
ସ୍ୱାସ୍ଥ୍ୟ ସମାଜର ମୌଳିକ ଆବଶ୍ୟକତା । ଏଥିନେଇ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଜନସାଧାରଣ ଉତମ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଇଛନ୍ତି । ଯେଉଁ ସରକାରୀ ଡାକ୍ତର କାର୍ଯ୍ୟରତ ଅଛନ୍ତି ସେମାନେ ସେବା ଯୋଗାଇବା ପରିବର୍ତେ ଘରୋଇ କ୍ଲିନିକଗୁଡ଼ିକରେ ବ୍ୟବସାୟ କରୁଥିବା ଦେଖାଯାଉଛି। ଏହାଦ୍ୱାରା ସଂପୃକ୍ତ ସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ ରୋଗୀମାନେ ଠିକ୍ ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି। ଫଳରେ ସେମାନେ ବାଧ୍ୟହୋଇ ସରକାରଙ୍କ ମାଗଣା ଚିକିତ୍ସାସେବା ଓ ଔଷଧ ନପାଇ ଘରୋଇ ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେଉଛନ୍ତି। ରାଜ୍ୟରେ ଅନେକ ହସ୍ପିଟାଲ ଅଛି କିନ୍ତୁ ସେସବୁ ବ୍ୟୟ ସାପେକ୍ଷ ହୋଇଥିବାରୁ ସାଧାରଣ ଲୋକଙ୍କ ପାଇଁ ଅପହଂଚ ହୋଇରହିଛି । ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ଗରିବ ଲୋକମାନେ ସାମିଲ ହୋଇଥିବା ବେଳେ ବୟୋ ବନ୍ଦନା ଯୋଜନାରେ ଗରିବ ଲୋକଙ୍କ ଟିକସ ପଇସାରେ ଧନୀ ଲୋକଙ୍କୁ ଉନ୍ନତ ଚକିତ୍ସା କରିବା ଫଳରେ ସାଧାରଣ ରୋଗୀମାନେ ଗୁରୁତ୍ୱର ଚକିତ୍ସାରୁ ବଂଚିତ ହେଉଛନ୍ତି। ବେସରକାରୀ ହସ୍ପିଟାଲରେ ସରକାରଙ୍କ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ବକେୟା ଥିବାରୁ ସେମାନେ ସିଧାସଳଖ କାର୍ଡଧାରୀମାନଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନାକରୁଛନ୍ତି। ତେଣୁ ସଫ୍ଟୱେରରେ ଆବଶ୍ୟକୀୟ ପରିବର୍ତନ, କାର୍ଡ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆଧାର କାର୍ଡ କିମ୍ବା ବାୟୋମେଟ୍ରିକକୁ ବାଧ୍ୟତାମୂଳକ ନକରିବା, ସମସ୍ତ ସାର୍ବଜନୀନ ନୀତିରେ ସ୍ୱାସ୍ଥ୍ୟକୁ ସାମିଲ କରିବା ସହ ସ୍ୱାସ୍ଥ୍ୟସେବାରେ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣକୁ ବନ୍ଦ ତଥା ପ୍ରାଇଭେଟ୍ ହସ୍ପିଟାଲମାନେ ପ୍ୟାକେଜ୍ ରେଟରେ ପରିବର୍ତନ କରିବା, ନୋଡ଼ାଲ ଅଫିସରଙ୍କୁ ନିୟୋଜକ କରିବା, ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିବା ଉପରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରବା ସହ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଳାଣିକୁ ବ୍ୟବସାୟୀ କରଣରୁ ମୁକ୍ତ କରି ସ୍ୱାସ୍ଥ୍ୟସେବା ସାମାଜିକ ସେବା ଭାବରେ ବିବେଚନା କରାଇବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ରୋଗୀମାନେ ମହଙ୍ଗା ଚିକିତ୍ସା କରିବାକୁ ବାଧ୍ୟ ହେଉଛନ୍ତି – ଶିକ୍ଷାବିତ ପ୍ରଫୁଲ୍ଲ ଦାଶ

