ଚାହା ଦୋକାନ ଟେବୁଲ-ସ୍ୱର୍ଗଠାରୁ ମର୍ତ୍ତ୍ୟ ଢେର ଭଲ


ଚାହା ଦୋକାନ ଟେବୁଲରେ କେତେ ଜଣ ବନ୍ଧୁ ବସି ଗପା ମାରୁଥାନ୍ତି ଜଣେ ବନ୍ଧୁ କହିଲା – ଭାଇନା ଏଇ ଯେଉଁ କହୁଛ ମରିଯିବା ପରେ ସ୍ୱର୍ଗକୁ ଯିବ, କାହିଁକି ଯିବ ? ସ୍ୱର୍ଗକୁ ଗଲେ କ’ଣ ମଣିଷରୁ ଦେବତା ହୋଇଯିବ କି ?

ସ୍ୱର୍ଗରେ ଶାନ୍ତି ଅଛି ବୋଲି ଆଉ ଜଣେ ବନ୍ଧୁ କହିଲେ

କି ଶାନ୍ତି  ତୁମେ ଦେଖିଛ ?

ହଉ, ମନେକର ତୁମେ ସ୍ୱର୍ଗକୁ ଯାଇ ଜଣେ ଦେବତା ହେଲ, କଣ ପାଇବ ?  ପୁରାଣରୁ ଜଣାଯାଏ ସ୍ୱର୍ଗରେ ବିବିଧତା ବୋଲି କିଛି ନାହିଁ। ଆମର ଏଠି ନୀତିରୁ ରାଜନୀତି କେତେ କେତେ ଭେରାଇଟି। ଆମେ ସକାଳେ ଉଠିଲୁ, ଖାଇଲୁ ବ୍ରେକ୍‌ଫାଷ୍ଟ। ଦି ପହରେ ଲଞ୍ଚ। ରାତିରେ ଡିନର, ଛକରେ ଚା ପାନ । ଫୁଟ୍‌ପାଥରେ ଫାଷ୍ଟଫୁଡ୍ । ବଡ ହୋଟେଲରେ ହରେକ ରକମର ଡିସ୍‌। ଗାଁର ଚିଙ୍ଗୁଡି ସେଠି ହୋଇଯିବ ଫ୍ରନ୍ । ଛତୁ ମସରୁମ୍ ସ୍ୱର୍ଗରେ ଖାଇବ କ’ଣ ? ସକାଳେ ଅମୃତ। ଖରାବେଳେ ଅମୃତ। ରାତିରେ ସେଇ ଅମୃତ।ଗୋଟେ ଖାଦ୍ୟକୁ କେତେଥର ଖାଇବ। ଖାଇ ଖାଇ ଚିଟା ଲାଗିବ। ଶେଷରେ ଡାକବଙ୍ଗଳା ଛକ ଗୁପ୍‌ଚୁପ୍ , କଣ୍ଡୁରି ବରା ଆଳୁଦମକୁ ଝୁରିହେବ।
ଦେବତା ହେଲେ ଗୋଟେ କଷ୍ଟୁମ୍‌ରେ ଜୀବନ ବିତିବ ନା … ଆଉ ଜଣେ ବନ୍ଧୁ ହସିହସି କହିଲେ
ହଁ ଆମ ଆଲଣାରେ ଆମର କେତେ ରକମର ପୋଷାକ। ସ୍ତ୍ରୀମାନେ ତ ଆଲମିରାରେ ଦୋକାନ ସାଇତିଛନ୍ତି। ରାତିରେ ଶୋଇବୁ ସ୍କିଫି ଗାଉନ। ବାଥରୁମରେ ତଉଲିଆ, ଗାମୁଛା। ଅଫିସ, ବଜାରକୁ ପ୍ୟାଣ୍ଟ ଶାର୍ଟ । ଫଙ୍କ୍‌ଶନ ଗଲେ ସୁଟ୍ କୋଟ୍‌। ଲେଡିସ ଭେରାଇଟି କେତେ ଯେ ଗଣିପାରିବା ନାହିଁ।
ଆଉ ସେଠାରେ ବୁଲା ବୁଲି କିପରି କରିବା ସେଠାରେ ଗାଡି
ଆଜିକାଲି ଘରେ ଘରେ ଗାଡ଼ି । ଘରର ମୁରବି ତେଲ ଦାମ୍ ବୃଦ୍ଧି ବିରୋଧରେ ହରତାଳ କରୁଛନ୍ତି । ସ୍ତ୍ରୀ, ପୁଅ, ଝିଅମାନେ ଗୋଟେ ଲେଖାଏ ଗାଡି ଚଢ଼ି ଲଙ୍ଗ୍ ଡ୍ରାଇଭ କରୁଛନ୍ତି। ସ୍କୁଟି, ବାଇକ, କାର, ଭ୍ୟାନ୍ କେତେ କିସମର ଗାଡି।
