଦାନ କରାଯାଇଛି । ସେମାନେ ଘରକୁ ଘର ବୁଲି ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା କରି ଆରୋଗ୍ୟ ଲାଭ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଏବଂ ଆବଶ୍ୟକ ହେଲେ ଲୋକମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି । ମଶାରୀ ଟାଣି ଶୋଇବା, ଦୂଷିତ ଜଳ ଜମିବାକୁ ନ ଦେବା, ଘର ପାଖ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ବିଭାଗ୍ରର ମିଳିତ ସହଯୋଗରେ ଜିଲ୍ଲାକୁ ଡେଙ୍ଗୁ ଓ ମ୍ୟାଲେରିଆ ମୁକ୍ତ କରିହେବ ବୋଲି ବୈଷୟିକ କମିଟିରେ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ପ୍ରମୋଦ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ (ପରିବାର କଲ୍ୟାଣ) ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡିଏଚ୍‌ଏଚ୍ ପ୍ରଶାସନିକ ଅଧିକାରୀ ଆଦ୍ୟାଶା ରଥ, ଡା. ଉପେନ୍ଦ୍ର ଶତପଥୀ, ଡା. କିଶୋର ମିଶ୍ର, ଡା.ପ୍ରଦୀପ କୁମାର ଦାସ, ଡା. ନିରଞ୍ଜନ କର, ଡା. ରଶ୍ମିରଞ୍ଜନ ମହାନ୍ତି, ଡିପିଏମ୍ ଗୀତାଞ୍ଜଳୀ ଦାଶ, ନର୍ସିଂ ଟ୍ରେନିଂ ସ୍କୁଲର ପ୍ରିନ୍ସିପାଲ ପ୍ରଭାତୀ ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, କୃଷ୍ଣଚନ୍ଦ୍ର ଲୋହା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂ, ନେଚର୍ସ କ୍ଲବର ସମ୍ପାଦକ ବିରଜା ପତି ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ୱାସ୍ଥ୍ୟ ସମିତି କର୍ମକର୍ତ୍ତା, ଡିପିଏଚ୍‌ସି ଓ ମିନତୀ ମହାପାତ୍ର ଏବଂ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।


Next Post

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୪୧ତମ ପୂଣ୍ୟତିଥି ପାଳିତ / ଗୋକୁଳ ଚନ୍ଦ୍ର ସଂଗୀତ ପକ୍ଷରୁ ଚଳିତ ବର୍ଷ ଠାରୁ ରାଜ୍ୟସ୍ତରୀୟ ,  ବାଣୀକଣ୍ଠ ପ୍ରତିଭା ସମ୍ମାନ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ

Fri Jul 19 , 2024
କେନ୍ଦ୍ରାପଡ଼ା,୧୯/୭: ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଥିଲେ ଭକ୍ତ କଣ୍ଠଶିଳ୍ପୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ । ସେଥିପାଇଁ ତାଙ୍କୁ ଚାମର ସେବାର ଅଧିକାର ମିଳିଥିଲା । ତାଙ୍କ ଇଚ୍ଛାନୁସାରେ ମହାପ୍ରଭୁ ତାଙ୍କୁ ବାହୁଡ଼ା ଦଶମୀରେ ବାହୁଡ଼େଇ ନେଇଥିଲେ । ସାଲବେଗ ହୁଅନ୍ତୁ କି ଦାସିଆ ବାଉରୀ ହୁଅନ୍ତୁ ମହାପ୍ରଭୁଙ୍କର ପରମ ଭକ୍ତ ଭାବେ ପରିଚିତ ଥିବା ଆମପାଇଁ କଥାବସ୍ତୁ ହୋଇପାରେ କିନ୍ତୁ ଆମ […]

KANIKA