ଭୌତିକବାଦୀ ପ୍ରବୃତି ଏବଂ ଅର୍ଥ ଲୋଭ ଯୋଗୁଁ ସ୍ୱାସ୍ଥ୍ୟ ସେବା ବାଣିଜ୍ୟିକ ହୋଇଗଲାଣି। ଯେତେ ବଡ ବିଶେଷଜ୍ଞ ଡାକ୍ତର ସେତେ ଅଧିକ ପରୀକ୍ଷା । ପରୀକ୍ଷା ରିପୋର୍ଟ ଆସିବା ପରେ, ରୋଗୀଙ୍କୁ ଭୟଭୀତ କରିବାର ଖେଳ ଆରମ୍ଭ ହୁଏ। ତାଙ୍କୁ ଇଙ୍ଗିତ ମାଧ୍ୟମରେ ବୁଝାଇ ଦିଆଯାଏ ଯେ ଉକ୍ତ ରୋଗ ଭବିଷ୍ୟତରେ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ। ରୋଗୀ ମହଙ୍ଗା ଚିକିତ୍ସା ପାଇଁ ରାଜି ହେବାକୁ ବାଧ୍ୟ ହୁଅନ୍ତି। ଏହା ବ୍ୟତୀତ, ହସ୍ପିଟାଲ ଅଧିକାରୀ ଏବଂ ରୋଗୀ ଉଭୟ ଚିକିତ୍ସା ନୀତିର ଅପବ୍ୟବହାର କରି ଫାଇଦା ନେଉଛନ୍ତି।ଅନେକ ପ୍ରସିଦ୍ଧ ଡାକ୍ତରଖାନା ଏହାକୁ ଏକ ବ୍ୟବସାୟ କରି ନୂଆ ନୂ।। ରୋଗର ନାମ ସୃଷ୍ଠି କରାଯାଏ। ସେହି ଚିକିତ୍ସା କେବଳ ଘରୋଇ ଡାକ୍ତରଖାନାରେ ସମ୍ଭବହୁଏ । ଲୋକମାନେ ସେମାନଙ୍କର ସଂଚୟ ଖର୍ଚ୍ଚ କରିବାକୁ ବାଧ୍ୟ ହେଅନ୍ତି।
ସ୍ୱାସ୍ଥ୍ୟ ସେବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ଉଚିତ-ଆଇନଜୀବୀ ଶତୃଜୀତ ନାୟକ

ସ୍ୱାସ୍ଥ୍ୟ ସେବା ମାନବଜାତି ପାଇଁ ଅତ୍ୟାବଶ୍ୟକ ହୋଇଥିବାବେଳେ ସରକାର ଏଥିପ୍ରତି ଗମ୍ଭୀର ନୁହଁନ୍ତି । ଜନସଂଖ୍ୟା ଅନୁସାରେ ସରକାରୀ ହସ୍ପିଟାଲ୍ ସଂଖ୍ୟା ବୃଦ୍ଧି କରୁ ନାହାଁନ୍ତି କି ଚିକିତ୍ସା ଅଧିକାରୀ, ନର୍ସ, ଟେକ୍ନିସିଆନ୍ ଇତ୍ୟାଦିଙ୍କ ଅଭାବକୁ ଦୂର କରୁନାହାଁନ୍ତି। ଏହାର ଫାଇଦା ନେଇ ବ୍ୟବସାୟୀ ମାନେ ବେଇ ବଡ଼ ବଡ଼ ଘରୋଇ ହସ୍ପିଟାଲ୍ ଆରମ୍ଭ କରୁଛନ୍ତି । ଫଳରେ ଡାକ୍ତରଙ୍କ ଚିନ୍ତାଧାରା ବାଣିଜ୍ୟିକ ହୋଇପଡୁଛି। ଡାକ୍ତରମାନେ ସେମାନଙ୍କର ଫିସ୍ ଦୁଇଗୁଣ କରବା ସହିତ ମହଙ୍ଗା ପରୀକ୍ଷା ଏବଂ ଔଷଧ ଲେଖୁଛନ୍ତି ।ଡାକ୍ତରମାନେ ଔଷଧ ଏବଂ ପରୀକ୍ଷା ଉପରେ ପୃଥକ କମିଶନ ପାଆନ୍ତି। ଏହିପରି ଭାବରେ, ସ୍ୱାସ୍ଥ୍ୟସେବା ସୁବିଧାଗୁଡ଼ିକ ସମ୍ପୂର୍ଣ୍ଣ ବାଣିଜ୍ୟିକ ହୋଇଗଲାଣି। ଯାହାର ଲକ୍ଷ୍ୟ ରୋଗ ଭଲ କରିବା ଅପେକ୍ଷା ଅଧିକ ଟଙ୍କା ରୋଜଗାର କରିବା।
ସରକାର କଠୋର ରହିବା ଉଚିତ- ସାମାଜିକକର୍ମୀ ପ୍ରବୀର ନାୟକ