ଦେବତାମାନଙ୍କର କ’ଣ ଅଛି ?
ଗରୁଡ, ଷଣ୍ଢ, ହାତୀ, ସିଂହ, ମୟୂର, ମୂଷା। ତୁମେ ଗଲେ ତୁମକୁ ଗଧ କି ବେଙ୍ଗଟିଏ ମିଳିବ।
ସ୍ୱର୍ଗର ସବୁଠୁ ବଡ଼ ଦେବତା ବିଷ୍ଣୁ। ଚାରିପଟେ କେହି ନାହିଁ। ବିଶାଳ ଦରିଆ ମଝିରେ ସାପ ଶେଯରେ ଶୋଇଛନ୍ତି। ଉପରେ ଛାତ ସାପର ଫଣା। ଗୋଡ ପାଖରେ ବସିଛନ୍ତି ଲକ୍ଷ୍ମୀ। ମର୍ତ୍ତ୍ୟରେ ଥିଲେ ସ୍ୱାମୀଙ୍କୁ ଆଙ୍ଗୁଠି ଅଗରେ ନଚାଇଥାନ୍ତେ। ସେଠାରେ ଦିନରାତି ପାଦସେବା କରୁଛନ୍ତି।
ଚାରୋଟି ମୁଣ୍ଡରେ ଚାରୋଟି ପାଚିଲା ଦାଢି ଝୁଲାଇ ଗୋଟେ ପଦ୍ମଫୁଲ ଉପରେ ଦିନରାତି ବସିଛନ୍ତି ବ୍ରହ୍ମା। ଚାରି ମୁହଁରେ ଚାରିବେଦ ଅନର୍ଗଳ ଗାଉଛନ୍ତି। ପାଖରେ ସରସ୍ୱତୀ। ଚବିଶଘଣ୍ଟିଆ ଚାନେଲ ପରି ସବୁବେଳେ ବୀଣା ବଜାଉଛନ୍ତି। ଜାଣିପାରୁନାହାନ୍ତି ଯାହାଙ୍କ ପାଖରେ ବସିଛନ୍ତି ସେ ତାଙ୍କର ପିତା ନା ପତି।
ସବୁଠାରୁ ଦରିଦ୍ର ଅବସ୍ଥା ଶିବଙ୍କର। ଘରଦ୍ୱାର ନାହିଁ। ଶ୍ୱଶୁରଘରୁ କାଣିଚାଏ ନେଇ ମୁଣ୍ଡ ଗୁଞ୍ଜିଛନ୍ତି। ସ୍ତ୍ରୀ ଓ ପିଲାମାନେ କିଏ କେଉଁଠି ବୁଲୁଛନ୍ତି। ସେ ମଶାଣିକୁ ଯାଇ ଭୂତପ୍ରେତଙ୍କ ସାଙ୍ଗରେ ପାଉଁଶରେ ଗଡୁଛନ୍ତି। ପିନ୍ଧିଛନ୍ତି ବାଘଛାଲ। ବେକରେ ଗୁଡାଇଛନ୍ତି ନାଗସାପ। ମୁଣ୍ଡରେ ଜଟା। ଜହ୍ନ ଓ ଗଙ୍ଗା ସେଠି ଆଡ୍ଡା ମାରୁଛନ୍ତି। ବାହନ ବାସୁଆ ଷଣ୍ଢ। କେତେବେଳେ କେଉଁଠି ଘୂରୁଛି। ମର୍ତ୍ତ୍ୟକୁ ଆସି କାଞ୍ଜିଆହୁଦାରେ ପଶୁଛି। ତାକୁ ମୁକୁଳାଇବାକୁ ଶିବ ବିଚରା ହଟହଟା। ଗଣେଶଙ୍କ ବେକ ଉପରେ ହାତୀଛୁଆର ମୁଣ୍ଡ ବାହନ ମୂଷା। କାର୍ତ୍ତିକ ସବୁଦିନ ସାନ ହୋଇ ରହିଛନ୍ତି। ତାଙ୍କ
ପରେ ଆଉ କେହି ଦେବତା ଜନ୍ମ ହୋଇନାହାନ୍ତି।
