ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଚାଲିଛି ପାଇପ୍ ବିଛା , ରାସ୍ତା କ୍ଷତିଗ୍ରସ୍ତ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇବା ଲାଗି ରାଜ୍ୟ ସରକାର ସଂସାରଫଳ ଠାରେ ୪୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ ବିଛା କାର୍ଯ୍ୟ କାରାଯାଉଥିବାରୁ ବ୍ୟାପକ ରାସ୍ତା ନଷ୍ଟ ହେଉଛି। ବହୁ ପରିମାଣରେ ବିଭିନ୍ନ କିସମର ଛୋଟବଡ ଗଛ କଟାଯାଉଥିବା ବେଳେ ରାସ୍ତା ପାର୍ଶ୍ୱରୁ ଜେସିବି ଲଗାଇ ମାଟି ଖୋଳି ପାଇପ୍ ବିଛା ହେଉଥିବାରୁ ରାସ୍ତାଗୁଡ଼ିକ କ୍ଷତିଗ୍ରସ୍ତ ହେଉଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି । ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମ୍ୟ ପାନୀୟ ଜଳ ବିଭାଗ ଯନ୍ତ୍ରୀ ପ୍ରଶନ୍ନଜିତ ବାରିକଙ୍କୁ ପାଚାରିବାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ସାମାଜିକ କର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ଘରେଘରେ ପାନୀୟଜଳ ଯୋଗାଣ ପାଇଁ ପାଇପ ବିଛାଇବା କାମ ଚାଲିଛି। ପାଇପ ରାସ୍ତାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱରେ ବିଛାଇବାକୁ ଅନୁମତି ମିଳିଛି। ତେବେ ମେଗା ପାଣି ପାଇପ ଲାଇନ ବିଛାଇବା ସମୟରେ ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ଠିକାସଂସ୍ଥା ରାସ୍ତା ପାର୍ଶ୍ୱରୁ ଜେସିବି ଲଗାଇ ମାଟି ଖୋଳି ପାଇପ ବିଛାଇବା କାରଣରୁ ରାସ୍ତାଗୁଡ଼ିକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁ ଛୋଟବଡ ଗଛ ମୂଳରୁ ଉପାଡ଼ି ପୋତିଦେଉଥିବା ଅଭିଯୋଗ ହୋଇଛି।

ପଟ୍ଟାମୁଣ୍ଡାଇ-ମାଳିବସା ଭାୟା ଆମ୍ବେର ରାସ୍ତା କଡକୁ ହାଣି ପାଇପ ଲାଇନ ବିଛା ହେଉଥିବାରୁ ରାସ୍ତାରେ ଚଳପ୍ରଚଳ ବନ୍ଦ ହେବା ସହ ରାସ୍ତା ପାଶ୍ୱ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଦିନେ ପାଇପ୍ ବିଛାଇବାରୁ ରାସ୍ତାଗୁଡ଼ିକ କାଦୁଅ ହୋଇ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଗତ କାଲି ବର୍ଷାବେଳେ ଜଣେ ବାଇକ ଆରୋହି ପଡି ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନା ଯାଇଥିଲେ । ଏଭଳି ରାସ୍ତାକଡ଼ରୁ ବେଆଇନ ଭାବେ ମାଟି ଖୋଳାଯିବାରୁ ପଟ୍ଟାମୁଣ୍ଡାଇ-ମାଳିବସା ଭାୟା ଆମ୍ବେର ଗ୍ରାମଉନ୍ନୟନ ରାସ୍ତା ଫାଟି କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଗ୍ରାମର ଜନସାଧାରଣ ନାଲୁ ମଲିକ, ଟୁକୁନା ମଲିକ କାଲୁଆ ମଲିକ ପ୍ରମୁଖ ତୀବ୍ର ବିରୋଧ କରିବାରୁ ଶନିବାର କାମ ବନ୍ଦ ରହିଛି ।

ଏବାବଦରେ ଆଡି ଜେଇ ବିକାଶ ଗାହାଣଙ୍କୁ ପଚାରିବାରେ ରାସ୍ତା ଠାରୁ ପାଖାପାଖି ନିର୍ଦ୍ଦିଷ୍ଠ ଦୂରତାରେ ପାଇପଲାଇନ ବିଛାଇବା କଥା । ମାତ୍ର ଠିକାଦାରର ଏପରି ମନମୁଖି କାର୍ଯ୍ୟପାଇଁ ରାସ୍ତା ଖରାପ ହେଉଛି । ଏନେଇ ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ଅଫିସିଆଲି ଚିଠି କରାଯିବ ବୋଲି କହିଛନ୍ତି ।

ବୁଦ୍ଧିଜିବୀ କୃତିବାସ ପ୍ରଧାନ କୁହନ୍ତି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ଠିକାଦାର ମନମୁଖୀ କାର୍ଯ୍ୟ କରି ରାସ୍ତାଘାଟ ଆଦି ସରକାରୀ ସମ୍ପଭିକୁ ନଷ୍ଟ କରି ଚାଲିଛନ୍ତି । ଖରା ଦିନରେ କାମ ନକରି ବର୍ଷା ଦିନରେ ରାସ୍ତା ପାର୍ଶ୍ୱରୁ ମାଟି ଖୋଳି ପାଇପ୍ ବିଛାଇବା ଦ୍ୱାରା ରାସ୍ତାରେ ଯାତାୟାତ ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ଜନସାଧାରଣ ବାରମ୍ୱାର ରାସ୍ତା ପାର୍ଶ୍ୱରୁ ଯଥେଷ୍ଟ ଜାଗା ଛାଡ଼ି ପାଇପ୍ ବିଛାଇବା ପାଇଁ ଅଭିଯୋଗ କଲେ ମଧ୍ୟ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ସେଥିପ୍ରତି କର୍ଣ୍ଣପାତ ନକରି ଜୋରଜବରଦସ୍ତ କାମ କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି।


Discover more from

Subscribe now to keep reading and get access to the full archive.

Continue reading