ସରକାରୀ ଡାକ୍ତରଖାନାରେ ଚିକିତ୍ସା ମାଗଣା ହୋଇଥିବା ବେଳେ ଚିକିତ୍ସା ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିଥାଏ । ଅନେକ ଡାକ୍ତର ଘରୋଇ ଚିକିତ୍ସା ଖୋଲିଥିବା ବେଳେ ଦିନଦିନ ଧରି ଡାକ୍ତରଖାନାରେ ଅନୁପସ୍ଥିତ ରୁହନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ଡାକ୍ତର ନିଜ ଦାୟିତ୍ୱ ନ ତୁଲାଇ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ନକରି ଅଧିକ ଅର୍ଥ ଲୋଭରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରନ୍ତି, ସେତେବେଳେ ସେ ଆଉ ସେବା କରନ୍ତି ନାହିଁ, ବ୍ୟବସାୟ ହିଁ କରନ୍ତି। ଚିକିତ୍ସାର ବୃଦ୍ଧି , ପରିକ୍ଷା କମିଶନ ନେବା, ଔଷଧ କମ୍ପାନୀଗୁଡ଼ିକରୁ କମିଶନ ପାଇଁ ଡାକ୍ତରମାନେ ପ୍ରଲୋଭିତ ହେବା ଏବଂ ବ୍ୟକ୍ତିଗତ ଲାଭ ପାଇଁ ଅନାବଶ୍ୟକ ପରୀକ୍ଷା କରିବା ଇତ୍ୟାଦି, ସାଧାରଣ ଲୋକଙ୍କ ଚିକିତ୍ସା ଉପରେ ବିଶ୍ୱାସକୁ ହ୍ରାସ କରୁଛି। ଏଭଳି ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଅତ୍ୟନ୍ତ ସ୍ୱାଭାବିକ। ଏଥିନେଇ ସରକାର କଠୋର ହେଇ ସ୍ୱାସ୍ଥ୍ୟ ସେବାରେ ସ୍ୱଚ୍ଛତା ଆନିବାକୁ ଦାବୀ ହୋଇଛି ।
ପଟ୍ଟାମୁଣ୍ଡାଇ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଛି- ବୁଦ୍ଧିଜିବୀ ରମେଶ ଦେ

ପଟ୍ଟାମୁଣ୍ଡାଇର ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଟ୍ଟାମୁଣ୍ଡାଇ ସମେତ ଆଳି, ରାଜନଗର, ମହାକାଳପଡା, ରାଜକନିକା ବ୍ଳକର ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାରେ ଭିଡ ଲଗାନ୍ତି । ହେଲେ ଏଠାରେ ଡାକ୍ତରଙ୍କ ଅଭାବ ଯୋଗୁଁ ସଠିକ୍ ସମୟରେ ସଠିକ୍ ଚିକିତ୍ସା ମିଳେନାହିଁ । ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହ ୭ ଜଣ ଡାକ୍ତର ରହିଛନ୍ତି । ଶିଶୁ, ଭେଷଜ ଏବଂ ସ୍ତ୍ରୀ ଓ ପ୍ରସୂତି ପରି ଗୁରୁତ୍ୱପୁର୍ଣ୍ଣ ବିଭାଗ ଫାଙ୍କା ପଡିଛି । ତେଣୁ ସାମାନ୍ୟ କିଛି ଅସୁବିଧା ହେଲେ ବି ଅଧିକ ଖର୍ଚ କରି ବାହାରକୁ ଚିିକିତ୍ସା ପାଇଁ ଯିବାକୁ ପଡୁଛି । ଏହାକୁ ନେଇ ପଟାମୁଣ୍ଡାଇ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଛି ।
ଘରୋଇ ଡାକ୍ତର ଖାନାରେ ସେବା ନୁହିଁ, ବ୍ୟବସାୟ କରନ୍ତି-ଭାସ୍କର ରାଉତ ରାୟ

ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଘରୋଇ ଚିକିତ୍ସାଳୟରେ ବେଶି ସମୟ ଦେଉଛନ୍ତି । ସରକାରୀ ଡାକ୍ତରଖାନାକୁ ଯାଉଥିବା ଗରିବ ରୋଗୀଙ୍କୁ ଅନେକ ସମୟରେ ପରୋକ୍ଷରେ ଘରୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ କରାଯାଉଛି। ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଘରୋଇ ଚିକିତ୍ସା କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜ ଦାୟିତ୍ୱ ନ ତୁଲାଇ ଅଧିକ ଅର୍ଥ ଲୋଭରେ ଜଣେ ଡାକ୍ତର ଯେତେବେଳେ ସରକାରୀ ଚିକିତ୍ସାଳୟରେ ଚିକିତ୍ସା ନକରି ଘରୋଇ ଡାକ୍ତରଖାନାରେ ଚିକିତ୍ସା କରନ୍ତି, ସେତେବେଳେ ସେ ଆଉ ସେବା କରନ୍ତି ନାହିଁ, ବ୍ୟବସାୟ ହିଁ କରନ୍ତି। ଏଭଳି ଡାକ୍ତରଙ୍କ ପାଇଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିବା ଅତ୍ୟନ୍ତ ସ୍ୱାଭାବିକ।
ଡାକ୍ତରମାନେ ଅର୍ଥ ମୋହଗ୍ରସ୍ତ ହୋଇ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି- ଯୁବନେତା ସତ୍ୟପ୍ରୀୟ ସାମଲ