ଦେବତାମାନେ ଅଜର ଓ ଅମର। ବୁଢ଼ା ହୁଅନ୍ତି ନାହିଁ କି ମରନ୍ତି ନାହିଁ। ଆମେ ଜନ୍ମ ହେଉ। ଶିଶୁ, କିଶୋର, ତରୁଣ, ଯୁବକ, ପ୍ରୌଢ଼, ବୃଦ୍ଧ ସବୁ ଅବସ୍ଥାକୁ ଭୋଗକରି ଶେଷରେ ମରିଯାଉ। ମରଣ ଥିବାରୁ ତ ଜୀବନଟା ଏତେ ଆନନ୍ଦମୟ। ଅନ୍ଧାର ନ ଥିଲେ ଆଲୋକର ମହତ୍ତ୍ୱ କ’ଣ ? ଦୁଃଖ ନାହିଁ ତ ସୁଖର କିଛି ମାନେ ନାହିଁ। ନବରସ ଥିବାରୁ ଆମ ଜିହ୍ୱା ସ୍ୱାଦ ଭାବୁଛି ଓ ଆମେ ଖୁସିରେ ଖାଉଛୁ। ରାତି ଅଛି । ରାତିରେ ନିଦ ଅଛି। ସେଥିପାଇଁ ସକାଳଟି ସତେଜ ଓ ସୁନ୍ଦର ଲାଗୁଛି। ମଧ୍ୟାହ୍ନର ଧୂ ଧୂ ଖରା ଅଛି ତ ଧୂମ୍ରାଭ ଗୋଧୂଳି କେତେ ଚମତ୍କାର ଲାଗୁଛି । ଗ୍ରୀଷ୍ମ ପରେ ବର୍ଷା, ଶୀତ ପରେ ବସନ୍ତ ଋତୁଚକ୍ରର ଘୂର୍ଣ୍ଣନ ପ୍ରକୃତିକୁ ରମଣୀୟ କରୁଛି।
ତେଣୁ ମୁଁ ମୋର କହିବି, ସ୍ୱର୍ଗଠାରୁ ମର୍ତ୍ତ୍ୟ ଢେର ଭଲ। ଯେତେଥର ମରିବି ଯଦି ପୁନର୍ଜନ୍ମ ଥାଏ ଏଇ ମର୍ତ୍ତ୍ୟରେ ହିଁ ଆଉଥରେ ଜନ୍ମ ନେବାକୁ ଚାହିଁବି ।
କଳକୌଶଳ କରି ସରକାରୀ ଚାକିରି ଖଣ୍ଡେ ହାତେଇବି। ଦରମାଠାରୁ ବେଶି ଉପୁରି କମାଇବି। ଚାରି ଛଅଟା ପ୍ଲଟ୍ କିଣିବି। ଦୁଇ ଚାରିଟା କୋଠା ତୋଳିବି। ସ୍ତ୍ରୀକୁ ମାସକୁ ଥରେ ଶାଢି, ଗହଣା ଦୋକାନକୁ ବୁଲାଇନେବି। ପିଲାମାନଙ୍କୁ ଇଂରାଜୀ ସ୍କୁଲରେ ପଢ଼ାଇବି। ଟିଭି, ଫ୍ରିଜ, ଏସି, ଗାଡି, ଯେତେକ ବିଳାସ ସାମଗ୍ରୀ ଘରେ ଖଞ୍ଜିଦେବି।
ନାନା ତୁ ରାଜନେତା ହୋଇଯିବୁ
ସେ ଆହିରି ବଢିଆ –ଲୋକାଙ୍କୁ ଭୁଆ ବୁଲାଇ ଚାଲିବି , ଲୋକାଙ୍କ ପାଇସାରେ ବିଦେଶ ବୁଲିବି , ଭୋଟବେଳେ ତାଙ୍କରି ପଇସାରେ ଟିକେ ଟିକେ ଥୋପ ଦେଇ ପୁଣି ଭୋଟ କିଣିବି, ବିଭିନ୍ନ ମିଛ ପ୍ରତିଶୃତି ଦେଇ ଗାଦି ଜଗି ବାସିବି,
ହଁ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ ଥିଲେ। ସ୍ୱାଧୀନତାର ଠିକ୍ ପରେ ଯେଉଁମାନେ ନେତୃସ୍ଥାନୀୟ ବ୍ୟକ୍ତି ଥିଲେ ସେମାନେ ଥିଲେ ପ୍ରାୟତଃ ନୀତିବାନ୍ ଏବଂ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେବାରେ ବିଶ୍ୱାସ କରୁ ନ ଥିଲେ। କ୍ରମଶଃ ରାଜନୀତି