କାଶତଣ୍ଡିର ସୁଗନ୍ଧ ନଥାଏ ସିନା ରୂପ ଭାରି ମନଲୋଭା



କେନ୍ଦ୍ରାପଡା ୧୫/୯ -ଋତୁଚକ୍ର ପରିବର୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତା ନେଇ ଧରା ପୃଷ୍ଠରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ପସରା ମେଲି ଦୋଳି ଖେଳୁଛି। ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦେଇଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଆ ଜମିରେ ଦେଖିବାକୁ ମିଳୁଛି। ନୀଳ ଆକାଶର ତଳେ ହସୁଛି ଶୁଭ୍ର ରେଶମୀ କାଶତଣ୍ଡି । ସତେ ଯେପରି ଧରଣୀ ରାଣୀ ଶୁଭ୍ର ବସ୍ତ୍ର ପରିଧାନ କରିଛନ୍ତି । ଦୋଳାୟିତ କାଶତଣ୍ଡି ଚାମର ସଦୃଶ ଦେଖାଯାଉଛି । ଏଇ ଚାମର ହଲାଇ ସେ ଆଦିଶକ୍ତିଙ୍କୁ ସ୍ୱାଗତ କରୁଛି । କାରଣ ମାଆକୁ ସ୍ୱାଗତ ଜଣାଇବା ପାଇଁ ସେ ବରଦାନ ପାଇଛି । ପ୍ରକୃତିର ଅନବଦ୍ୟ ଅବଦାନ ଓ ଭବିଷ୍ୟତ ପିଢ଼ି ପାଇଁ ଏହା ମନେ ପକାଇବ ବୋଲି ପରିବେଶପ୍ରେମୀ କହିଛନ୍ତି।


କବି ଦେବାଶିଷ ପ୍ରଧାନ କୁହନ୍ତି ମନମୋହୁଛି ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାର ଦୃଶ୍ୟ। କାଶତଣ୍ଡିର ସୁଗନ୍ଧ ନଥାଏ ସିନା କିନ୍ତୁ ରୂପ ତାର ଭାରି ମନଲୋଭା।ଭ୍ରମରକୁ ଆକର୍ଷିତ କରିପାରେନି ସିନା କିନ୍ତୁ କବି ,ଭାବୁକ ଓ ବାଟରେ ଗଲା ଆଇଲା ଲୋକକୁ କରିଦିଏ ଆନମନା ଓ ପାର୍ବଣର ପୁର୍ବାଭାସ ଦେଇଥାଏ । ଶାରଦୀୟ ଶୋଭାବର୍ଦ୍ଧନ ପାଇଁ ଆଣିଥାଏ ଅପୁର୍ବ ସମ୍ଭାର।ଜଗତ୍ ଜନନୀଙ୍କ ଆଗମନରେ ପୁଲକିତ ହେଇଛି ଧରଣୀ ରାଣୀ । ସେଇଥିପାଇଁ ତ କବି କୁହେ କାଶତଣ୍ଡି କାଳେ ଏଇମିତି ଧୋବ ଫରଫର ଗାଲିଚା ବିଛେଇ ଚାହିଁ ରହିଥାଏ ମାଙ୍କୁ । ଏହି କାଶତଣ୍ଡୀ ଫୁଲର ସମ୍ଭାର ବ୍ରାହ୍ମଣୀ ନଦୀ ପଠା ଓ ଗୋବରୀ ନଦୀ ମାଟିଆପାଳରେ ଲୋକଙ୍କୁ ଆକର୍ଷିତ କରୁଛି। ସେହିପରି ଏହି ଅଂଚଳ ବାଲିପାଟଣା ଖରିପାଳ, ଅଳଭା ଓ ତନୁପୁରର ବେଣା ବୁଦା ବଣ, ନିଳକଣ୍ଢପୁର ବାଲି ପଠା ଆଦିରେ ବହୁଳ ପରିମାଣରେ ଏହି କାଶତଣ୍ଡୀ ଫୁଲର ସମ୍ଭାର ଦେଖିବାକୁ ମିଳୁଛି।


ସାହିତ୍ୟିକ ପ୍ରଦିପ ନାୟକ କୁହନ୍ତି ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସୁଛି ଆସୁଛନ୍ତି ମା’ ଜଗତ ଜନନୀ । ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । କବି ଏହି ଫୁଲକୁ ଦେଖି ବିଭୋର ହୋଇଯାଏ । ତା’ କଲମ ମୁନରୁ ସୁନ୍ଦର କବିତାରାଜି ଝରିପଡେ ।

ପରିବେଶବିତ୍ ଭବାନୀଶଙ୍କର ପଣ୍ଡା କୁହନ୍ତି ଏହି ଶୁଭ୍ର ରେଶମୀ କାଶତଣ୍ଡିକୁ ନେଇ ରହିଛି ଏକ ସୁନ୍ଦର କାହାଣୀ । ଏକଦା ଏକ ରାଜ୍ୟରେ, ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠାରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଧୀରେ ଧୀରେ ଦୁହେଁଙ୍କ ମଧ୍ୟରେ ପ୍ରେମ ନିବିଡ଼ ହେଲା । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଥରେ ଏହି ଖବର ପହଁଚିଲା ସେହି ରାଜ୍ୟର ରାଜାଙ୍କ ପାଖରେ । କାଶତଣ୍ଡି ପରି ଗରିବ ଓ ଛୋଟ ଜାତିର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ରାଜି ନଥାନ୍ତି ରାଜା । ରାଜାଙ୍କ ଆଦେଶରେ ନଦୀ ପଠାରେ ପହଂଚିଲେ ସୈନ୍ୟ ସାମନ୍ତ । ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ ସୈନ୍ୟ । କାଶତଣ୍ଡି ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା । ଆମର ଏଇ ଶାଶ୍ୱତ ପ୍ରେମକୁ ଉଦଜୀବିତ ରଖିବା ପାଇଁ ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବା । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହେଇ ରହିଗଲେ। କିମ୍ବଦନ୍ତୀ ଯାହା ବି ହଉନା ନା କାହିଁକି ନିଜର ସୁନ୍ଦର ରୂପରେ ସମସ୍ତଙ୍କୁ ବିମୋହିତ କରୁଥିବା ଏଇ ଘାସ ଫୁଲ ଟି ଯେବେ ଶୀତଳ ପବନର ଛୁଆଁରେ ଦୋଳାୟମାନ ହେଉଥାଏ ଲାଗେ ସତେ ଯେମିତି ପ୍ରେମିକା ଟିଏ ଧଳା ଓଢ଼ଣି ପକାଇ ଧାଇଁ ଯାଉଛି ତାର ପ୍ରେମିକ ପାଖକୁ । କବି ଟିଏ ତାର କବିତା ମାଧ୍ୟମରେ ହେଉ ବା ଲେଖକଟିଏ ତାର ଲେଖନୀ ମାଧ୍ୟମରେ କାସତଣ୍ଡି ର ସୁନ୍ଦରତାକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିପ୍ରକାଶ କରିଥାନ୍ତି ।


Discover more from

Subscribe now to keep reading and get access to the full archive.

Continue reading