ପଟ୍ଟାମୁଣ୍ଡାଇ ୨୮/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଫସଲହାନୀ ଘଟିଥିଲ।। ସଂପ୍ରତି ବନ୍ୟାପାଣି ଚାଷଜମିରୁ ଶୁଖି ନଥିବାବେଳେ ବ୍ରାହ୍ମଣୀ ନଦୀରେ ପୁଣି ବନ୍ୟା ଆସିଛି । ଫଳରେ ତଳିଆ ଅଂଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ବନ୍ୟାଂଚଳରେ କୁମ୍ଭୀର ଭୟ ଲୋକମାନଙ୍କ ମନରୁ ଲିଭି ଯାଇଥିବାବେଳେ ପୁନରାୟ ବନ୍ୟା ଆସିବା ଯୋଗୁଁ କୁମ୍ଭୀର ଭୟରେ ସମଗ୍ର ଧୋୟାଂଳବାସୀ ଆତଙ୍କିତ ହୋଇପଡିଛନ୍ତି । ତେବେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ହୋଇଛି।
ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ବାରମ୍ବାର ବନ୍ୟା ଆସିବା ଫଳରେ ବ୍ୟାପକ କ୍ଷୟକ୍ଷତି ଓ ଫସଲହାନୀ ଆଶଙ୍କାରେ ଗରିବ ଖଟିଖିଆ ଓ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ୧୦ ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡର ହଜାର ହଜାର ଏକର ଜମିରେ ପାଣି କମି ଆସୁଥିବା ବେଳେ ସୋମାବାର ପୂଣି ଜଳମଗ୍ନ ହୋଇପଡିଛି । ପ୍ରଥମ ବନ୍ୟାରୁ ସିଂହଗାଁ ପଂଚାୟତ ବାହ୍ୟଜଗତରୁ ବିଛିନ୍ନ ରହିଥିବା ବେଳେ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ବଲୁରିଆ ପଂଚାୟତର ବିଭିନ୍ନ ଗ୍ରାମର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ପେଣ୍ଠପାଳ ପଂଚାୟତ କୋଳଥିଆ ଜେନା ସାହି ନିକଟରେ ଆରଡି ରାସ୍ତାରେ ୫୦ ଫୁଟ ଘାଇ ହୋଇ ବନ୍ୟା ସୁଅ ଛୁଟିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ସେହିପରି ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ବ୍ଲକରେ ପୁନଃରାୟ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସଫଳ ମୁକାବିଲା ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ କରାଯାଇ ୨୪ଘଂଟିିଆ କଂଟ୍ରେ।।ଲ ରୁମ ଖୋଲାଯିବା ପାଇଁ ନିଷ୍ପତି ନିଆଯିବା ସହିତ ସମସ୍ତ ପଦକ୍ଷେପ ନେବାକୁ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ବିଡ଼ିଓ ଅଶୋକ ମହାନ୍ତି ପଂଚାୟତ ନିର୍ବାହୀ ଅଧିକାରୀ ଓ ପଂଚାୟତ ପ୍ରତିନିଧିମାନଙ୍କୁ ନିର୍ଦେଶ ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତ ମଣ୍ଡପଡା ବାଛରା ରାସ୍ତା ବୁଡି ଯାଇଥିବାରୁ ବାଛରା ମଣ୍ଡପଡା ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଣ୍ଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ଯାଇଛି । ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ସେଠୀ ଓ ସହସହକାରୀ ଯନ୍ତ୍ରୀ ଇଂ ମନୋରଞ୍ଜନ ସାହୁ ସୁନିଲ ନାୟକ ପ୍ରମୁଖ ନଦୀବନ୍ଧ ଗୁଡିକ ପରିଦର୍ଶନ କରି ବିଭାଗୀୟ କର୍ମଚାରୀ ସହାୟତାରେ ବାଲିବସ୍ତା ପକାଇ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ପୌରାଂଚଳର ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଳଭା ଠାରେ ବନ୍ୟା ଜଳ ୧୫ ଫୁଟ ରହିଛି ।