ଏପରି ଅଧଃପତନର ସ୍ତରକୁ ଆସିଲା ଯେ କୁହାଗଲା ‘ଚନ୍ଦ୍ରମଣ୍ଡଳରୁ ମାଟି ଆଣିଦେବେ କି’ ବୋଲି ପ୍ରଶ୍ନ କଲେ ତା’ର ଉତ୍ତର ବି ହେଉଥିଲା ହଁ ସୂଚକ। ଅର୍ଥାତ୍ ନିର୍ବାଚନ ପୂର୍ବରୁ ଯାହା କହୁଥିଲେ ଭୋଟରମାନେ ସେଥିରେ ଭୋଟ୍ ଆଶାୟୀଙ୍କର ଅସମ୍ମତିର ପ୍ରଶ୍ନ ହିଁ ଉଠୁ ନ ଥିଲା।
ପ୍ରାଥମିକ ଅବସ୍ଥାରେ ରାଜନେତାମାନେ ଥିଲେ ସମ୍ବେଦନଶୀଳ। ସେମାନେ ଲୋକଙ୍କ ସୁଖଦୁଃଖରେ ସମଭାଗୀ ହେଉଥିଲେ। ତାଙ୍କ ସମସ୍ୟାର ସମାଧାନ କରୁଥିଲେ ଏବଂ ଲୋକଙ୍କୁ ସମାନ ଭାବରେ ଦେଖୁଥିଲେ। ଏବେ ଯଦିଓ ଲୋକଙ୍କର ସମସ୍ୟା ସମାଧାନ କରିବା ଏବଂ ସେମାନଙ୍କ ସୁଖଦୁଃଖରେ ସାଥୀ ଦେବାରେ ନେତାମାନେ ହେଳା କରୁନାହାନ୍ତି, କେବଳ ପାର୍ଥକ୍ୟ ହେଉଛି ଯେ ଲୋକମାନଙ୍କୁ ସେମାନେ ଦି’ ଭାଗରେ ବିଭକ୍ତ କରିଦେଇଛନ୍ତି। ମାନେ ଗୋଟିଏ ହେଲେ ନିଜ ଦଳ ସମର୍ôଥତ ଓ ଆରେକ ହେଲେ ପ୍ରତିପକ୍ଷଙ୍କ ସମର୍ଥନରେ ଥିବା ଲୋକେ।
ପ୍ରାଥମିକ ସ୍ତରରେ ନେତୃମଣ୍ଡଳୀ ଭାବୁଥିଲେ ସାମୂହିକ କାମ କରିବା ସେମାନଙ୍କର ମୌଳିକ ଦାୟିତ୍ୱ। କ୍ରମେ କ୍ରମେ ଅନୁଭୂତ ହେଲା ଯେ, କେବଳ ସାମୂହିକ ଉନ୍ନତିରେ ଲୋକଙ୍କର ଏତେ ରୁଚିନାହିଁ। ବ୍ୟକ୍ତିଗତ ଲାଭ ତାଙ୍କୁ ହାତଠାରି ଡାକୁଥିଲା। ସର୍ବସାଧାରଣ ଉନ୍ନତିର ସଂକଳ୍ପ କ୍ରମେ ମଳିନ ଦିଶିଲା। ଏବେ ବ୍ୟକ୍ତିଗତ ସୁଖ ସୁବିଧା କିଏ ଅଧିକ ନେଇପାରିବ, ତାହା ପାଲଟିଲା ରାଜନୈତିକ ପ୍ରେକ୍ଷାପଟ।
ହେ ଛାଡ ହୋ ଆମର ହେଲା ଆମେ ସ୍ୱର୍ଗକୁ ଯିବା ଅପେକ୍ଷା ମୃତ୍ୟୁ ମଣ୍ଡଳରେ ରହିବା ସରକାରୀ ଚାକରିଆ ନଚେତ ନେତା ହୋଇ ଲୋକଙ୍କୁ ପିସି ଉପରି ଖାଇ ମଉଜ କରିବା …
                                                          (ଆଗକୁ )


Discover more from

Subscribe now to keep reading and get access to the full archive.

Continue reading