
କେନ୍ଦ୍ରାପଡା ୧୯/୧୨- କେନ୍ଦ୍ରାପଡ଼ାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଅବସରରେ ଏକ ସତନ୍ତ୍ର ତଥ୍ୟଭିତ୍ତିକ ପତ୍ରିକା “ଆମ ରଙ୍ଗମଞ୍ଚ” ପ୍ରକାଶ ପାଇବାକୁ ଯାଉଛି। ନାଟକର ସର୍ବ ଭାରତୀୟ ସଂକ୍ଷିପ୍ତ ଆକଳନଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ନାଟକର ବିବିଧ ପର୍ଯ୍ୟାୟ ବିଶେଷ କରି ଏହି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ଥିତିକୁ ନେଇ ଏହି ସଚିତ୍ର ସତନ୍ତ୍ର ସଂଖ୍ୟାଟି ପ୍ରକାଶ ପାଇବ ବୋଲି ଏହାର ସମ୍ପାଦକ ଡ଼.ବିରଜା ରାଉତରାୟ ପ୍ରକାଶ କରିଛନ୍ତି । ରାଜ୍ୟ ଓ ଜାତୀୟସ୍ତରର ଅଭିଜ୍ଞ ନାଟ୍ୟବିତ୍ ଓ ବିଶେଷଜ୍ଞମାନଙ୍କ ଲେଖାରେ ସମୃଦ୍ଧ ଏହି ସଂଗ୍ରହଣୀୟ ପତ୍ରିକାଟିରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସମୁଦାୟ କୋଡିଏ ଗୋଟି ଆଲେଖ୍ୟ ରହିଛି। ଭାଷା ସାହିତ୍ୟ ଅଧୟନରତ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଆଗ୍ରହୀ ପାଠକମାନଙ୍କ ଦ୍ୱାରା ଏହା ବେଶ୍ ଆଦୃତ ହେବ ବୋଲି ସିମ୍ପୋନିର ସମ୍ପାଦକ ଡ.ବିନାୟକ ପ୍ରସାଦ ପ୍ରଧାନ ଓ ସଂଯୋଗିକ ସ୍ୱପ୍ନାଂଶୁ କୁମାର ଦାସ ଓ କୋଷାଧ୍ୟକ୍ଷ ବଂଶୀଧର ମହାନ୍ତି ସୂଚାଇଛନ୍ତି। ଡିସେମ୍ବର ୨୮ ଓ ୨୯ ଦ୍ୱି-ଦ୍ୱିବସୀୟ ନାଟ୍ୟ ମହୋତ୍ସବ ବ୍ୟତୀତ ୨୭ ଡିସେମ୍ବର ସିମ୍ପୋନି ଦ୍ୱାରା କେନ୍ଦ୍ରାପଡା ସହର ଉପକଣ୍ଠ ଜିଲ୍ଲା ସଂସ୍କୃତି ଭବନ ଠାରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଉଥିବା ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଯୁବତରଙ୍ଗ’ ନିମନ୍ତେ ଜିଲ୍ଲାର ଯୁବ ସୃଜନ ଶିଳ୍ପୀ ଓ ବିଭିନ୍ନ ମହାବିଦ୍ୟାଳୟର ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହଜନକ ଆଗ୍ରହ ପ୍ରକାଶ ପାଇଛି ବୋଲି ଅନୁଷ୍ଠାନର ମୂଖ୍ୟ କାର୍ଯ୍ୟନିର୍ବାହୀ ଡ.ହିମାଂଶୁ କୁମାର ପରିଡା ସୂଚାଇଛନ୍ତି ।