ଘରୋଇ କ୍ଲିନିକ ବା ବଡ଼ବଡ଼ ଡାକ୍ତରଖାନା ଖୋଲି ରୋଗୀଙ୍କୁ ସେବା ନାଁରେ ଶୋଷଣ କରୁଥିବା ବ୍ୟବସାୟୀଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଚାଲିଛି।ସରକାରୀ ଡାକ୍ତରମାନଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା ପାଇଁ ଅନୁମତି ନଦେବା ସହ ଏଥିପାଇଁ ସ୍ୱତନ୍ତ୍ର ଆଇନ ବା ମାର୍ଗଦର୍ଶିକା ଜାରି କରିବା ଯଥାର୍ଥ। ସରକାର ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏହା ସତ୍ୟ ଯେ ଓଡ଼ିଶାରେ ଡାକ୍ତରଙ୍କ ଅଭାବ ଲାଗି ରହିଛି। ତେବେ ଯେତେ ଡାକ୍ତର ନିଯୁକ୍ତ କଲେ ମଧ୍ୟ ସେମାନେ ଯଦି ଡାକ୍ତରଖାନାରେ ନ ରହି ଘରୋଇ କ୍ଲିନିକମୁହାଁ ହେବେ । ତେବେ ସ୍ୱାସ୍ଥ୍ୟସେବାର ଚିତ୍ର ବଦଳିବ ନାହିଁ। ଗତ କିଛିବର୍ଷ ମଧ୍ୟରେ ସରକାର ଡାକ୍ତରଙ୍କ ପାଇଁ ସୁବିଧାସୁଯୋଗ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି କରିଛନ୍ତି ।ଏହାସତ୍ତ୍ୱେ କେତେକ ଡାକ୍ତର ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିବା ବା ନିଜ କର୍ମସ୍ଥଳୀରେ ଯୋଗ ନଦେବା ଭଳି ଘଟଣା ଦେଖିବାକୁ ମିଳୁଛି। ଘରୋଇ ଡାକ୍ତରଖାନା ଭଳି ସୁବିଧାସୁଯୋଗ ବା ଅଧିକ ଦରମା ହୁଏତ ସରକାରୀ ଡାକ୍ତରଖାନାରେ ମିଳୁନାହିଁ । କିନ୍ତୁ ଚିକିତ୍ସା କେବଳ ଏକ ବୃତ୍ତି ନୁହେଁ, ବରଂ ସେବା, ତାହା ସେମାନେ ଭୁଲିଯିବା ଅନୁଚିତ। ଡାକ୍ତରମାନେ ଯେତେବେଳେ ଅର୍ଥ ମୋହଗ୍ରସ୍ତ ହୋଇପଡ଼ନ୍ତି, ସେମାନେ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ।
ଅର୍ଥୋପାର୍ଜନ ଅପେକ୍ଷା ରୋଗୀସେବା ବଡ-ଯୁବ ସଂଗଠକ ଗୌତମ ବେହେରା

ବାସ୍ତବିକ ଏକ ଦୁର୍ଭାଗ୍ୟଜନକ ସ୍ଥିତି। ଆହୁରି ଚିନ୍ତାର ବିଷୟ ଯେ ସରକାରୀ ମେଡିକାଲ୍ କଲେଜରେ ପାଠପଢ଼ି, ତାଲିମ ନେଇ ଅଧିକ ଅର୍ଥ ଉପାର୍ଜନ ଆଶାରେ ଯୁବ ଡାକ୍ତରମାନେ ସରକାରୀ ଡାକ୍ତରଖାନାକୁ ମୁହଁ ମୋଡ଼ୁଛନ୍ତି। ପୂର୍ବରୁ ଆମ ସମାଜରେ ଶିକ୍ଷକ ଓ ଚିକିତ୍ସକ ଯେଉଁ ସମ୍ମାନର ଅଧିକାରୀ ଥିଲେ, ବର୍ତ୍ତମାନ ସେମାନେ ତାହା ହରାଇବା ମୂଳରେ ଏହି ଅର୍ଥଲାଳସା ଅଧିକ ଦାୟୀ। ଏଥିରେ ସନ୍ଦେହ ନାହିଁ ଯେ ଅଳ୍ପ ହେଲେ ମଧ୍ୟ ଏବେ ବି ମଧ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକରେ କେତେକ ଡାକ୍ତର ଅଛନ୍ତି, ଯାହାଙ୍କ ପାଇଁ ଅର୍ଥୋପାର୍ଜନ ଅପେକ୍ଷା ରୋଗୀସେବା ବଡ଼ ହୋଇଛି।










