
କେନ୍ଦ୍ରାପଡା ୧୭/୯- ରାଜ୍ୟରେ ମହିଳା ମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ଜିଲ୍ଲାର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୋସ୍ନା ସାହୁଙ୍କ ନେତୃତ୍ୱରେ ମହିଳାମାନେ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପହଁଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶାର ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥୁବା ନିର୍ମମ ଆକ୍ରମଣ, ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର, ଯେପରିକି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରଳାର ସମୟରେ ଏକ ନିରନ୍ତର ସମସ୍ୟାରେ ପରିଣତ ହୋଇଛି, ଯାହା ନ୍ୟାୟ ପ୍ରଦାନରେ ବ୍ୟବସ୍ଥାଗତ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି । ପୋଲିସ୍ ନିଷ୍ଠୁରତାର ଏକ ଚିତ୍ର, କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗର ବ୍ଲକର ରାଜପୁର ପଞ୍ଚାୟତର ମହିଳା ସରପଞ୍ଚ ରାଣୀ ମଞ୍ଜରୀ ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ । ଗତ ସେପ୍ଟେମ୍ବର ୯ରେ ଏଫ.ଆଇ.ଆର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ୍ ଅପରାଧିକୁ ଘଣ୍ଟ ଘୋଡାଇ ରଖିଛି । ଜିଲ୍ଲା ସରପଞ୍ଚ ସଂଘ ତରଫରୁ ଏସ୍.ପି. ଓ ଡିଜିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମଳିଲାନାହିଁ । ସେହିପରି ବାଲେଶ୍ୱରର ଜଣେ କଲେଜ ଛାତ୍ରୀ ଆତ୍ମଦାହ କରିଥିଲେ। ସେ ସୋସିଆଲ ମିଡିଆ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଊଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ହସ୍ତକ୍ଷେପ ପାଇଁ ଆକୁଳ ନିବେଦନ କରିଥିଲେ। କିନ୍ତୁ ପରିତାପର ବିଷୟ ଜେହି ବି ତାଙ୍କୁ ସୁରକ୍ଷା ନ ଦେବାରୁ ସେ ଶେଷରେ ୧୨ ଜୁଲାଇରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ସ୍ଥଳ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଏକ ଭୟଙ୍କର ଗଣଦୁଷ୍କର୍ମ କରାଯାଇଥିଲା। ଗତ ୧୫ ମାସ ମଧ୍ୟରେ ସରକାରୀ ସ୍କୁଲ ଏବଂ ହଷ୍ଟେଲରେ ଯୌନ ନିର୍ଯାତନାର ଅନେକ ମାମଲା ସାମ୍ନାକୁ ଆସିଛି। ଉଲ୍ଲେଖନୀୟ ଘଟଣାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଏବଂ ମାଲକାନଗିରିରେ ଜଣେ ଆଦିବାସୀ ଝିଅ ପ୍ରସବ କରିବା ଅନ୍ତର୍ଭୁକ୍ତ । ଅନ୍ୟ ଏକ ଆଶ୍ଚର୍ଯ୍ୟଜନକ ଅପରାଧରେ, କେନ୍ଦୁଝର ଜିଲ୍ଲାର ପଣ୍ଡାପଡ଼ା ପୋଲିସ ସୀମା ଅନ୍ତର୍ଗତ ତେନ୍ତଲାପଶି ଗ୍ରାମରେ ଜଣେ ୧୭ ବର୍ଷୀୟା ଆଦିବାସୀ ଝିଅକୁ ବହୁ ବ୍ୟକ୍ତିଙ୍କ ଦ୍ୱାରା ଯୌନ ନିର୍ଯାତନା ପରେ ଝୁଲାଇ ଦିଆଯାଇଥିବା ହୋଇଛି। ଗତ ଏକ ବର୍ଷ ମଧ୍ୟରେ ସୁନ୍ଦରଗଡ଼, କୋରାପୁଟ, ସମ୍ବଲପୁର ଇତ୍ୟାଦି ଜିଲ୍ଲା ଆଦିବାସୀ ଏବଂ ଦଳିତ ଝିଅମାନଙ୍କ ସହିତ ସମାନ ଘଟଣାମାନ ଲୋକଲୋଚନକୁ ଆସିଛି। ଚିନ୍ତାଜନଳ ଭାବରେ, ଗତ ୯ ମାସରେ ରାଜ୍ୟରେ ୨୦,୦୦୦ରୁ ଅଧିକ ମହିଳା ନିଖୋଜ ହେବା ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ କେବଳ ୭,୦୪୮ ଜଣଙ୍କୁ ଠାବ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଉପରୋକ୍ତ ତଥ୍ୟ ଏବଂ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯାତନା ଏବଂ ଅସୁରକ୍ଷିତ ପରିସ୍ଥିତିର ଏକ ଭୟଙ୍କର ଚିତ୍ର ପ୍ରଦର୍ଶନ କରୁଛି। ତେଣୁ, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆବଶ୍ୟକୀୟ ଆଇନସମ୍ମତ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ମହିଳାମାନେ ଦାବି କରିଛନ୍ତି ।
ଜିଲ୍ଲାପରିଷଦ ସଭାନେତ୍ରୀ ଲିଲିତା ଦାସ,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପ୍ରିୟ ଦର୍ଶିନୀ ତରାଇ, ଲୋପାମୁଦ୍ରା ବାରିକ, ମହିଳା ନଗର/ବ୍ଲକ ସଭାପତି ସ୍ୱୟଂପ୍ରଭା କର, ସୁମିତ୍ରା ପାଢି, ଭକ୍ତିମୟୀ କର, କଳ୍ପନା ମହାନ୍ତି, ସସ୍ମିତା ପଲାଇ, ଲକ୍ଷ୍ମୀପ୍ରିୟା ଷଢଙ୍ଗୀ, ଅନୱାର ବିବି, ମିନତି ପାତ୍ର, ବନ୍ଦନା ପାତ୍ର, ସାନିଆ ପରମିନ, ରିହାନା ବିବି, ଅକିଲାମ ବିବି, ମିନତୀ ପରିଡା, ଜିନତ୍ ପ୍ରିୟଦର୍ଶିନୀ ରାଉତ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟାଙ୍କ ସହିତ ବହୁ ସାଙ୍ଗଠନିକ ମହିଳାମାନେ ଆଜିର ଏହି ଦାବି ଦେବା ସମୟରେ ଉପସ୍ଥିତ ଥିଲେ । ଏଥି ସହିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ପ୍ରଦିପ କୁମାର ସୁତାର, ପ୍ରଭାତ କୁମାର ଉଡାନସିଂ, ପ୍ରତାପ ନାରାୟଣ ମହାପାତ୍ର, ହିରଣ୍ୟ କୁମାର ପଣ୍ଡା, ମୁକ୍ତାର ଖା, ସେକ ଚନ୍ଦନ, ଲୋହିତ ମହାନ୍ତି, ଆଲୋକ ସାହୁ, ସମ୍ବିତ ଶ୍ରୀ ଚନ୍ଦନ, ବିଜୟ କୁମାର ମଣ୍ଡଳଙ୍କ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।









