ସ୍ୱାଧୀନତା ଦିବସ ଆମ ପାଇଁ ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ: ଜିଲ୍ଲାପାଳ


କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଯେଉଁମାନଙ୍କ ବଳିଦାନ, ତ୍ୟାଗ, ସଂଗ୍ରାମ ଓ ସାଧନ ବଳରେ ଆମକୁ ଏହି ମହାର୍ଘ ସ୍ୱାଧୀନତା ମିଳିଛି ସେମାନେ ଏ ଜାତିର ଚିର ନମସ୍ୟ। ଏହି ଅବସରରେ ଦେଶର ମୁକ୍ତି ସଂଗ୍ରାମରେ ଝାସ ଦେଇ ସ୍ୱାଧୀନତାର ସ୍ୱାଦ ଚଖାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଚିରଦିନ ପାଇଁ ଆମକୁ ପ୍ରେରଣା ଯୋଗାଇଦେଇଆସିଛି ଓ ଆଗକୁ ମଧ୍ୟ ଯୋଗାଉଥିବ । ଆଜିର ଦିନ ହେଉଛି ଆମ ପାଇଁ ଆତ୍ମ ସମୀକ୍ଷା ଓ ସଂକଳ୍ପର ଦିନ ଓ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତ୍ୟେକ ନାଗରିକଙ୍କର ଗୁରୁ ଦାୟିତ୍ୱ ରହିଛି। ସମାଜରେ ଗଣତନ୍ତ୍ରର ମୂଲ୍ୟବୋଧ ଓ ମାନବୀୟ ଚେତନା ସୁଦୃଢ଼ କରିବା ସହ ଦେଶ ତଥା ରାଜ୍ୟକୁ ସମୃଦ୍ଧ ଓ ସଶକ୍ତ କରିବାକୁ ସେ ଆହ୍ୱାନ ଦେଇଥିଲେ। କେନ୍ଦ୍ରାପଡ଼ାରେ ବିକାଶର ନକ୍ସା ଆଂକିବା ବେଳେ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ଏବଂ ଐତିହାସିକ ଓ ପର୍ଯ୍ୟଟନର ଦୃଶ୍ୟ ସମ୍ଭାର ସମ୍ବଳିତ ପ୍ରକୃତିର ଅନନ୍ୟ ବରଦାନ ଭିତରକନିକା ସମ୍ପର୍କରେ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ ନିଜ ମତ ରଖିଥିଲେ ।

ପ୍ରାତଃ ଘ. ୪:୩୦ ମିନିଟ୍ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମ୍‌ଧୂନ୍ ପ୍ରଚାର କରାଯାଇଥିଲା। ପ୍ରାତଃ ୬ଟାରେ ବିଭିନ୍ନ ସ୍କୁଲ୍‌ରେ ପ୍ରଭାତଫେରି କରାଯିବା ସହ ୭ଟାରେ ଶିକ୍ଷାନୁଷ୍ଠାନମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା। ପ୍ରାତଃ ୭ଟା ୩୦ ମିନିଟ୍‌ରେ ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ରିଜର୍ଭ ଇନିସ୍‌ପେକ୍ଟର୍ ପ୍ରଶାନ୍ତ କୁମାର ରଣସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟ୍ ୨୭ଗୋଟି ଦଳ ସମ୍ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ସବ୍‌ଜେଲ୍ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ପରେ ଇଚ୍ଛାପୁର ଶ୍ୟାମଗୁଡ଼ିଆଠାରେ ଥିବା ନୂତନ ମେଡିକାଲ୍‌ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଭିନ୍ନକ୍ଷମ ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତି ୧୧ଜଣ ଛାତ୍ରଛାତ୍ରୀଙ୍କୁ ଏବଂ ଜିଲ୍ଲାସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ୨୭ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଏନ୍‌ସିସି ଡିଭିଜନ୍‌, ସିନିୟର୍ ସିଭିଲିଆନ୍ ଓ ଜୁନିୟର୍ ସିଭିଲିଆନ୍ ବର୍ଗରେ ଉତ୍ତମ ପ୍ରଦର୍ଶନ କରିଥିବା ଦଳମାନଙ୍କୁ ଚୟନ କରାଯାଇ ପ୍ରତ୍ୟେକ ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ। ଜିଲ୍ଲାସ୍ତରୀୟ ଦେଶାତ୍ମବୋଧକ ଦଳଗତ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସେମାନେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ପ୍ୟାରେଡ୍ ଗ୍ରାଉଣ୍ଡରେ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

ଏହି ସମସ୍ତ ଟ୍ରଫିଗୁଡ଼ିକୁ ପ୍ରାୟୋଜିତ କରିଥିଲେ କେନ୍ଦ୍ରାପଡ଼ା ସଦର ମହକୁମାରେ ଥିବା ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍ ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । କେନ୍ଦ୍ରାପଡ଼ା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପ-ସଭାପତି ଫକିର ମୋହନ ଦାସଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ସନ୍ତାନ ସୌରଚକ୍ର ପୁରସ୍କାରପ୍ରାପ୍ତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରା, ଅନ୍ତର୍ଜାତୀୟ ଭଲିବଲ୍ ଖେଳାଳୀ ଶିବାନୀ ପ୍ରିୟଦର୍ଶିନୀ, ଜାତୀୟ ଭାରୋତ୍ତଳନକାରୀ ରୋନିତ୍ ରୋଶନ୍ ସ୍ୱାଇଁ, କୁନି ଧାବକ ସହାଦତ୍ ଖାନ୍‌, ଜାତୀୟସ୍ତରୀୟ ଯୋଗ ବିଜେତା ଟୁଇଁକିଲ୍ ସ୍ୱାଇଁ, ଗୁଡ୍ ସମାରିଟାନ୍ ଭାବେ ସୁଶାନ୍ତ କୁମାର ତରାଇ ଏବଂ ନୂଆ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏନ୍‌.ସି.ସି. କ୍ୟାମ୍ପରେ ଶ୍ରେଷ୍ଠ କ୍ୟାଡେଟ୍ ବିବେଚିତ ହୋଇଥିବା ମହମ୍ମଦ ନୂରୁଦ୍ଦିନ ଖାନଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଜିଲ୍ଲା କୃଷି ବିଭାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପରିଷଦ ଦ୍ୱିତୀୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନୀଲୁ ମହାପାତ୍ର ପ୍ରଜ୍ଞାପନ ମେଢ଼ର ପୁରସ୍କାରକୁ ପ୍ରାୟୋଜିତ କରିଥିଲେ । ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପ- ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଏସ୍‌. ଡି. ପି. ଓ. ଦେବେନ୍ଦ୍ର ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଦୟାସିନ୍ଧୁ ପରିଡା, କେନ୍ଦ୍ରାପଡ଼ା ତହସିଲ୍‌ଦାର୍ ତାପସ ଦେହୁରୀ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଦିନ୍ ଖାଁ, କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଭିଜିତ ବୋଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱାଧୀନତା ସଂଗ୍ରାମୀ, ନିମନ୍ତ୍ରିତ ଅତିଥି, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ସ୍କୁଲ୍ ଓ କଲେଜ୍‌ର ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।


Discover more from

Subscribe now to keep reading and get access to the full archive.

Continue reading